ବିନା ଦେୟରେ କେଜିରୁ ପିଜି ପର୍ଯ୍ୟନ୍ତ ନାମଲେଖାକୁ ନେଇ ବୁଦ୍ଧିଜୀବୀଙ୍କ ଉଚ୍ଚ ପ୍ରଶଂସା
।
ନୟାଗଡ଼ : ( ଇପିଏ ) ନୟାଗଡ ରାଜ୍ୟ ସରକାରଙ୍କ ଦ୍ବାରା କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଘୋଷଣା କରାଯିବା ପରିପ୍ରେକ୍ଷୀରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ନାମଲେଖା ବିନା ଦେୟରେ ଆରମ୍ଭ ହୋଇଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଖୁସି ଆଣିଥିବା ବେଳେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ କର୍ମଚାରୀମାନେ ଦରମା ପାଇବାକୁ ନେଇ ଆଶଙ୍କାରେ ଓ କଲେଜର ଉନ୍ନୟନ କାର୍ଯ୍ୟ ଚାଲିବା ନେଇ କଲେଜ କର୍ତୃପକ୍ଷ ଚିନ୍ତା ପଡିଛନ୍ତି। ସରକାର ଖୁବ୍ଶୀଘ୍ର ଏନେଇ ବିକଳ୍ପ ବ୍ୟବସ୍ଥା ସହ ମାର୍ଗଦର୍ଶିକା ଆଣିବାକୁ ଦାବି ହେଉଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ନଂ.୧୮୦୪୩ ତା.୮/୭/୨୦୨୬ରେ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବିନା ଦେୟରେ ନାମ ଲେଖାଇବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ହେଲେ କେଉଁ ବାବଦରେ ଛାଡ଼ କରାଯିବା ସଂକ୍ରାନ୍ତରେ ସରକାରଙ୍କ ଚିଠିରେ କୌଣସି ସ୍ପଷ୍ଟ ସୂଚନା ନଥିବା ଏବଂ ବିନା ଫି’ରେ ନାମଲେଖା ପାଇଁ ନିର୍ଦ୍ଦେଶ ରହିଥିବା ଯୋଗୁଁ ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଦ୍ଵନ୍ଦ ଆଶଙ୍କା ଭିତରେ ନାମଲେଖା ଚାଲିଥିବା ଦେଖିବାକୁ ମିଳିଛି। ସରକାରଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରାଯାଇ ବିନା ଦେୟରେ ଛାତ୍ରଛାତ୍ରୀମାନଙ୍କର ନାମଲେଖା କରାଯାଉଥିବାରୁ ଗରୀବ ଓ ମେଧାବୀ ଛାତ୍ରଛାତ୍ରୀମାନେ ଉପକୃତ ହେବା ସହ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ନାହିଁ ବୋଲି ସରକାରଙ୍କର ଏପରି ନିଷ୍ପତିକୁ ବୁଦ୍ଧିଜୀବୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ତେବେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ହୋଇଥିବା କର୍ମଚାରୀମାନେ କିପରି ଭାବେ ଦରମା ସୁବିଧାରେ ପାଇବେ ଏହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
