ବୌଦ୍ଧରେ ସେବା ସଂକଳ୍ପ ଅଭିଯାନରେ ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତି ପାଇଁ ସଚେତନତା
ବୌଦ୍ଧ ଷ୍ଟାଡିୟମ୍ ପରିସରରେ ଆଜି ଆୟୋଜିତ ବିକଶିତ ଭାରତ ସଂକଳ୍ପ ସଭା ଏବଂ ସେବା ସଂକଳ୍ପ ଅଭିଯାନରେ ଯୋଗଦେଇଥିବା କଲେଜ ଛାତ୍ରଛାତ୍ରୀ ଓ ଯୁବକ-ଯୁବତୀମାନଙ୍କୁ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତି ସମ୍ପର୍କରେ ସଚେତନ କରାଯାଇଥିଲା।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ମଂସିତ୍ ସ୍ୱରୂପ ଉପସ୍ଥିତ ରହି ଯୁବ ଭୋଟରମାନଙ୍କୁ ନିର୍ବାଚନୀ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ କରିଥିଲେ। ଏଥିସହ ଫର୍ମ-୬ ବଣ୍ଟନ କରାଯାଇ ଏହାକୁ କିପରି ପୂରଣ କରିବାକୁ ହେବ, ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଦିଆଯାଇଥିଲା।
ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ବ୍ୟକ୍ତି ଏବଂ ନୂତନ ଯୁବ ଭୋଟରମାନଙ୍କୁ ତାଲିକାରେ ସାମିଲ କରିବା ପାଇଁ ଚଳିତ ମାସ ୭, ୮ ଓ ୯ ତାରିଖରେ ସ୍ୱତନ୍ତ୍ର ଅଭିଯାନ ଅନୁଷ୍ଠିତ ହେଉଛି। ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ, ସ୍ୱଚ୍ଛ ଓ ସଠିକ୍ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
୨୦୨୬ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୋଗ୍ୟ ଯୁବକ ଯୁବତୀମାନେ ଏହି ସୁଯୋଗରେ ନିଜ ନାମ ଭୋଟର ତାଲିକାରେ ପଞ୍ଜୀକୃତ କରାଇପାରିବେ। ସେହିପରି, କୌଣସି କାରଣରୁ ଯେଉଁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ଚୂଡ଼ାନ୍ତ ଭୋଟର ତାଲିକାରେ ସ୍ଥାନ ପାଇନାହିଁ, ସେମାନେ ମଧ୍ୟ ଫର୍ମ-୬ ମାଧ୍ୟମରେ ନାମ ଅନ୍ତର୍ଭୁକ୍ତି ପାଇଁ ଆବେଦନ କରିପାରିବେ।
ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଯୋଗ୍ୟ ଯୁବ ଭୋଟର ନିଜ ନିଜ ବୁଥ୍ର ବୁଥ୍ ଲେଭେଲ ଅଫିସର (BLO)ଙ୍କ ନିକଟରେ ଫର୍ମ-୬ ଦାଖଲ କରି ଏହି ସୁଯୋଗର ସଦୁପଯୋଗ କରିବାକୁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ତରଫରୁ ଅନୁରୋଧ କରାଯାଇଛି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
