ମହାନଦୀରେ ଭାସି ଯାଉଥିବା ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ
ଗଣିଆ (ଇପିଏ) ଗଣିଆ ବ୍ଳକ ମହାନଦୀ କୂଳରେ ଅବସ୍ଥିତ ରାଉତପଡା ଗ୍ରାମବାସୀଙ୍କ ଯୋଗୁଁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛି ଗୋଟିଏ ହରିଣ । ମହାନଦୀରେ ବଢି ପାଣି ଆସିଥିବା ବେଳେ ନଦୀକୁ ପାଣି ପିଇବାକୁ ଆସିଥିବା ଗୋଟିଏ ହରିଣ ନଦୀରେ ଭାସି ଯାଉଥିଲା । ସ୍ଥାନୀୟ ଲୋକେ ଏ ଦୃଶ୍ୟକୁ ଦେଖି ପ୍ରାଣପଣେ ଚେଷ୍ଟା କରି ହରିଣ ଟିକୁ ପାଣିରୁ ଉଦ୍ଧାର କରିଥିଲେ । ହରିଣଟିକୁ ଉଦ୍ଧାର କରି ରାଉତପଡା ଭୋଳେଶ୍ବର ମନ୍ଦିର ସମ୍ମୁଖ ଭାଗକୁ ଅଣାଯାଇଥିଲା । ହରିଣ ଟିକୁ ଦେଖିବାକୁ ଗହଳି ଲାଗି ରହିଥିଲା । ଗ୍ରାମବାସୀଙ୍କ ତରଫରୁ ଏ ନେଇ ଗଣିଆ ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗ କର୍ମଚାରୀ ହରିଣଟିକୁ ସେଠାରୁ ଉଦ୍ଧାର କରି ବିଭାଗୀୟ କାର୍ଯ୍ୟାଳୟକୁ ଆଣିଥିବା ଜଣାପଡିଛି । ସେଠାରୁ ତାକୁ ପ୍ରାଣୀ ଚିକିତ୍ସାଳୟକୁ ଆଣି ଆଶୁ ଚିକିତ୍ସା ପରେ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ଫରେଷ୍ଟର ସନ୍ତୋଷ କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।