ମେଘନାଦଠାରେ ଜନଜାତୀୟ ଗୌରବ ଦିବସ ପାଳିତ
ବିର୍ସା ମୁଣ୍ଡାଙ୍କ ତ୍ୟାଗ ଓ ସଂଘର୍ଷକୁ ସ୍ମରଣ; ବୃକ୍ଷରୋପଣ ଓ ସ୍ୱଚ୍ଛତା ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା l
ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ରେ ମହାନ ଜନଜାତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ଜନନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଅବସରରେ ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ମେଘନାଦଠାରେ ପାଳନ କରାଯାଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବା ଭାରତ, ସୁବର୍ଣ୍ଣପୁର ଏବଂ ଦୟା ସରବାନି ଯୋଗ ଟ୍ରଷ୍ଟ, ଉଲୁଣ୍ଡାର ମିଳିତ ସହଯୋଗରେ ଏହି ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ବଳିଆ କର୍ଣ୍ଣ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ, ଦେଶପ୍ରେମ, ତ୍ୟାଗ, ସାହସ ଓ ଅନ୍ୟାୟ ବିରୋଧରେ ତାଙ୍କର ସଂଘର୍ଷ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଜନଜାତି ସମାଜର ଅଧିକାର, ସ୍ୱାଭିମାନ ଓ ସଂସ୍କୃତିର ସୁରକ୍ଷା ପାଇଁ ବିର୍ସା ମୁଣ୍ଡାଙ୍କ ଅବଦାନ ଅବିସ୍ମରଣୀୟ। ତାଙ୍କ ଜୀବନୀ ଆଜିର ଯୁବପିଢ଼ିଙ୍କ ପାଇଁ ସାହସ, ସଂଘର୍ଷ ଓ ସମାଜ ପ୍ରତି ସମର୍ପଣର ଏକ ମହାନ ପ୍ରେରଣା ବୋଲି ସେ ମତ ରଖିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଗୁରୁ ଶମ୍ଭୁ ରାଜ କର୍ଣ୍ଣ ଯୋଗଦେଇ ଯୋଗ ଓ ପ୍ରାକୃତିକ ଜୀବନଶୈଳୀର ଉପକାରିତା ସହ ପରିବେଶ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସୁସ୍ଥ ଶରୀର ପାଇଁ ଯେପରି ଯୋଗ ଆବଶ୍ୟକ, ସେହିପରି ସୁସ୍ଥ ଜୀବନ ଓ ସୁନ୍ଦର ଭବିଷ୍ୟତ ପାଇଁ ସବୁଜ ପରିବେଶ ଅପରିହାର୍ଯ୍ୟ ବୋଲି ସେ କହିଥିଲେ।ଅତିଥି ପରିଚୟ ପ୍ରଦାନ କରି ଦୟା ସାରବାନି ଯୋଗ ଟ୍ରଷ୍ଟର ସମ୍ପାଦକ ଡ. ହୃଷୀକେଶ ଦେହେରୀ ଯୋଗ, ସ୍ୱାସ୍ଥ୍ୟ, ପରିବେଶ ଓ ସାମାଜିକ ସେବା ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଉପରେ ନିଜର ମତ ରଖିଥିଲେ। ଏହି ଅବସରରେ ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ ଓ ପରିବେଶ ସଚେତନତାକୁ କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ସାମିଲ କରାଯାଇଥିଲା। ବିର୍ସା ମୁଣ୍ଡାଙ୍କ ଜୀବନୀ କେବଳ ଇତିହାସର ଏକ ଅଧ୍ୟାୟ ନୁହେଁ, ବରଂ ଏହା ଆତ୍ମସମ୍ମାନ, ଅଧିକାର, ସଂସ୍କୃତି ଓ ପ୍ରକୃତି ସହ ମଣିଷର ସମ୍ପର୍କକୁ ମଜବୁତ କରିବାର ଏକ ପ୍ରେରଣାଦାୟକ ଗାଥା। ତାଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ଯୁବସମାଜ ସମାଜସେବା, ଦେଶପ୍ରେମ ଓ ପରିବେଶ ସୁରକ୍ଷା ଦିଗରେ ଆଗେଇ ଆସିବା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
