ରାମଦୟା ପରିଷଦ ତରଫରୁ ଟଙ୍କ ତୋରାଣି ବଣ୍ଟନ
ପ୍ରବଳ ଖରା ଗୁଳୁଗୁଳିରେ ସିଜୁଛି ସାରା ଓଡିଶା । ଦିନ ୧୦ଟା ପରେ ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇ ପଡୁଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳସ୍ତର କମିବାରେ ଲାଗିଛି । ବଜାର ଘାଟକୁ ଆସୁଥିବା ଲୋକେ ଜଳଟୋପେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ତଙ୍କ ପକ୍ଷେ ପାଣି କିଣି ପିଈବା ସମ୍ଭବପର ନୁହେଁ । ତେବେ ଗଣିଆରେ ଥିବା ରାମଦୟା ପରିଷଦ ତରଫରୁ ରବିବାର ଗଣିଆ ଗାନ୍ଧୀଛକ ଠାରେ ଟଙ୍କ ତୋରାଣି ବଣ୍ଟନ କରାଯାଇଛି । ରାମଦୟା ପରିଷଦ ତରଫରୁ ପ୍ରସ୍ତୁତ କରାଯାଇଥିବା ଏହି ଟଙ୍କ ତୋରାଣି ପୁରୀରେ ମିଳୁଥିବା ଟଙ୍କ ତୋରାଣିର ସ୍ବାଦ ସହିତ ସଂପୂର୍ଣ୍ଣ ମିଶି ଯାଉଛି । ଆଜି ଗଣିଆ ହାଟ ହୋଇଥିବାରୁ ଗଣିଆ ବ୍ଲକ ତଥା ଆଖପାଖ ଅଞ୍ଚଳର ଶହ ଶହ ଲୋକ ଏହି ହାଟକୁ ଆସିଥିବା ବେଳେ ଟଙ୍କ ତୋରାଣି ପାନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି । ଗଣିଆ ବଜାରରେ ପ୍ରଶାସନ ତରଫରୁ ଜଳଛତ୍ରଟିଏ ଖୋଲିବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନ ଚୁପ୍ ବସିଥିବା ବେଳେ ରାମଦୟା ପରିଷଦର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି । ରାମଦୟା ପରିଷଦର ସଭାପତି ଜଗନ୍ନାଥ ଦାଶ, ସମ୍ପାଦକ ସାନୁଜ ରାମ ମିଶ୍ର,ରାକେଶ କୁମାର ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ବେହେରା,ସୁରେଶ ଦାଶ ପ୍ରମୁଖ ଟଙ୍କ ତୋରାଣି ବଣ୍ଟନରେ ସହଯୋଗ କରିଥିଲେ ।
