ଶ୍ମଶାନ ବନ୍ଧୁ ଉଦୟ: ସତ୍କାର କଲେଣି ୧୨୦୦ରୁ ଊର୍ଦ୍ଧ୍ୱ
ଅଚିହ୍ନା ମୃତକ ବି ତାଙ୍କ ପାଇଁ ନିଜର; ୫୪ ବର୍ଷ ବୟସରେ ସେବାର ଅନନ୍ୟ ଉଦାହରଣ ..
ବରଗଡ଼:ଖରା ହେଉ କି ବର୍ଷା, ଶୀତ ହେଉ କି କାକର ପ୍ରକୃତିର ପ୍ରତିକୂଳ ପରିସ୍ଥିତି ତାଙ୍କ କର୍ତ୍ତବ୍ୟବୋଧକୁ କେବେ ଦୋହଲାଇ ପାରିନାହିଁ। ଚିହ୍ନା ହେଉ କି ଅଚିହ୍ନା, ଧନୀ ହେଉ କି ଗରିବ ମୃତ୍ୟୁ ପରେ ସମସ୍ତଙ୍କ ପ୍ରତି ତାଙ୍କ ଆଚରଣ ଏକାକାର। ଖବର ପାଇବା ମାତ୍ରେ ସେ ଛୁଟି ଯାଆନ୍ତି ମୃତକଙ୍କ ଘରକୁ। ପରିବାରର ଜଣେ ସଦସ୍ୟ ଭଳି ମୃତଦେହକୁ କାନ୍ଧ ଦେଇ ଶ୍ମଶାନ ପର୍ଯ୍ୟନ୍ତ ନେଇଯିବା, କାଠ ସଜାଇବା, ମୁଖାଗ୍ନି ପରେ ଚିତା ଜଳିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ନିଜ କାନ୍ଧରେ ନେଇଥାନ୍ତି ସେ। ଏପରି ସେବା ପାଇଁ ଆଜି ସେ ବରଗଡ଼ରେ ‘ଶ୍ମଶାନ ବନ୍ଧୁ’ ଭାବେ ପରିଚିତ। ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ନିକଟସ୍ଥ ଯମୁନାକୋଟ ଗାଁର ମୂଳ ବାସିନ୍ଦା ସ୍ୱର୍ଗତ ଶୁକଦେବ ନାୟକଙ୍କ ପୁଅ ଉଦୟ କୁମାର ନାୟକ। ୫୪ ବର୍ଷ ବୟସରେ ଏଯାଏଁ ସେ ୧୨୦୦ରୁ ଊର୍ଦ୍ଧ୍ୱ ମୃତଦେହର ଅନ୍ତିମ ସତ୍କାରରେ ସାମିଲ ହୋଇସାରିଛନ୍ତି। ଏହା ପଛରେ ନାହିଁ କୌଣସି ସ୍ୱାର୍ଥ, ପ୍ରଚାର କିମ୍ବା ପ୍ରଶଂସାର ଆଶା। ମାନବିକତାକୁ ଜୀବନର ଧର୍ମ ଭାବେ ଗ୍ରହଣ କରି ନିରବରେ ନିଜ କର୍ତ୍ତବ୍ୟ ସମ୍ପାଦନ କରିଚାଲିଛନ୍ତି ଉଦୟ। ଜେଜେଙ୍କ ଅନ୍ତିମ ଯାତ୍ରାରୁ ଆରମ୍ଭ ଉଦୟଙ୍କ ଏହି ଅନନ୍ୟ ବୁଲିବା ଆରମ୍ଭ ହୋଇଥିଲା ତାଙ୍କ ପିଲାଦିନରୁ। ପେଟପାଟଣା ପାଇଁ ତାଙ୍କ ବାପା ଶୁକଦେବ ନାୟକ ୧୯୮୧ ମସିହାରେ ବରଗଡ଼ ଆସି ସିମେଣ୍ଟ କାରଖାନା ନିକଟସ୍ଥ ଖଲିଆପାଲି ଗାଁରେ ଆଶ୍ରୟ ନେଇଥିଲେ।


ସାଇକେଲରେ ଘର ଘର ବୁଲି ପରିବା ବିକ୍ରି କରି ସେ ପରିବାର ପ୍ରତିପୋଷଣ କରୁଥିଲେ। ସେତେବେଳେ ଉଦୟ ଗାଁରେ ଜେଜେଙ୍କ ପାଖରେ ରହି ତୃତୀୟ ଶ୍ରେଣୀରେ ପଢ଼ୁଥିଲେ। ଏହି ସମୟରେ ତାଙ୍କ ଜେଜେଙ୍କ ଦେହାନ୍ତ ହୋଇଥିଲା। ବାପା ଓ କାକା ଗାଁରେ ଉପସ୍ଥିତ ନଥିବାରୁ ପ୍ରଥା ଅନୁସାରେ ଜେଜେଙ୍କ ଅନ୍ତିମ ସଂସ୍କାରର ଦାୟିତ୍ୱ ନାତି ଉଦୟଙ୍କ ମୁଣ୍ଡରେ ପଡ଼ିଥିଲା। ଜେଜେଙ୍କୁ କାନ୍ଧ ଦେବାଠାରୁ ଆରମ୍ଭ କରି ମୁଖାଗ୍ନି ଦେବା ପର୍ଯ୍ୟନ୍ତ ଜଣେ ଛୋଟ ପିଲା ହୋଇ ସେ ଯେଉଁ ଅନୁଭୂତି ଦେଇ ଗତି କରିଥିଲେ, ତାହା ହିଁ ପରବର୍ତ୍ତୀ ଜୀବନରେ ତାଙ୍କ ସେବାର ପଥ ଦେଖାଇଥିଲା। ସେହି ଦିନଠାରୁ ଅନ୍ୟର ଦୁଃଖରେ ନିଜକୁ ସାମିଲ କରିବା ଏବଂ ମୃତକଙ୍କ ଅନ୍ତିମ ଯାତ୍ରାରେ କାନ୍ଧ ଦେବା ତାଙ୍କ ଜୀବନର ଏକ ଅଂଶ ହୋଇଯାଇଛି। ଚାକିରି ସହ ଜାରି ରହିଲା ସେବା ପରବର୍ତ୍ତୀ ସମୟରେ ଉଦୟ ସିମେଣ୍ଟ କାରଖାନାରେ କାର୍ଯ୍ୟାରମ୍ଭ କରିଥିଲେ। ପ୍ରାୟ ତିନିବର୍ଷ ପୂର୍ବେ ସେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ବର୍ତ୍ତମାନ ସିମେଣ୍ଟ ନଗର ନିକଟସ୍ଥ ଆଶାକିରଣ ଅଞ୍ଚଳରେ ଏକ ଛୋଟ ତେଜରାତି ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି। ହେଲେ ଦୋକାନ ଅପେକ୍ଷା ତାଙ୍କ ଅଧିକାଂଶ ସମୟ କଟୁଛି ଶ୍ମଶାନରେ। ତାଙ୍କ ଅନୁପସ୍ଥିତିରେ ଦୋକାନର ଦାୟିତ୍ୱ ଏବେ ତାଙ୍କ ସ୍ତ୍ରୀ ସମ୍ଭାଳୁଛନ୍ତି। କେଉଁଠି କାହାର ମୃତ୍ୟୁ ଘଟିଛି ବୋଲି ଖବର ମିଳିଲେ, ସେଠାରେ ପହଞ୍ଚିବା ତାଙ୍କ ପାଇଁ ଯେପରି ଏକ ଅଲିଖିତ ଦାୟିତ୍ୱ। ମୃତଦେହକୁ କାନ୍ଧ ଦେବା, ଶ୍ମଶାନରେ କାଠ ସଜାଇବା, ଅନ୍ତିମ ସଂସ୍କାରରେ ସହଯୋଗ କରିବା ଏବଂ ଚିତା ନିର୍ବାପନ ପର୍ଯ୍ୟନ୍ତ ସେଠାରେ ରହିବା ସବୁକିଛି ସେ ନିଜ ଦାୟିତ୍ୱ ଭାବେ ଗ୍ରହଣ କରିଥାନ୍ତି। ପ୍ରଚାରଠାରୁ ଦୂରରେ ଉଦୟ ଏତେ ବଡ଼ ସେବା କରିଥିଲେ ମଧ୍ୟ ଉଦୟ ନିଜ ପ୍ରଚାର ପାଇଁ କେବେ ଆଗ୍ରହୀ ହୋଇନାହାନ୍ତି। ନା କୌଣସି ପତ୍ରପତ୍ରିକାରେ ନିଜର ପ୍ରଚାର କରିବାକୁ ଚାହାନ୍ତି, ନା ସୋସିଆଲ ମିଡିଆରେ ନିଜ ସେବାର ପ୍ରଚାର ପାଇଁ କାହାକୁ କହିଛନ୍ତି। ତାଙ୍କ ପାଇଁ ଏହା ପ୍ରଚାରର ବିଷୟ ନୁହେଁ; ବରଂ ମାନବିକତାର ଏକ ସ୍ୱାଭାବିକ କର୍ତ୍ତବ୍ୟ। ଉଦୟଙ୍କ କହିବା କଥା, ମୃତବ୍ୟକ୍ତିଙ୍କ ଶବକୁ କାନ୍ଧ ଦେବା ଓ ଶ୍ମଶାନରେ ତାଙ୍କ ଅନ୍ତିମ ସତ୍କାରରେ ସହଯୋଗ କରିବା ତାଙ୍କୁ ଆତ୍ମତୃପ୍ତି ଦେଇଥାଏ। ତାଙ୍କ ପାଇଁ ଅପରିଚିତ ମଣିଷ ବୋଲି କିଛି ନାହିଁ। ମୃତ୍ୟୁ ପରେ ପ୍ରତ୍ୟେକ ମଣିଷ ତାଙ୍କ ନିଜର। ସ୍ୱାର୍ଥପର ସମାଜ ପାଇଁ ମାନବିକତାର ଉଦାହରଣ ଆଜିର ସମୟରେ ଯେଉଁଠି ନିଜ ସ୍ୱାର୍ଥ ପାଇଁ ମଣିଷ ଅନ୍ୟ ମଣିଷଠାରୁ ଦୂରେଇ ଯାଉଛି, ସେଠାରେ ଉଦୟ ନାୟକଙ୍କ ଏହି ନିରବ ସେବା ନିଶ୍ଚିତ ଭାବେ ଏକ ଭିନ୍ନ ବାର୍ତ୍ତା ଦେଉଛି। ଜୀବନର ଶେଷ ଯାତ୍ରାରେ ଜଣେ ଅପରିଚିତ ମଣିଷର କାନ୍ଧରେ କାନ୍ଧ ମିଳାଇ ଚାଲିବା, ତାଙ୍କ ଅନ୍ତିମ ସଂସ୍କାରରେ ନିଜକୁ ସାମିଲ କରିବା ଏବଂ ପରିବାରର ଅଭାବକୁ ନିଜ ସେବାରେ ଭରଣା କରିବା ଏହି ମାନବିକତା ହିଁ ଉଦୟଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ୧୨୦୦ରୁ ଊର୍ଦ୍ଧ୍ୱ ଶବର ଅନ୍ତିମ ସତ୍କାରରେ ସାମିଲ ହୋଇ ଉଦୟ ଆଜି କେବଳ ‘ଶ୍ମଶାନର ମଣିଷ’ କିମ୍ବା ଶ୍ୱଶାନର ବନ୍ଧୁ ନୁହନ୍ତି; ବରଂ ବରଗଡ଼ ମାଟିରେ ମାନବିକତା, ସେବା ଓ ସମ୍ପର୍କର ଏକ ନିରବ ପ୍ରତୀକ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି।
ବ୍ୟାମକେଶ କର(ସାମ୍ବାଦିକ)
