December 2, 2024
Home » ସମ୍ଭାବ୍ୟ ବାତ୍ୟା ‘ ଦାନା ‘ ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟା ‘ ଦାନା ‘ ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

0

ପୂର୍ବ -ମଧ୍ୟ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଅବପାତ ଆସନ୍ତା ୨୩ ତାରିଖ ସୁଦ୍ଧା ବାତ୍ୟା ର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସକାଳ ସୁଦ୍ଧା ଉତ୍ତର ଓଡ଼ିଶା ପଶ୍ଚିମ ବଙ୍ଗ ତଟ ଦେଇ ପୁରୀ ଏବଂ ସାଗର ଦ୍ଵୀପ ଅତିକ୍ରମ କରିବ।ଯାହାଫଳରେ ଜଗତସିଂହପୁର ଜିଲ୍ଲାରେ ୨୪ଓ ୨୫ ତାରିଖ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହ ୧୧୦ ରୁ ୧୨୦ କି .ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ୨୪ ତାରିଖ ସକାଳୁ ୨୫ ତାରିଖ ପର୍ଯ୍ୟନ୍ତ ରେଡ ୱାର୍ନିଙ୍ଗ ରହିଛି।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ କାଲି ର ପ୍ରସ୍ତୁତି ବୈଠକ ଆଧାର ରେ କାର୍ଯ୍ୟାନୁଷ୍ଠାନ ର ସମୀକ୍ଷା ନିମନ୍ତେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସ୍ଥିତ ଓସ୍ୱାନ ଭି ସି ହଲ୍ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଭାସୀ ମାଧ୍ୟମରେ ଆଉ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଦାନା ର ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ଆଶ୍ରୟ ସ୍ଥଳ ପରିଦର୍ଶନ କରି ସେଠାରେ ଆବଶ୍ୟକୀୟ ଜରୁରୀ ବ୍ୟବସ୍ଥା କୁ ତଦାରଖ କରିବା,ଆଶ୍ରୟ ସ୍ଥଳ ଗୁଡ଼ିକ ବିପଦ ସଙ୍କୁଳ ଅବସ୍ଥା ରେ ଥିଲେ ଅନ୍ୟତ୍ର ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଥିଲେ। ନିଜ ନିଜ ଅଞ୍ଚଳରେ, ବିଶେଷ କରି ଏରସମା, କୁଜଙ୍ଗ, ବାଲିକୁଦା, ନାଉଗାଁ ବ୍ଲକ ରେ ବିଭିନ୍ନ କାର୍ଯ୍ୟାଳୟ ଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସଠିକ୍ ଭାବରେ କାର୍ଯ୍ୟକ୍ଷମ କରିବା, ଆଶ୍ରୟ ସ୍ଥଳ ରେ ଆସ୍କା ଲାଇଟ୍, କଟର, ବ୍ଲିଚିଂ ପାଉଡର,ବିଶୁଦ୍ଧ ପାନୀୟ ଜଳ , ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ ପଦାର୍ଥ ମହଜୁଦ ରଖିବା, ଖାଦ୍ୟ ଯୋଗାଣ ନିମନ୍ତେ ବ୍ୟାପକ ଗାଡି ର ବ୍ୟବସ୍ଥା କରିବା ଓ ଗାଡି ନିମନ୍ତେ ତେଲ ସଂରକ୍ଷିତ ରଖିବା, ଜେନେରେଟର ସେଟ ସହିତ ଡିଜେଲ ବ୍ୟବସ୍ଥା ସୁନିଶ୍ଚିତ କରାଇବାକୁ ପରାମର୍ଶ ଦେଇଥିଲେ। ପାରାଦ୍ୱୀପ ର ଷଣ୍ଢକୁଦ, ଅଠର ବାଙ୍କୀ ପରି ଅନ୍ୟ ତଳିଆ ଜାଗା ଗୁଡ଼ିକୁ ଚିହ୍ନଟ କରି ଉପଯୁକ୍ତ ସମୟରେ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଆଶ୍ରୟ ସ୍ଥଳରେ ନୋଡାଲ ଅଧିକାରୀ ନିଯୁକ୍ତି କରିବା, ଜନପ୍ରତିନିଧି ଙ୍କୁ ଅନ୍ତର୍ଭୁକ୍ତ କରିବା, ପଲିଥିନ ମହଜୁଦ ରଖିବା ପାଇଁ ବିଡ଼ିଓ ଓ ତହସିଲଦାର ମାନଙ୍କୁ ପରାମର୍ଶ ଦେଇଥିଲେ। ଗର୍ଭବତୀ ମହିଳା ତଥା ଶିଶୁ ମାନଙ୍କୁ ସି ଡି ପି ଓ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ବାରା ନିରାପଦ ଭାବେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମା ଗୃହ କୁ ସ୍ଥାନନ୍ତରିତ କରିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ରେ ସାପକାମୁଡା ଔଷଧ ମହଜୁଦ ରଖିବା ଆଦି ବିଷୟରେ ଗୁରୁତ୍ୱାରୋପ କରିଥିଲେ ଜିଲ୍ଲାପାଳ। ସମସ୍ତ ବିଡ଼ିଓ ତହସିଲଦାର, ବିଭାଗୀୟ ଅଧିକାରୀ ମାନେ ମଧ୍ୟ ନିଜ ଅଞ୍ଚଳ ର ବ୍ୟାପକ ପ୍ରସ୍ତୁତି ବିଷୟ ରେ ସୂଚନା ଦେଇଥିଲେ।ଏହି ବୈଠକ ପରେ ଜିଲ୍ଲାପାଳ ଶ୍ରୀ ସୋନାଲ ପାରାଦ୍ୱୀପ ପହଞ୍ଚି ସେଠାରେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ୱୀପ ଙ୍କ କାର୍ଯ୍ୟାଳୟ ରେ ପାରାଦ୍ୱୀପ ସ୍ଥିତ ସମସ୍ତ କାରଖାନା ର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ସହ ଆଲୋଚନା କରି ସମ୍ଭାବ୍ୟ ବାତ୍ୟା ପରିସ୍ଥିତି କୁ ମୁକାବିଲା କରିବା ପାଇଁ ସହଯୋଗ କାମନା କରିଥିଲେ।ପରେ ଜିଲ୍ଲାପାଳ ପାରାଦ୍ୱୀପ, କୁଜଙ୍ଗ ର ବିଭିନ୍ନ ବାତ୍ୟା ପ୍ରବଣ ଅଞ୍ଚଳ , ତଥା ଫିସିଂ ହାର୍ବର୍ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ।ଜିଲ୍ଲା ର ସମସ୍ତ ବରିଷ୍ଠ ଅଧିକାରୀ, ଯଥା ଅତିରିକ୍ତ ଜିଲ୍ଲାପାଳ, ପିଡି, ଉପ ଜିଲ୍ଲାପାଳ, ଜିଲ୍ଲା ର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳ ପରିଦର୍ଶନ କରି ଅତ୍ୟାବଶ୍ୟକୀୟ ସେବା ସୁବ୍ୟବସ୍ଥିତ କରିବା ପାଇଁ ସଂପୃକ୍ତ ବିଡିଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପବନ ର ବେଗ କୁ ଦୃଷ୍ଟିରେ ରଖି ଵିଜ୍ଞାପନ ହୋର୍ଡିଙ୍ଗ, ବିଲବୋର୍ଡ ଗୁଡିକୁ କାଢି ଦେବାକୁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ।ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ଓ ଶିଶୁ ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ‘ଜିରୋ କାଜୁଆଲିଟି ‘ ର ଲକ୍ଷ୍ୟ ସହ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆଜି ଜିଲ୍ଲା ରେ ୬୦ ଜଣ ଏନଡିଆରଏଫ ଆସି ପହଞ୍ଚିଛନ୍ତି। ଏଥି ସହିତ ସ୍ବତନ୍ତ୍ର ରିଲିଫ କମଶନର, ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ତଥା ଜଗତସିଂହପୁର ର ପୂର୍ବତନ ଜିଲ୍ଲାପାଳ ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ ଆସନ୍ତା କାଲି ଜିଲ୍ଲା ର ସ୍ଵତନ୍ତ୍ର ଅଧିକାରୀ ଭାବେ ଯୋଗଦେଇ ବାତ୍ୟା ପରିସ୍ଥିତି ଅନୁଧ୍ୟାନ କରିବେ।ବାତ୍ୟା ପରେ ବିଦ୍ୟୁତ ପୁନଃରୁଦ୍ଧାର କରିବା, ଭାଙ୍ଗି ଥିବା ବୃକ୍ଷ କାଟିବା ପାଇଁ ଜେ ସି ବି ବ୍ୟବସ୍ଥା,କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏଥିସହତ ସମସ୍ତ ଜିଲ୍ଲାବାସୀ ଙ୍କୁ ଭୟଭୀତ ନ ହୋଇ, ଗୁଜବ ର ଶିକାର ନହୋଇ, ସତ୍ୟାସତ୍ୟ ଅନୁସନ୍ଧାନ ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *