ସର୍ବଶ୍ରେଷ୍ଠ ଡ୍ରାଇ ବଲ୍କ କାର୍ଗୋ ବନ୍ଦର ଭାବେ ଉଭା ହେଲା ପାରାଦୀପ ବନ୍ଦର ପ୍ରାଧିକରଣ
ପାରାଦୀପ – ପାରାଦୀପ ବନ୍ଦର ପ୍ରାଧିକରଣ କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ ସାଗର ଆଙ୍କଳନ ପୁରସ୍କାରରେ ଶୀର୍ଷ ସ୍ଥାନ ଅର୍ଜନ କରି ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସଫଳତା ସାଧନ କରିଛି। ଏହି ସଫଳତା ପାରାଦୀପ ବନ୍ଦରର ଦେଶର ସର୍ବଶ୍ରେଷ୍ଠ କାର୍ଯ୍ୟଦକ୍ଷ ବନ୍ଦରମାନଙ୍କ ମଧ୍ୟରୁ ପ୍ରଥମ ବନ୍ଦର ଭାବେ ନିଜ ସ୍ଥିତି କୁ ମଜବୁତ କରିବା ସହ କାର୍ଗୋ ହ୍ୟାଣ୍ଡଲିଂ, ପରିଚାଳନା ଦକ୍ଷତା ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ଉତ୍କର୍ଷକୁ ପ୍ରକାଶ କରିଛି।ଏହି ପୁରସ୍କାର ଗତ ଶନିବାର ସନ୍ଧ୍ୟାରେ ମୁମ୍ବାଇରେ ଆୟୋଜିତ ଏକ ବିଶେଷ ସମାରୋହରେ ପ୍ରଦାନ କରାଯାଇଥିଲା, ଯେଉଁଠାରେ ପାରାଦୀପ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ପି.ଏଲ୍.ହରନାଦ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଠାରୁ ସାଗର ଆଙ୍କଳନ ପୁରସ୍କାର ଗ୍ରହଣ କରିଥିଲେ।ଏଥିସହ ପାରାଦୀପ ବନ୍ଦର ୫ ମିଲିୟନ୍ ଟନ୍ ଓ ତତୁର୍ଦ୍ଦ୍ୱ କାର୍ଗୋ ହ୍ୟାଣ୍ଡଲିଂ ବର୍ଗରେ ଡ୍ରାଇ ବଲ୍କ କାର୍ଗୋ ପରିଚାଳନାରେ ଭାରତରେ ୧ ନମ୍ବର ସ୍ଥାନ ଅର୍ଜନ କରିଛି।

ଏହି ସଫଳତା ବନ୍ଦରର ବଲ୍କ କାର୍ଗୋ କ୍ଷେତ୍ରରେ ନେତୃତ୍ୱ ଓ ଦେଶର ଶିଳ୍ପ ଏବଂ ଉର୍ଜା ଆପୂର୍ତ୍ତି ଶୃଙ୍ଖଳରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସୁଦୃଢ କରିଛି । ସେହିପରି, କଣ୍ଟେନର କାର୍ଗୋ ପରିଚାଳନାରେ ୦.୫ ମିଲିୟନ୍ ଟିଇୟୁ ଠାରୁ କମ୍ ବର୍ଗରେ ପାରାଦୀପ ବନ୍ଦର ପ୍ରାଧିକରଣ ତୃତୀୟ ସ୍ଥାନ ଅଧିକାର କରିଛି। ଏହା ବନ୍ଦରର କଣ୍ଟେନର ଅପରେସନ୍ କ୍ଷେତ୍ରରେ ବୃଦ୍ଧିଶୀଳ କ୍ଷମତା ଓ ବିଭିନ୍ନ କାର୍ଗୋ ସେଗମେଣ୍ଟରେ ସମର୍ଥ ସେବା ପ୍ରଦାନ କରିବାର ପ୍ରତିବଦ୍ଧତାକୁ ପ୍ରକାଶ କରେ।ସମାରୋହରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଲଜିଷ୍ଟିକ୍ସ ପୋର୍ଟ ପରଫର୍ମାନ୍ସ ଇଣ୍ଡେକ୍ସ ଉନ୍ମୋଚନ କରିଥିଲେ, ଯାହା ଭାରତୀୟ ବନ୍ଦରମାନଙ୍କ ଦକ୍ଷତା, ପ୍ରତିସ୍ପର୍ଧା କ୍ଷମତା ଓ ସେବା ମାନଦଣ୍ଡ ମାପିବା ପାଇଁ ସାଗର ଆଙ୍କଳନ ଅନ୍ତର୍ଗତ ଏକ ଜାତୀୟ ମାନଦଣ୍ଡ ଢାଞ୍ଚା ।ପୁରସ୍କାରଗୁଡ଼ିକ ବନ୍ଦର ପରିଚାଳନା କାର୍ଯ୍ୟଦକ୍ଷତା, କାର୍ଗୋ ହ୍ୟାଣ୍ଡଲିଂ, ପୂର୍ବାଧାର ଉପଯୋଗ, ଟର୍ନଅରାଉଣ୍ଡ ସମୟ, ଲଜିଷ୍ଟିକ୍ସ ସହଜତା ଏବଂ ଗ୍ରାହକ ସେବାରେ ଉତ୍କର୍ଷକୁ ସ୍ୱୀକୃତି ଦେଇଥାଏ। ପାରାଦୀପ ବନ୍ଦରର ଦୁଇଟି ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ ଏହାର ଆଧୁନିକୀକରଣ, ଡିଜିଟାଲ୍ ରୂପାନ୍ତରଣ ଓ ପରିଚାଳନା ଉତ୍କର୍ଷ ପ୍ରତି ଲଗାତାର ଧ୍ୟାନକୁ ପ୍ରତିଫଳିତ କରେ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଥିଲେ ଯେ ଏଲପିପିଆଇ ଭାରତୀୟ ବନ୍ଦରମାନଙ୍କ ମଧ୍ୟରେ ଅଧିକ ପାରଦର୍ଶିତା, କାର୍ଯ୍ୟଦକ୍ଷତା ଏବଂ ବିଶ୍ୱସ୍ତରୀୟ ପ୍ରତିସ୍ପର୍ଧା କ୍ଷମତା ବୃଦ୍ଧି କରିବ।ତେବେ ଏହି ସଫଳତାରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହରନାଦ କହିଛନ୍ତି ଯେ “ଏହି ସମ୍ମାନ ପାରାଦୀପ ବନ୍ଦର ପରିବାରର ସମସ୍ତ କର୍ମଚାରୀ, ଷ୍ଟେକହୋଲ୍ଡର, ପୋର୍ଟ ୟୁଜର୍ସ ଏବଂ ବ୍ୟବସାୟିକ ସହଯୋଗୀଙ୍କ ଅବଦାନର ପ୍ରତିଫଳନ । ଡ୍ରାଇ ବଲ୍କରେ ପ୍ରଥମ ସ୍ଥାନ ଏବଂ କଣ୍ଟେନର କାର୍ଗୋରେ ତୃତୀୟ ସ୍ଥାନ ହାସଲ କରିବା ଆମର ଦକ୍ଷତା, କାର୍ଯ୍ୟକ୍ଷମତା ଏବଂ ଗ୍ରାହକ ସନ୍ତୋଷ ପ୍ରତି ନିରନ୍ତର ପ୍ରତିବଦ୍ଧତାକୁ ପ୍ରମାଣ କରେ। ଆମେ ଭାରତର ସମୁଦ୍ରୀୟ କ୍ଷେତ୍ରକୁ ଆହୁରି ମଜବୁତ କରିବା ପାଇଁ ଏବଂ ଦେଶର ଆର୍ଥିକ ବିକାଶକୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧ।”ଏହି ସମ୍ମାନ ପାରାଦୀପ ବନ୍ଦର ପ୍ରାଧିକରଣର ଭାରତର ଏକ ଅଗ୍ରଣୀ ସମୁଦ୍ରୀୟ ଗେଟୱେ ଏବଂ ବ୍ୟବସାୟ, ଲଜିଷ୍ଟିକ୍ସ ଓ ଆର୍ଥିକ ବିକାଶର ଏକ ମୁଖ୍ୟ ଚାଳକ ଭାବେ ତାହାର ସ୍ଥାନକୁ ମଜବୁତ କରିଛି ।
prasanta dash nka report
