October 18, 2026
Home » ସିଗମା ପବ୍ଲିକ ସ୍କୁଲରେ ନବରାତ୍ର ଉପଲକ୍ଷେ ଦାଣ୍ଡିଆ ନୃତ୍ୟ

ସିଗମା ପବ୍ଲିକ ସ୍କୁଲରେ ନବରାତ୍ର ଉପଲକ୍ଷେ ଦାଣ୍ଡିଆ ନୃତ୍ୟ

0
WhatsApp Image 2026-10-18 at 2.54.16 PM (1)

 

ନବରାତ୍ର ଉପଲକ୍ଷେ ଖୋର୍ଦ୍ଧାସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ପକ୍ଷରୁ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।ଭାରତୀୟ ପରମ୍ପରା, ସଂସ୍କୃତି ଓ ଲୋକନୃତ୍ୟର ମହତ୍ତ୍ୱକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜିତ ହୋଇଥିଲା।ବିଦ୍ୟାଳୟର ଚେୟାରମ୍ୟାନ୍ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବକୁ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ବରିଷ୍ଠ ପରିଚାଳକ ସ୍ନେହାଞ୍ଜଳି ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ମାହାରୀ ନୃତ୍ୟଶିଳ୍ପୀ ରୋଜାଲିନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।ବିଦ୍ୟାଳୟର ଡିନ୍ ବନଦୁର୍ଗା ଶାହାଙ୍କ ନିର୍ଦ୍ଦେଶନାରେ ଅନେଶ୍ୱତା ପଟ୍ଟନାୟକ ଓ ରଚିତା ସ୍ୱାଇଁଙ୍କ ସଂଯୋଜନାରେ ଛାତ୍ରୀମାନେ ଆକର୍ଷଣୀୟ ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ନବରାତ୍ରରେ ଦାଣ୍ଡିଆ ନୃତ୍ୟର ପରମ୍ପରା ଓ ଏହାର ସାଂସ୍କୃତିକ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ପାରମ୍ପରିକ ପୋଷାକ ପରିଧାନ କରି ସଙ୍ଗୀତର ତାଳେ ତାଳେ ହାତରେ ଦାଣ୍ଡିଆ କାଠି ଧରି ଛାତ୍ର,ଛାତ୍ରୀ ମାନେ ମନୋମୁଗ୍ଧକର ନୃତ୍ୟ ପ୍ରଦର୍ଶନ କରିଥିଲେ।ଏଥିରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ମଧ୍ୟ ସାମିଲ ହୋଇ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର,ଛାତ୍ରୀଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ଆଗ୍ରହ ବୃଦ୍ଧି ସହ ସାମୂହିକ ଅଂଶଗ୍ରହଣ ଓ ସାଂସ୍କୃତିକ ଏକତାର ବାର୍ତ୍ତା ପ୍ରସାରିତ ହୋଇଥିଲା।

Leave a Reply

Your email address will not be published. Required fields are marked *