July 14, 2026
Home » ସୁବର୍ଣପୁର ରେ ଜିଲ୍ଲା ସ୍ତରୀୟ ପଣ୍ଡିତ ଗୋପବନ୍ଧୁ ଙ୍କ ଶ୍ରାଦ୍ଧୋତ୍ସବ ପାଳିତ l

ସୁବର୍ଣପୁର ରେ ଜିଲ୍ଲା ସ୍ତରୀୟ ପଣ୍ଡିତ ଗୋପବନ୍ଧୁ ଙ୍କ ଶ୍ରାଦ୍ଧୋତ୍ସବ ପାଳିତ l

0
WhatsApp Image 2026-07-14 at 6.00.22 PM

 

ସୁବର୍ଣ୍ଣପୁର— ‘ପଛ ଘୁଞ୍ଚା ନାହିଁ ବୀରର ଜାତକେ, ନମରେ ସେ କେବେ ପରାଣ ଆତଙ୍କେ….’ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ କେବେ ପଛଘୁଞ୍ଚା ଦେଇ ନଥିଲେ ନିଜର କର୍ତ୍ତବ୍ୟ ପଥରେ। ସେ ସର୍ବଦା ବୀରତ୍ୱର ସହ ଲଢ଼େଇ କରି ଦୀନଦରିଦ୍ରଙ୍କ ସେବା କରୁଥିଲେ। ତେଣୁ ବର୍ତ୍ତମାନ ଯୁବସମାଜ ସେହି ମହାପୁରୁଷଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେବାକୁ ନିଜର ବ୍ରତ ଭାବରେ ଗ୍ରହଣ କଲେ ତାହା ଆଜି ଭଳି ଏକ ପୁଣ୍ୟ ତିଥିରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ହେବ ବୋଲି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି।
ଜିଲ୍ଲା ପ୍ରଶାସନ ଓ ‘ସମାଜ’ ପରିବାରର ମିଳିତ ସହଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନ ଯୋଗ ଦେଇ ସେବାରେ କେବେବି ପାତର ଅନ୍ତର ନଥାଏ। ସର୍ବଦା ପରସ୍ପରକୁ ସ୍ନେହ, ଶ୍ରଦ୍ଧା ଦେବା ଉଚିତ ବୋଲି କହିଥିଲେ। ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ ସେଭଳି ଜଣେ ବ୍ୟକ୍ତି ଯିଏ ସେବାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରି ପରସ୍ପର ପ୍ରତି ସ୍ନେହ ଓ ଶ୍ରଦ୍ଧା ପ୍ରଦର୍ଶନ କରୁଥିଲେ । ତେଣୁ ବର୍ତ୍ତମାନର ଯୁବସମାଜ ସେହି ମହାପୁରୁଷଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେଲେ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ବୋଲି ସେ କହିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବରେ ସୋନପୁର କଲେଜର ଓଡ଼ିଆ ବିଭାଗ ମୁଖ୍ୟ ଡ. ସୌରଭ ରଞ୍ଜନ ଖମାରୀ ଯୋଗ ଦେଇ ସ୍ୱାଧୀନତା ପୂର୍ବବର୍ଷର ଅସହଯୋଗ ଆନ୍ଦୋଳନରେ ଉତ୍କଳମଣୀଙ୍କ ଭୂମିକା ଅବିସ୍ମରଣୀୟ ବୋଲି କହିଥିଲେ। ଏପରିକି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତାଙ୍କୁ ଜାତୀୟ ଆନ୍ଦୋଳନରେ ଓଡ଼ିଶାର ପିତା ବୋଲି ବର୍ଣ୍ଣନା କରିଥିଲେ। କିନ୍ତୁ ସେଭଳି ଜଣେ ମହାପୁରୁଷଙ୍କୁ ଯେଉଁ ସମ୍ମାନ ମିଳିବା କଥା, ତାହା ଆଜି ପର୍ଯ୍ୟନ୍ତ ତାଙ୍କୁ ମିଳିପାରି ନାହିଁ ବୋଲି ସେ ମତ ପ୍ରକାଶ କରିଥିଲେ। ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ କହିଥିଲେ ଯେ, ସେବାର ଜଣେ ମୂର୍ତ୍ତିମନ୍ତ ପ୍ରତୀକ ପଣ୍ଡିତ ଉତ୍କଳମଣୀ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନଥିଲେ, ସେ ଓଡ଼ିଆ ସାହିତ୍ୟ ଜଗତର ଜଣେ ଧ୍ରୁବତାରା ଥିଲେ। ତାଙ୍କର କାଳଜୟୀ କବିତା ‘ବନ୍ଦୀର ଆତ୍ମକଥା’, ‘ଧର୍ମପଦ’ ଓ ‘ଅବକାଶ ଚିନ୍ତା’ ଏବେବି ସମସ୍ତଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ତେଣୁ ସେହି ମହାପୁରୁଷଙ୍କ ନୀତି ଓ ଆଦର୍ଶ ସହ ସେବା ମନୋଭାବ ନେଇ କାର୍ଯ୍ୟ କଲେ ଏକ ସୁସ୍ଥ ସମାଜ ଗଠନ ସମ୍ଭବପର ବୋଲି ସେ ମତ ପ୍ରକାଶ କରିଥିଲେ।
ଆରମ୍ଭରେ ‘ସମାଜ’ର ଜିଲା ପ୍ରତିନିଧି ସ୍ୱାଧୀନ ମେହେର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ସଙ୍ଗଠନ ‘ରେଆର’ର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଂଯୋଜନା କରିଥିଲେ। ଶେଷରେ ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ଓ ଅଭିନେତା ନାଟ୍ୟଶ୍ରୀ ଗଦାଧର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
ସୋନପୁର ଉପ ଜିଲ୍ଲାପାଳ ଡ. ସୌମ୍ୟାରୂପା ରଥ ତାଙ୍କର କାର୍ଯ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରୀତି ସୁନା, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରଦୀପ ପୁରୋହିତ, ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଜ୍ୟୋତିରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ରଘୁମଣୀ ଦେହେରୀ, ବୀମା ପରାମର୍ଶଦାତା ଆର୍ତ୍ତତ୍ରାଣ ହୋତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ସହାୟକ ମାନଭଞ୍ଜନ ପଟ୍ଟନାୟକ, ପ୍ରିୟଦର୍ଶିନୀ, ଅଶୋକମୋହନ ଜେନା, ଚମରା ବିଶି, ଭାଗୀରଥ ମହାଲିକ, ଜିଲାପାଳଙ୍କ କାର୍ଯ୍ୟାଳୟର ପୃଥୀରାଜ ଥନାପତି ପ୍ରମୁଖଙ୍କ ସହ ସାହାରା ଟ୍ରଷ୍ଟ ହାଇସ୍କୁଲର ଛାତ୍ରଛାତ୍ରୀ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, କବି, ଲେଖକ, ସାହିତ୍ୟିକ ଓ ବରିଷ୍ଠ ନାଗରିକ ସାମିଲ ହୋଇଥିଲେ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *