ସୁବର୍ଣ୍ଣପୁରରେ ନବଜାତ ଶିଶୁ ମୃତ୍ୟୁ ଘଟଣା
ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ତଦନ୍ତ ରିପୋର୍ଟ ଦେଲେ ଜିଲ୍ଲାପାଳ l
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏମସିଏଚ (ପ୍ରସୂତିକାଳୀନ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର)ରେ ଚିକିତ୍ସା ଅବହେଳାରୁ ନବଜାତକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା I ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାଶଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ତିନି ଜଣିଆ ବିଶେଷଜ୍ଞ ଡାକ୍ତର କମିଟି ଏହି ଘଟଣାର ତଦନ୍ତ କରିଥିଲେ I ଡାକ୍ତର ଦାଶ ଏହି ରିପୋର୍ଟକୁ ଜିଲ୍ଲାପାଳଙ୍କୁ ଗତ 17 ତାରିଖରେ ପ୍ରଦାନ କରିଥିଲେ I ଏହି ରିପୋର୍ଟରେ ଚିକିତ୍ସା ଅବହେଳାରୁ ନବଜାତକଙ୍କ ମୃତ୍ୟୁ ଅଭିଯୋଗକୁ ଅସ୍ବୀକାର କରାଯିବା ସହ ଭୁଲ ବୁଝାମଣାରୁ ଏଭଳି ହୋଇଥିବା, ଏପରିକି ଶିଶୁକୁ ବାହାର କ୍ଷୀର ଦିଆଯିବାରୁ ଗଳା ସଂକ୍ରମଣ କାରଣରୁ ମୃତ୍ୟୁ ହୋଇଥିବା ଉଲ୍ଲେଖ କରାଯାଇଥିଲା I ତେବେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଘଟଣାକୁ ଗୁରୁତର ସହ ନିଆ ଯାଇଥିଲା I ଶିଶୁ ମୃତ୍ୟୁର ସଠିକ୍ କାରଣ ନିର୍ଦ୍ଧାରଣ ପାଇଁ ତଦନ୍ତ କରି ସବିଶେଷ ବିବରଣୀ ଦେବା ନିମନ୍ତେ ଗତ 18 ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା l 20 ତାରିଖ ସୁଦ୍ଧା ତଦନ୍ତ ଶେଷ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଥିଲା I ଜିଲ୍ଲାପାଳ ଡ.ନୃପରାଜ ସାହୁ ନିଜେ ଚିକିତ୍ସାଳୟକୁ ଯାଇ ନବଜାତକଙ୍କ ମା, ବାପା, ସୋନପୁର ଉପଜିଲ୍ଲାପାଳଡ.ସୌମ୍ୟାରୂପା ରଥ, ସିଡିଏମ ଏଣ୍ଡ ପିଏଚଓ ଡାକ୍ତର ଉଷାରାଣୀ ଦାଶ, ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ଦୁର୍ଗାଦତ୍ତ ଦାଶ, ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଡାକ୍ତର କ୍ଷୀରୋଦ୍ର କୁମାର ମିଶ୍ରଙ୍କ ସହିତ ଆଲୋଚନା କରି ଶିଶୁ ମୃତ୍ୟୁର ସଠିକ୍ କାରଣ ସମ୍ପର୍କରେ ସବିଶେଷ ବିବରଣୀ ସଂଗ୍ରହ କରିଥିଲେ I ଜିଲ୍ଲାପାଳ ଉକ୍ତ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବଙ୍କୁ ପଠାଇଥିବା ଜଣାପଡିଛି I
ଅଭିଯୋଗ ଅନୁଯାୟୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପତ୍ରାପାଲି ଗ୍ରାମର ସୁରେନ୍ଦ୍ର ନାଏକଙ୍କ ସ୍ତ୍ରୀ ଜୟନ୍ତୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଗତ 13 ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତୀକାଳିନ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରେରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ I ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ତ୍ରୋପଚାର ପରେ ଜୟନ୍ତୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ I ଶିଶୁପୁତ୍ରର ଓଜନ 1 କିଲୋ 820 ଗ୍ରାମ ଥିଲା I ଶିଶୁ ପୁତ୍ରର ଆବଶ୍ୟକତା ଠାରୁ କମ ଓଜନ ଥିବାରୁ ଦାୟିତ୍ବରେ ଥିବା ଡାକ୍ତର ଉକ୍ତ ଶିଶୁକୁ ଏସଏନସିୟୁ (ସ୍ବତନ୍ତ୍ର ଶିଶୁ ଯତ୍ନ ୟୁନିଟ)ରେ ଭର୍ତ୍ତି କରିବାକୁ ଲେଖିଥିଲେ I କିନ୍ତୁ କାର୍ଯ୍ୟରତ ସେବିକା ( ନର୍ସ )ଡାକ୍ତରଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଶିଶୁକୁ ମାଙ୍କ ସହ ରଖି କିଛି ଟୀକା ଦେଇଥିଲେ I ପର ଦିନ ଶିଶୁକୁ ପୁଣି ଟୀକା ଦେବା ପାଇଁ ନିଆ ଯାଇଥିଲା I ଶିଶୁକୁ ଏସଏନସିୟୁରେ ରଖିବାକୁ ଡାକ୍ତର ଲେଖିଛନ୍ତି, ତୁମେ କାହିଁକି ରଖିଲ ନାହିଁ ବୋଲି ଅନ୍ୟଜଣେ ସେବିକା ଶିଶୁଙ୍କ ମା ଓ ବାପାଙ୍କୁ କହିଥିଲେ I ତେବେ ପରେ ଜ୍ବର ହେବା ପରେ ଶିଶୁର ମୃତ୍ୟୁ ହୋଇଥିଲା I ପରିବାର ଲୋକ ସେବିକାଙ୍କ ଗୁରୁତର ଅବହେଳାରୁ ନବଜାତକ ଆଖି ବୁଜିଲେ ବୋଲି ଅଭିଯୋଗ କରିଥିଲେ I ପରେ ପରେ ଗଣମାଧ୍ୟମରେ ଏହି ଖବର ପ୍ରଚାରିତ ହେବା ପରେ ଘଟଣା ଟି ଲୋକ ଲୋଚନକୁ ଆସିଥିଲା ଓ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ କହିଥିଲେ I ତେବେ ଜିଲ୍ଲାପାଳ ତଦନ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିବା ଜଣାଯାଇଛି I ଏବେ ରାଜ୍ୟ ସରକାର ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓ ଏପରି ଦୁଃଖଦ ଘଟଣା ନିବାରଣ ପାଇଁ କିଭଳି ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
