ସ୍ୱାଧୀନତା ଦିବସ ଉପଲକ୍ଷେ ଧର୍ମଗଡ଼ରେ ଉପଖଣ୍ଡସ୍ତରୀୟ କୁଇଜ୍ ପ୍ରତିଯୋଗିତା
ଧର୍ମଗଡ : ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବ୍ୟବହିତ ପୂର୍ବରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ଠାରେ ବୁଧବାର ଉପଜିଲ୍ଲାପାଳ ମିସ୍ ପ୍ରେକ୍ଷା ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧର୍ମଗଡ଼ ଉପଖଣ୍ଡସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏଥିରେ ଧର୍ମଗଡ଼ ଉପଖଣ୍ଡ ଅନ୍ତର୍ଗତ ୬ଟି ବ୍ଲକ୍ ସମେତ ୩ଟି ଏନ୍ଏସିର ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ।
ଜୁନିୟର ବର୍ଗରେ କଲମପୁର ବ୍ଲକ ଦଳ ବିଜେତା ହୋଇଥିବା ବେଳେ ଜୁନାଗଡ଼ ବ୍ଲକ୍ ଦଳ ଉପବିଜେତା ହୋଇଥିଲା। ସେହିପରି ସିନିୟର ବର୍ଗରେ ଜୟପାଟଣା ବ୍ଲକ ଦଳ ବିଜେତା ହୋଇଥିବା ବେଳେ ଧର୍ମଗଡ଼ ଏନ୍ଏସି ର ଦଳ ଉପବିଜେତା ହୋଇଥିଲେ।କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶ୍ରୀମତୀ ସୋନମ୍ ଅଗ୍ରୱାଲ କୁଇଜ୍ ମାଷ୍ଟର ଭାବେ ପ୍ରତିଯୋଗିତାକୁ ସୁଚାରୁରୂପେ ପରିଚାଳନା କରିଥିଲେ। ସହାୟକ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ଆୟୋଜନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଧର୍ମଗଡ଼ ଏନ୍ଏସିର କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।ଧର୍ମଗଡ଼ ଉପଖଣ୍ଡ ପୋଲିସ୍ ଅଧିକାରୀ ଭର୍ଷିତା ଅପେଡୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଧର୍ମଗଡ଼ ଉପଖଣ୍ଡରେ ପ୍ରୋଜେକ୍ଟର ମାଧ୍ୟମରେ ଏଭଳି କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯିବା ପ୍ରଥମ ଘଟଣା ହୋଇଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଥିଲା। ପ୍ରତିଯୋଗିତାକୁ ଅଧିକ ଆକର୍ଷଣୀୟ ଓ ରୋଚକ କରିବା ପାଇଁ ଏଥିରେ ବିଭିନ୍ନ ପର୍ଯ୍ୟାୟରେ ପ୍ରଶ୍ନୋତ୍ତର ରାଉଣ୍ଡ, ଅଡିଓ-ଭିଡିଓ ରାଉଣ୍ଡ, ରାପିଡ୍ ଫାୟାର୍ ରାଉଣ୍ଡ ଏବଂ ବଜର୍ ରାଉଣ୍ଡ ଆୟୋଜନ କରାଯାଇଥିଲା। ପ୍ରତ୍ୟେକ ରାଉଣ୍ଡରେ ପ୍ରତିଯୋଗୀମାନେ ନିଜର ଜ୍ଞାନ, ଉପସ୍ଥିତ ବୁଦ୍ଧି ଓ ତ୍ୱରିତ ନିଷ୍ପତ୍ତି କ୍ଷମତାର ପ୍ରଦର୍ଶନ କରିଥିଲେ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନ ଆହରଣ ଓ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ଏକ ସୁସ୍ଥ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ଦିଗରେ ଉପଜିଲ୍ଲାପାଳ ମିସ୍ ପ୍ରେକ୍ଷା ଅଗ୍ରୱାଲଙ୍କ ଏହି ଅଭିନବ ପ୍ରୟାସକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଥିଲେ।ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ବିଜୟୀ ଦଳ ଭବାନୀପାଟଣାଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
