November 7, 2026
Home » ଆସନ୍ତା ଡିସେମ୍ବର ୧୩ରେ ପୁରୀରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ମାନର ମାରାଥନ

ଆସନ୍ତା ଡିସେମ୍ବର ୧୩ରେ ପୁରୀରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ମାନର ମାରାଥନ

0
WhatsApp Image 2026-11-07 at 12.20.36 PM

 

ପୁରୀ:-ଓଡ଼ିଶା ଖଣି ନିଗମ (OMC) ର ପ୍ରାୟୋଜକତ୍ୱ ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଆସନ୍ତା ଡିସେମ୍ବର ୧୩ ତାରିଖରେ ପୁରୀରେ ଏକ ଭବ୍ୟ ମାରାଥନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ପୁରୀର ପାନ୍ଥନିବାସ ଠାରେ ହୋଟେଲ ମାଲିକ ଏବଂ ସୁତନ, ଛଇତନା ଓ ବଡ ଗାଁ ପଞ୍ଚାୟତର ସରପଞ୍ଚମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମାରାଥନକୁ ଅତ୍ୟନ୍ତ ସଫଳ ଏବଂ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ହୋଟେଲ ମାଲିକ ଓ ସରପଞ୍ଚମାନଙ୍କର ସକ୍ରିୟ ସହଯୋଗ କାମନା କରାଯାଇଛି l

ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବଳବନ୍ତ ସିଂ କହିଥିଲେ ଯେ, ଏହି ମାରାଥନ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ରହିବ। ଏହା ଉଭୟ ସମୁଦ୍ର ବାଲି ଏବଂ ରାସ୍ତାରେ କରାଯିବ; ଅର୍ଥାତ୍ ଅଂଶଗ୍ରହଣକାରୀମାନେ କିଛି ଅଂଶ ବାଲିରେ ଏବଂ କିଛି ଅଂଶ ରାସ୍ତାରେ ଦୌଡ଼ିବେ। ଏହି ମାରାଥନର ରୁଟ୍ ନିର୍ଦ୍ଧାରଣ ଏବଂ ଏହାକୁ କିଭଳି ଅନ୍ତର୍ଜାତୀୟ ସ୍ତରରେ ଆୟୋଜନ କରାଯିବ, ସେନେଇ ସମସ୍ତେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ଏହା ଓଡ଼ିଶାର ଟେକ ରଖିବା ସହ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ଦେବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ ବୈଠକରେ ଯୋଗଦେଇ ମାରାଥନ ପାଇଁ ସ୍ଥାନୀୟ ବ୍ୟବସ୍ଥା ଏବଂ ଦୃଢ଼ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ପୁରୀ ମହାନଗର ନିଗମ କମିଶନର ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା ଯୋଗଦେଇ ପ୍ରଶାସନ ପକ୍ଷରୁ ନିଜ ବିଭାଗର ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରାଯିବ ବୋଲି କହିଥିଲେ।

ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ରହି କହିଥିଲେ ଯେ, ଏଭଳି ଏକ ଅନ୍ତର୍ଜାତୀୟ ମାରାଥନ ଓଡ଼ିଶାକୁ ବିଶ୍ୱ ଦରବାରରେ ଅଧିକ ପରିଚିତ କରାଇବ। ଏଥିସହିତ ରେସ ଡାଇରେକ୍ଟର ଅବସରପ୍ରାପ୍ତ ଭାରତୀୟ ପୋଲିସ ସେବା ଅଧିକାରୀ ଶ୍ରୀ କ୍ରିଷ୍ଣା ପ୍ରକାଶ ମଧ୍ୟ ମତବ୍ୟକ୍ତ କରିଥିଲେ ଯେ, ଏପରି ଆୟୋଜନ ପୁରୀ ତଥା ସମଗ୍ର ଓଡ଼ିଶା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିବ। ବୈଠକରେ ଉପସ୍ଥିତ ହୋଟେଲ ମାଲିକ ଓ ସରପଞ୍ଚମାନେ ମଧ୍ୟ ମାରାଥନର ସଫଳତା ପାଇଁ ଅନେକ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *