ଛାତ୍ରଛାତ୍ରୀମାନଙ୍କୁ ମୂର୍ଖ କରିବା ପାଇଁ ପ୍ରସ୍ତୁତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ବଜର୍ନ କରନ୍ତୁ
ସାମ୍ବାଦିକ ସମ୍ମିଳନୀରେ ଓଡିଶାର ସ୍ୱାଭିମାନୀ ଜନଗଣଙ୍କୁ ଏଆଇଡିଏସଓ ର ଆବେଦନ
ଭୁବନେଶ୍ୱର :ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ମୂର୍ଖ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ସଂପୂର୍ଣ୍ଣ ବର୍ଜନ କରିବାକୁ ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏଆଇଡିଏସଓ ପକ୍ଷରୁ ଓଡ଼ିଶାର ସ୍ୱାଭିମାନୀ ଜନଗଣଙ୍କୁ ଆବେଦନ କରାଯାଇଛି । ଏହା ସହ ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରିତ ଅବୈଜ୍ଞାନିକ ପାଠ୍ୟକ୍ରମ ତଥା ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା, ବିଜ୍ଞାନସମ୍ମତ ପାଠ୍ୟକ୍ରମ ଭିତ୍ତିକ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନ ହେବା ଯାଏଁ ଗତ ବର୍ଷ ବହିରେ ଶିକ୍ଷାଦାନ କରିବା, ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀଙ୍କ ସମେତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ କଠୋର ଶାସ୍ତିଦେବା, ଜାତୀୟ ଶିକ୍ଷା ନୀତି -୨୦୨୦ ବାତିଲ କରିବା ପାଇଁ ଏଆଇଡିଏସଓ ଦାବି କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏଆଇଡିଏସଓର ରାଜ୍ୟ ସଭାପତି ସୋମନାଥ ବେହେରା, ସଂପାଦକ ସିଦ୍ଧାର୍ଥ ରଥ, ଉପ-ସଭାପତି ଭାଗ୍ୟରବି ଦାସ, ଅଫିସ୍ ସଂପାଦକ ନସିମ୍ ସରକାର ଏବଂ କୋଷାଧ୍ୟକ୍ଷା ସପ୍ତର୍ଷିନୀ ରାଉଳ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଏହି ଶିକ୍ଷା ବିରୋଧୀ ନୀତିକୁ ଦୃଢ଼ ନିନ୍ଦା କରିଥିଲେ ।
ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଆଧାରରେ ରାଜ୍ୟ ବିଜେପି ସରକାର ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ନୂତନ ପାଠ୍ୟପୁସ୍ତକ ଛାପିଛନ୍ତି, ତାହା ଭୁଲରେ ଭର୍ତ୍ତି । ବର୍ତ୍ତମାନ ସୁଦ୍ଧା ୨୬୦୦ ଅଧିକ ତଥ୍ୟଗତ ଓ ବନାନଗତ ତ୍ରୁଟି ଧରା ପଡ଼ିସାରିଥିବା ବେଳେ ଏହି ନିରୀକ୍ଷଣ ପ୍ରକ୍ରିୟା ଜାରି ରହିଛି ଏବଂ ଆଗକୁ ଆହୁରି ହଜାର ହଜାର ଭୁଲ ବାହାରିବାର ସମ୍ଭାବନା ରହିଛି । ସବୁଠାରୁ ଉଦ୍ବେଗଜନକ ବିଷୟ ହେଉଛି, କେବଳ ବନାନ ନୁହେଁ ବରଂ ପାଠ୍ୟକ୍ରମରେ ଅନେକ ଅବୈଜ୍ଞାନିକ, ଅଯୌକ୍ତିକ ତଥା ମନଗଢ଼ା କାହାଣୀ ସ୍ଥାନିତ କରାଯାଇଛି, ଯାହା ଶିକ୍ଷାର ମୂଳଦୁଆକୁ ସଂପୂର୍ଣ୍ଣ ଧ୍ୱଂସ କରିବ । ସରକାର ନିଜର ଭୁଲ୍ ଲୁଚାଇବାକୁ ଯାଇ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ଏକ ‘ସଂଶୋଧନ ଦଲିଲ\’ ପ୍ରସ୍ତୁତ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଏହି ସଂଶୋଧନ ଦଲିଲରେ ମଧ୍ୟ ବ୍ୟାପକ ତ୍ରୁଟି ରହିଛି । ସଂଶୋଧନ ଦଲିଲରେ ଯେତିକି ଭୁଲ୍ ଦର୍ଶାଯାଇଛି ତା\’ଠାରୁ ବହୁ ଅଧିକ ଭୁଲ୍ ସାମ୍ନାକୁ ଆସୁଛି । ଏହା ସରକାରୀ ବ୍ୟବସ୍ଥାର ଚରମ ଅପାରଗତାକୁ ଦର୍ଶାଉଛି । ଏହି ସଂଶୋଧନ ଦଲିଲ ଦେଇ ଶିକ୍ଷକମାନଙ୍କୁ ଅଧିକ ଚାପଗ୍ରସ୍ତ କରି ସରକାର ନିଜର କର୍ତ୍ତବ୍ୟ ସମ୍ପାଦନର ହୀନ ପ୍ରୟାସ କରିଛନ୍ତି । ଏହାକୁ ମଧ୍ୟ ସଂଗଠନ ପକ୍ଷରୁ କଠୋର ଭାଷାରେ ନିନ୍ଦା କରାଯାଇଛି । ଅନ୍ୟଦିଗରେ ସରକାରୀ ପାଠ୍ୟ ପୁସ୍ତକ ମୁଦ୍ରଣ ସଂସ୍ଥା ଓ ସରକାରୀ ମୁଦ୍ରଣ ସଂସ୍ଥା ଥିବା ସତ୍ତ୍ୱେ ଘରୋଇ ସଂସ୍ଥାକୁ ପାଠ୍ୟ ପୁସ୍ତକ ମୁଦ୍ରଣ ପାଇଁ ଦିଆଯାଇଛି । ଏଥିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଆଇଡିଏସଓ ପକ୍ଷରୁ ବାରମ୍ବାର ସତର୍କ କରାଇ ଦିଆଯାଇଥିଲା ଯେ ଜାତୀୟ ଶିକ୍ଷା ନୀତି-୨୦୨୦ ହେଉଛି ଏକ ଶିକ୍ଷା ଧ୍ୱଂସକାରୀ ନୀତି । ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାଂପ୍ରଦାୟୀକରଣ, ଧନ୍ଦାମୁଖୀକରଣ ଓ କେନ୍ଦ୍ରୀକରଣ । ଆଜି ସମଗ୍ର ଭାରତବର୍ଷ ତଥା ଆମ ରାଜ୍ୟରେ ଥିବା ଡବଲ ଇଞ୍ଜିନ ସରକାର ଏହି ନୀତିକୁ ଲାଗୁ କରି ସରକାରୀ ଶିକ୍ଷା ବ୍ୟବସ୍ଥାର ସଂପୂର୍ଣ୍ଣ ବିନାଶ ପାଇଁ ବାଟ ଫିଟାଇଛନ୍ତି । ଗୋଟାଏ ଦିଗରେ ସରକାରୀ ସ୍କୁଲ ବନ୍ଦ କରୁଛନ୍ତି, ଶିକ୍ଷକ ନିଯୁକ୍ତି ଦେଉନାହାନ୍ତି ଅନ୍ୟ ଦିଗରେ ଏଭଳି ଅବୈଜ୍ଞାନିକ ପାଠ୍ୟକ୍ରମ ଭିତ୍ତିକ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶ କରି ସରକାରୀ ଶିକ୍ଷା ବ୍ୟବସ୍ଥାକୁ ପୁରାପୁରି ରୁଗ୍ଣ କରୁଛନ୍ତି । ଯେଉଁ ବୟସରେ ଏକ ଛାତ୍ରର ବୌଦ୍ଧିକ ଓ ମୌଳିକ ବିକାଶ ଆରମ୍ଭ ହୁଏ, ସେହି ବୟସରେ ସେମାନଙ୍କ ମସ୍ତିଷ୍କରେ ମନଗଢ଼ା ଓ ଅଯୌକ୍ତିକ ବିଷୟ ପୂରାଇ ସେମାନଙ୍କୁ କୂପମଣ୍ଡୁକ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ପାଠ୍ୟକ୍ରମର ଏହି ଢାଞ୍ଚାଗତ ପରିବର୍ତ୍ତନ ଶିକ୍ଷାର ଗୈରିକୀକରଣ ଓ ସାଂପ୍ରଦାୟୀକରଣ ଦିଗକୁ ନିର୍ଦ୍ଦେଶିତ କରୁଛି ବୋଲି ଆଜିର ସମ୍ମିଳନୀରେ ଏଆଇଡିଏସଓ ପକ୍ଷରୁ କୁହାଯାଇଛି । ଏଆଇଡିଏସଓ ଆସନ୍ତା ଦିନରେ ଏହି ଆନ୍ଦୋଳନକୁ ରାଜ୍ୟର ପ୍ରତ୍ୟେକ ବ୍ଲକ ଏବଂ ବିଦ୍ୟାଳୟ ସ୍ତରରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛି । ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷାପ୍ରେମୀ ଜନଗଣଙ୍କୁ ସାମିଲ କରି ଏହି ଗଣଆନ୍ଦୋଳନକୁ ଆହୁରି ତୀବ୍ରତର ତଥା ଶକ୍ତିଶାଳୀ କରାଯିବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ଏଆଇଡିଏସଓର ନେତୃବୃନ୍ଦ ଘୋଷଣା କରିଛନ୍ତି ।
