ନବରଙ୍ଗପୁର ଜିଲ୍ଲାରେ ନାବାର୍ଡର ଅର୍ଦ୍ଧବାର୍ଷିକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାରେ ନାବାର୍ଡ (NABARD) ପକ୍ଷରୁ କାର୍ଯ୍ୟାନ୍ୱିତ ବିଭିନ୍ନ କାର୍ଯ୍ୟକ୍ରମ, ପ୍ରକଳ୍ପ ଓ କୃଷକ ଉତ୍ପାଦକ ସଂଗଠନ (FPO) ଗୁଡ଼ିକର କାର୍ଯ୍ୟକଳାପର ଅର୍ଦ୍ଧବାର୍ଷିକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଆଜି ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ମହେଶ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାବାର୍ଡର ସହଯୋଗରେ ପ୍ରୋତ୍ସାହିତ ହେଉଥିବା ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ (FPO) ଗୁଡ଼ିକର କାର୍ଯ୍ୟକଳାପ ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ନବରଙ୍ଗପୁର ଜିଲ୍ଲାରେ କୃଷି ଉତ୍ପାଦନ ବୃଦ୍ଧି ସହିତ କୃଷିଜାତ ଉତ୍ପାଦର ପ୍ରକ୍ରିୟାକରଣ, ମୂଲ୍ୟ ସଂଯୋଜନ ଓ ଉତ୍ପାଦର ଗୁଣବତ୍ତା ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହ କୃଷକମାନେ ସେମାନଙ୍କ ଉତ୍ପାଦର ଉଚିତ ବଜାର ସୁବିଧା ପାଇବା ସହିତ ଅଧିକ ଆୟ କରିପାରିବା ଦିଗରେ ସମନ୍ୱିତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।
ବୈଠକରେ ଲିଡ୍ ବ୍ୟାଙ୍କ ମ୍ୟାନେଜର ଶ୍ରୀ ଗୋପାଳ କୃଷ୍ଣ ପଣ୍ଡା, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀ ସୁବ୍ରତ ମହାନ୍ତି, କୃଷି ବିଜ୍ଞାନ କେନ୍ଦ୍ର, ଉମରକୋଟର ବରିଷ୍ଠ ବୈଜ୍ଞାନିକ ଡ. ଶଶାଙ୍କ ଲେଙ୍କା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ ଏବଂ କୋରାପୁଟ ଜିଲ୍ଲା ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଐଶ୍ୱର୍ଯ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ଉପସ୍ଥିତ କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧି ଓ ଯୁବ ଉଦ୍ୟମୀ କୃଷକମାନଙ୍କୁ ବିଭିନ୍ନ ଦିଗରେ ମାର୍ଗଦର୍ଶନ କରାଯାଇଥିଲା। ନାବାର୍ଡ ଦ୍ୱାରା ଜିଲ୍ଲାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ସଫଳତାର ସହ କାର୍ଯ୍ୟାନ୍ୱୟନ କରିବା ସହିତ କୃଷକମାନଙ୍କୁ ଏହାର ସୁଫଳ ପହଞ୍ଚାଇବା ପାଇଁ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦିଆଯାଇଥିଲା।
ବୈଠକରେ ନାବାର୍ଡର ଜିଲ୍ଲା ଅଧିକାରୀ ଶ୍ରୀ ବାଉରୀବନ୍ଧୁ ଗୋଛାୟତ କାର୍ଯ୍ୟକ୍ରମର ସଂଯୋଜନା କରି ନବରଙ୍ଗପୁର ଜିଲ୍ଲାରେ ନାବାର୍ଡ ପକ୍ଷରୁ କାର୍ଯ୍ୟାନ୍ୱିତ ବିଭିନ୍ନ ଯୋଜନା, ପ୍ରକଳ୍ପ ଓ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ସେ କୃଷକ ଉତ୍ପାଦକ ସଂଗଠନଗୁଡ଼ିକର ବ୍ୟବସାୟିକ କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ କରିବା, କୃଷିଜାତ ଉତ୍ପାଦର ଉଚିତ ମୂଲ୍ୟ ସୁନିଶ୍ଚିତ କରିବା, ବଜାର ସହିତ ସଂଯୋଗ ସ୍ଥାପନ କରିବା ଏବଂ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଉପଯୁକ୍ତ ଭାବେ ସଂଯୋଜିତ ହୋଇ ସରକାରଙ୍କ ବିଭିନ୍ନ ଯୋଜନା ଓ ଆର୍ଥିକ ସୁବିଧାର ସୁଯୋଗ ନେବା ସମ୍ପର୍କରେ କୃଷକମାନଙ୍କୁ ଅବଗତ କରାଇଥିଲେ।
ବୈଠକରେ ନାବାର୍ଡର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି, FPO ଗୁଡ଼ିକର କାର୍ଯ୍ୟଦକ୍ଷତା, କୃଷି ଉତ୍ପାଦର ବଜାରୀକରଣ, ମୂଲ୍ୟ ସଂଯୋଜନ, ଋଣ ସୁବିଧା ଏବଂ କୃଷକମାନଙ୍କ ଆୟ ବୃଦ୍ଧି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ଓ ସମୀକ୍ଷା କରାଯାଇଥିଲା। ଜିଲ୍ଲାର କୃଷି ଓ ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ଦିଗରେ ସମସ୍ତ ବିଭାଗ ଓ ସମ୍ପୃକ୍ତ ସଂସ୍ଥାର ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା।
