ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ସଚେତନତା ପଦଯାତ୍ରା ୨୦୨ ଦିନରେ
“ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ, ଭକ୍ତିରେ ନାହିଁ ଭେଦଭାବ।”
ପୁରୀ, : ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ପୁନଃସ୍ଥାପନ ଦାବିରେ ଜାରି ରହିଥିବା ଅହିଂସାତ୍ମକ ସଚେତନତା ପଦଯାତ୍ରା ଆଜି ୨୦୨ ଦିନରେ ପହଞ୍ଚିଛି। ଦୀର୍ଘ ଦିନ ଧରି ଚାଲିଥିବା ଏହି ନୀରବ ସତ୍ୟାଗ୍ରହ ପୁରୀବାସୀଙ୍କ ଆସ୍ଥା, ଆତ୍ମସମ୍ମାନ ଓ ସମାନ ଅଧିକାର ପ୍ରତି ଅତୁଟ ସଙ୍କଳ୍ପର ପ୍ରତୀକ ପାଲଟିଛି। ଗତ ୧ ଏପ୍ରିଲ ଉତ୍କଳ ଦିବସ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏବଂ ପରଦିନ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ଜନଜାଗରଣ ପଦଯାତ୍ରାରେ ପ୍ରତିଦିନ ସିଂହଦ୍ୱାର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଦାବି ଉପସ୍ଥାପନ କରାଯାଉଛି। ଏହି ଆନ୍ଦୋଳନ କାହାରି ବିରୋଧରେ ନୁହେଁ; ବରଂ ଜଗନ୍ନାଥ ସଂସ୍କୃତିର ସମତା, ମାନବିକତା ଓ ସାର୍ବଜନୀନ ଆଦର୍ଶର ସୁରକ୍ଷା ପାଇଁ ଏକ ଅହିଂସାତ୍ମକ ଜନପ୍ରୟାସ।

ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀ ସହର ଓ ସଦରବାସୀଙ୍କ ପାଇଁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ଅହିଂସାତ୍ମକ ସତ୍ୟାଗ୍ରହ ନିରନ୍ତର ଜାରି ରହିବ।ଆଜିର ଏହି ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ବିଶ୍ୱନାଥ ମିଶ୍ର, ନୃସିଂହନାଥ ନାୟକ, ଅଞ୍ଜୁବାଳା ମହାନ୍ତି, ଭାରତୀ ମହାନ୍ତି, ମମତା ସ୍ୱାଇଁ, ରମେଶ ଚନ୍ଦ୍ର ମହାନ୍ତି, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ଅଭିମନ୍ୟୁ ରାୟଗୁରୁ, ବରୁଣ ମହାପାତ୍ର, କାଶୀନାଥ ସାହୁ ଓ ମାନସ ପଟ୍ଟନାୟକ ପ୍ରମୁଖ ପଦଯାତ୍ରୀ ଭାବେ ଯୋଗଦେଇଥିଲେ। ଜୟ ଶ୍ରୀଜଗନ୍ନାଥ ! 🙏
