June 3, 2026
Home » ପୋଥି ଅଧ୍ୟୟନ, ଗବେଷଣା ଏବଂ ସଂରକ୍ଷଣ ସମସ୍ତଙ୍କ ଦାୟିତ୍ୱ’

ପୋଥି ଅଧ୍ୟୟନ, ଗବେଷଣା ଏବଂ ସଂରକ୍ଷଣ ସମସ୍ତଙ୍କ ଦାୟିତ୍ୱ’

0
WhatsApp Image 2026-06-02 at 5.41.17 PM

ଓଡ଼ିଶା ଭର୍ଚୁଆଲ ଏକାଡେମୀ ପକ୍ଷରୁ ପୋଥିବିଜ୍ଞାନ କର୍ମଶାଳା ଉଦଘାଟିତ

ଭୁବନେଶ୍ୱର: କୌଣସି ଜାତିର ପରିଚୟ କେବଳ ତାହାର ଭୂଖଣ୍ଡ, ରାଜନୈତିକ ଇତିହାସ କିମ୍ବା ଅର୍ଥନୈତିକ ସମୃଦ୍ଧିରେ ନୁହେଁ; ବରଂ ତାହାର ସଂରକ୍ଷିତ ଜ୍ଞାନ, ସ୍ମୃତି ଓ ସାଂସ୍କୃତିକ ଉତ୍ତରାଧିକାରରେ ନିହିତ । ସେହି ଉତ୍ତରାଧିକାରର ସବୁଠାରୁ ପ୍ରାମାଣିକ ଓ ଜୀବନ୍ତ ଦଲିଲ ହେଉଛି ପୋଥି ଓ ପାଣ୍ଡୁଲିପି । ପୋଥି ସଂରକ୍ଷଣ, ଅଧ୍ୟୟନ ଓ ଗବେଷଣା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ପୋଥିବିଜ୍ଞାନ ସମ୍ବନ୍ଧୀୟ କର୍ମଶାଳା ଉଦଘାଟନ କରି ବିଶିଷ୍ଟ ପୋଥିବିଜ୍ଞାନୀ ତଥା ଜାତୀୟ ପାଣ୍ଡୁଲିପି ମିଶନର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି ।ଓଡ଼ିଶା ଭର୍ଚୁଆଲ ଏକାଡେମୀ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ଏକାଡେମୀର ସଚିବ ଡ. ପ୍ରଦୀପ କୁମାର ରାଉତ ପାଣ୍ଡୁଲିପି ସମ୍ପଦର ସନ୍ଧାନ, ସର୍ବେକ୍ଷଣ, ସଂରକ୍ଷଣ, ଡିଜିଟାଲ ରୂପାନ୍ତରଣ, ବର୍ଣ୍ଣନାତ୍ମକ ସୂଚୀକରଣ, ସମ୍ପାଦନା, ପ୍ରକାଶନ ଏବଂ ଗବେଷଣାର ପ୍ରସାର ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ପୋଥିବିତ ପ୍ରଫେସର ହରେକୃଷ୍ଣ ମିଶ୍ର କହିଥିଲେ ଯେ ପୋଥିଗୁଡିକର ସଠିକ ପଠନ ଦ୍ୱାରା ଭାରତୀୟ ଜ୍ଞାନ ପରମ୍ପରାର ସଂରକ୍ଷଣ ଓ ବିକାଶ ସମ୍ଭବ ହୋଇ ପାରିବ । ସେ କହିଥିଲେ ଯେ କର୍ମଶାଳାର ମୂଳ ଲକ୍ଷ୍ୟ କେବଳ ପାଣ୍ଡୁଲିପି ସମ୍ବନ୍ଧରେ ସାଧାରଣ ସୂଚନା ପ୍ରଦାନ କରିବା ନୁହେଁ; ବରଂ ପାଣ୍ଡୁଲିପି ଅଧ୍ୟୟନକୁ ଏକ ସୁସଂହତ ଶାସ୍ତ୍ରୀୟ ଅନୁଶୀଳନ ଭାବରେ ପ୍ରତିଷ୍ଠିତ କରିବା ।

ରାଜଧାନୀ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ମୁଖ୍ୟ ତଥା ଏହି କର୍ମଶାଳାର ପାଠ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ବିଭୁତି ଭୂଷଣ ମହାପାତ୍ର ପାଣ୍ଡୁଲିପି ବିଜ୍ଞାନ, ଲିପିବିଜ୍ଞାନ, କୋଡିକୋଲୋଜି, ପାଠୋଦ୍ଧାର, ପାଠ ସଂଶୋଧନ, ସମାଲୋଚନାତ୍ମକ ସମ୍ପାଦନା, ବର୍ଣ୍ଣନାତ୍ମକ ସୂଚୀ ପ୍ରସ୍ତୁତି, ଡିଜିଟାଲ ସଂରକ୍ଷଣ ଓ ଗବେଷଣା ପ୍ରଣାଳୀ ଭଳି ବିଷୟଗୁଡ଼ିକୁ ଏହି କର୍ମଶାଳାରେ ସାମିଲ କରାଯାଇଛି ବୋଲି କହିଥିଲେ ।
ଓଡ଼ିଶା ଭର୍ଚୁଆଲ ଏକାଡେମୀ ପକ୍ଷରୁ ବରିଷ୍ଠ ପ୍ରବନ୍ଧକ ସ୍ମୃତି ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ଦେବାନନ୍ଦ ଭଞ୍ଜ, ବରିଷ୍ଠ ଅଧିକାରୀ ଶ୍ରୀନିବାସ ମିଶ୍ର ଅନ୍ୟ ବୈଷୟିକ ବିଶେଷଜ୍ଞମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଦଶ ଦିନ ଧରି ହେବାକୁ ଥିବା ଏହି କର୍ମଶାଳାରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ୬୦ରୁ ଊର୍ଦ୍ଧ୍ୱ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଦୈନିକ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବିଦ୍ୱାନମାନେ ବୈଷୟିକ ଅଧିବେଶନଗୁଡିକରେ ତାଲିମ ପ୍ରଦାନ କରିବେ ।

Leave a Reply

Your email address will not be published. Required fields are marked *