ବଡ଼ବିଲ ଅବକାରୀ ବିଭାଗର ବଡ଼ ଚଢ଼ାଉ
୨୦୦୦ କେଜି ମହୁଲି ପଚୋ ଓ ୩୮୦ ଲିଟର ଦେଶୀ ମଦ ଜବତ ୪ ଗିରଫ, ୩ ମୋଟରସାଇକେଲ ଜବତ
ଯୋଡ଼ା: କେନ୍ଦୁଝର ଜିଲ୍ଲା ବଡ଼ବିଲ ଅବକାରୀ ବିଭାଗ ପକ୍ଷରୁ ରୁଗୁଡ଼ି ଓ ବୋଲାଣି ଥାନା ଅଞ୍ଚଳରେ ବେଆଇନ ଦେଶୀ ମଦ କାରବାର ବିରୋଧରେ ବ୍ୟାପକ ଚଢ଼ାଉ କରାଯାଇଛି। ବାରବାଙ୍କ ଜଙ୍ଗଲ ରାସ୍ତା, ପାଚେରୀ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ହୋଇଥିବା ଏହି ଚଢ଼ାଉରେ ବିପୁଳ ପରିମାଣର ଅବକାରୀ ସାମଗ୍ରୀ ଜବତ ହୋଇଛି।ଅବକାରୀ ବିଭାଗର ସୂଚନା ଅନୁଯାୟୀ, ଚଢ଼ାଉ ସମୟରେ ପ୍ରାୟ ୨୦୦୦ କେଜି ମହୁଲି ପଚୋ ଓ ୩୮୦ ଲିଟର ଦେଶୀ ମଦ ଜବତ କରାଯାଇଛି।

ଏହି ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କରାଯିବା ସହ ୩ଟି ମୋଟରସାଇକେଲ ଜବତ କରାଯାଇଛି।ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତି ଓ ଚାଲାଣ ଉପରେ ରୋକ୍ ଲଗାଇବା ଉଦ୍ଦେଶ୍ୟରେ ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ବଡ଼ବିଲ ଅବକାରୀ ବିଭାଗର ଏହି ଅଭିଯାନ ପରେ ରୁଗୁଡ଼ି ଓ ବୋଲାଣି ଅଞ୍ଚଳରେ ବେଆଇନ ମଦ କାରବାରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।ତେବେ ବେଆଇନ ମଦ କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ବଡ଼ବିଲ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଜବତ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
