ବିଜେପୁରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା : ବଢିଲା ଲୋକଗହଳି ଓ ଜନସାଧାରଣଙ୍କ ଉତ୍ସାହ
ବିଜେପୁର : ବରଗଡରେ ଆୟୋଜିତ ବିଭିନ୍ନ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ନିମିତ୍ତ ଓଡିଶା ସରକାରଙ୍କ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ପାଟଣାଗଡ଼ରୁ ପଦ୍ମପୁର ଦେଇ ବିଜେପୁର ପହଞ୍ଚିଥିଲେ । ଏହି ଅବସରରେ ରାଜନୈତିକ ଉତ୍ସାହ, ଜନସମାଗମ ଓ ସ୍ବାଗତର ଉତ୍ସବମୁଖର ପରିବେଶରେ ସ୍ଥାନୀୟ ବିଜେପୁର ବସଷ୍ଟାଣ୍ଡ ଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡତିୟାଙ୍କ ନେତୃତ୍ବରେ ପୂର୍ବରୁ ବିଜେପୁର ସହରରେ ଉତ୍ସବର ପରିବେଶ ଜାତ ହୋଇଥିଲା ।


ବିଧାୟକ ଶ୍ରୀଯୁକ୍ତ ଗଡତିୟାଙ୍କ ସହିତ ସ୍ଥାନୀୟ ତହସିଲଦାର ମୁକେଶ୍ବର ପାଣିଗ୍ରାହୀ, ଏନଏସି ଇଓ, ପୁରୁଷ ମହିଳା ସମେତ ଶତାଧିକ କର୍ମୀ ଓ ସମର୍ଥକ ଆଗ୍ରହର ସହିତ ପୁଷ୍ପଗୁଚ୍ଛ, ଫୁଲମାଲ୍ୟ ଓ ଉପଢୌକନ ଦେଇ ସ୍ବାଗତ ଜଣାଇବା ବେଳେ ଆନ୍ତରିକତାର ଜୟଧ୍ବନୀରେ ପରିବେଶଟି ଆହୁରି ଉତ୍ସାହମୁଖର ହୋଇଉଠିଥିଲା । ସ୍ବାଗତ ସମାରୋହ ପରେ ଉପମୁଖ୍ୟମନ୍ତ୍ରୀ ସ୍ଥାନୀୟ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ଅଞ୍ଚଳର ବିକାଶ, ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଏବଂ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ନେଇ ମତ ବିନିମୟ ପରେ ସରକାରଙ୍କ ଜନକଲ୍ୟାଣକରୀ ଯୋଜନାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ସହିତ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ କରିବା ନିମିତ୍ତ ଗୁରୁତ୍ବାରୋପ କରିଥିଲେ । ଏହାପରେ ବରଗଡ଼ ଅଭିମୁଖେ ଯାତ୍ରା କରିଥିଲେ। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ତଥା ଶାନ୍ତିଶୃଙ୍ଖଳା ରକ୍ଷା ନିମିତ୍ତ ଆଇଆଇସି ସୁଶାନ୍ତମଣି ମହାନ୍ତି ସହରର ପ୍ରମୁଖ ଛକ ଓ ଗୁରୁତ୍ବପୂୂର୍ଣ୍ଣ ସ୍ଥାନଗୁଡ଼ିକରେ ପୁଲିସ ମୁତୟନ କରାଇ ସୂଚାରୁ ରୂପେ ଦାୟିତ୍ବ ତୁଳାଇଥିଲେ ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
