ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ଚାରିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଚନ୍ଦନପୁର ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତ ହେଉଛନ୍ତି ବଳଙ୍ଗା ଥାନା ଅଞ୍ଚଳର ସୟଦ ଲକି ଅଲ୍ଲି, ଏସ୍ କେ ସଲମାନ୍, ସଦିକ ସାହା ଏବଂ ଜମଲ୍ ସାହା। ପୋଲିସ ଏମାନଙ୍କ ଠାରୁ ଗୋଟିଏ ପିସ୍ତଲ, ପାଞ୍ଚୋଟି ମୋବାଇଲ ଫୋନ୍, ଗୋଟିଏ ସ୍କର୍ପିଓ ଗାଡ଼ି, ମାରଣାସ୍ତ୍ର ଜବତ କରିଛି। ପୁରୀ ଏସପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପୁରୀ ଏସପି ଙ୍କ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଓଣ୍ଡର ଓ୍ବାର୍ଲ୍ଡ ଓ୍ବାଟର ପାର୍କ ପାଖରେ ସାତ ରୁ ଆଠଜଣ ଅସାଧୁ ବ୍ୟକ୍ତି ଗୋ ଚାଲାଣ ପାଇଁ ଯୋଜନା କରୁଥିଲେ। ପୋଲିସ ପାଖରେ ଏନେଇ ବିଶେଷ ସୂତ୍ରରୁ ଖବର ପହଞ୍ଚିଥିଲା।

ତୁରନ୍ତ ପୋଲିସ ଟିମ୍ ସେଠାରେ ଚଢାଉ କରିଥିବା ବେଳେ ସ୍କର୍ପିଓ ଗାଡ଼ି ସହିତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। କିନ୍ତୁ ଅନ୍ୟ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଏହି ଅଭିଯୁକ୍ତ ମାନେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଅଞ୍ଚଳରେ ସକ୍ରିୟ ରହିଥାନ୍ତି। ଅଭିଯୁକ୍ତ ମାନେ ବିଭିନ୍ନ ସ୍ଥାନରୁ ଗାଡ଼ି ଚୋରି କରି ବେଆଇନ ଭାବେ ଗୋ-ଚାଲାଣ କରିଥାନ୍ତି। ଏଣୁ ଏମାନଙ୍କୁ ଧରିବା ପାଇଁ ପୋଲିସ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଖୁବଶୀଘ୍ର ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବ ବୋଲି ଏସପି ସୂଚନା ଦେଇଛନ୍ତି।
