ଯୌତୁକ ପ୍ରଥା ବିରୋଧ ରେ ଏକ ସାମାଜିକ ସନ୍ଦେଶ
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଜିଲ୍ଲାସ୍ତରୀୟ ସାମୁହିକ ବିବାହ କାର୍ଯ୍ୟକ୍ରମ ରେ ୧୭ ଯୋଡ଼ା ବରବଧୂଙ୍କ ବିବାହ l
ସୁବର୍ଣ୍ଣପୁର: ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ଆଜି ରାଜ୍ୟର ୨୭ଟି ଜିଲ୍ଲାରେ ୧,୦୦୦ରୁ ଉର୍ଦ୍ଧ୍ୱ କନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଆଜି ସୋନପୁର ଟାଉନ ହଲ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି। କାର୍ଯ୍ୟକ୍ରମରେ ମାନ୍ୟବର ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତୀଙ୍କୁ ଆଶୀର୍ବାଦ ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଂକଳ୍ପ, ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ। ଏହି ଯୋଜନା କେବଳ ବିବାହ ଉତ୍ସବ ନୁହେଁ, ବରଂ ସାମାଜିକ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ଦିଗରେ ଓଡ଼ିଶା ସରକାରଙ୍କ ଏକ ଦୃଢ଼ ସଂକଳ୍ପ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଯୋଜନାର ସ୍ୱତନ୍ତ୍ର ବିଶେଷତା । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ସମେତ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନ, ଉପଜିଲ୍ଲାପାଳ ଡ଼. ସୌମ୍ୟାରୂପା ରଥ, ଡିଏସପି ରେଣୁକା ସୁନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବୀଣାପାଣି ମିଶ୍ର, ସମାଜସେବୀ ବେଣୁଧର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ ନୂତନ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ରେଅର ର ଅନଙ୍ଗ ନେଗୀ ଏବଂ ମନୋଜ ସ୍ୱାଇଁ ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।
ସୂଚନାଯୋଗ୍ୟ କି, ଆଜି ସୁବର୍ଣ୍ଣପୁର ଜିଲ୍ଲାର ୫ଟି ବ୍ଲକ୍ରୁ ୩ଟି ଲେଖାଏଁ ଯୋଡି ଆସିଥିବା ବେଳେ ବିନିକା ବ୍ଲକ୍ରୁ ୨ଟି ଯୋଡି ଆସିଥିଲେ। ସେମାନଙ୍କ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ବରକନ୍ୟା ରହିଥିଲେ। ବିବାହ କରିଥିବା ସମସ୍ତ ୧୭ ଜଣ କନ୍ୟାଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୪୫ ହଜାର ଟଙ୍କା ସିଧାସଳଖ କନ୍ୟାମାନଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଥିବା ବେଳେ ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପରିବାରବର୍ଗ ଏବଂ ଜିଲ୍ଲା ପ୍ରଶାସନ ତଥା ସମାଜ କଳ୍ୟାଣ ବିଭାଗର ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଛି। ବିବାହ ସମ୍ପୂର୍ଣ୍ଣ ପରେ ସମସ୍ତ ନବବିବାହିତ ଦମ୍ପତି ଯୌତୁକ ପ୍ରଥା ବିରୋଧରେ ପ୍ରତିଜ୍ଞା ନେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିବାହ ପରେ ଗୋଟିଏ ଲେଖାଏଁ ଗଛ ସମସ୍ତ ଦମ୍ପତିଙ୍କୁ ପ୍ରଦାନ କରାଯାଇଥିଲା, ସେମାନେ ଏହାର ଯତ୍ନ ନେବେ ଏବଂ ସେହି ଗଛର ଜୀବନ ତାଙ୍କର ବିବାହର ସମୟର ପ୍ରତୀକ ହେବ। ଏହି ଅବସରରେ ଇଂ ରଘୁନାଥ ଜଗଦଲା ମଧ୍ୟ ସମସ୍ତ ନୂତନ ଦମ୍ପତିଙ୍କୁ ଉପହାର ଦେଇଥିଲେ। ଜିଲ୍ଲା ଓଏସ ଏବଂ ଓଆରଏସ ସଂଘ ତରଫରୁ ମଧ୍ୟ ସେମାନଙ୍କୁ ଗୋଟିଏ ଲେଖାଏଁ ହାତଘଣ୍ଟା ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
