July 13, 2026
Home » ସୁବର୍ଣ୍ଣପୁର ପୌର ପରିଷଦ ‘ବଧିର’ ସୁବର୍ଣ୍ଣପୁର ପୌର ପରିଷଦ ର କାର୍ଯ୍ୟକଳାପ ନେଇ ତେଜୁଛି ଅସନ୍ତୋଷ

ସୁବର୍ଣ୍ଣପୁର ପୌର ପରିଷଦ ‘ବଧିର’ ସୁବର୍ଣ୍ଣପୁର ପୌର ପରିଷଦ ର କାର୍ଯ୍ୟକଳାପ ନେଇ ତେଜୁଛି ଅସନ୍ତୋଷ

0
WhatsApp Image 2026-06-17 at 12.29.43 PM

ସୁବର୍ଣ୍ଣପୁର: ​ଖୋଲିଲା ଦୁର୍ନୀତି ପେଡ଼ି ନଂ-୮: ମାର୍ଚ୍ଚ ୩୧ ପରେ ବି ଅଟକିଛି ଦୈନିକ ଓ ସାପ୍ତାହିକ ବଜାର ନିଲାମ, ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି l ​ପୌର ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ଅପାରଗତାକୁ ତୀବ୍ର ନିନ୍ଦା କଲେ ସହରବାସୀ l ସ୍ଥାନୀୟ ସୋନପୁର ପୌରପରିଷଦ ଏବେ ଏକ ‘ବଧିର’ ଅନୁଷ୍ଠାନରେ ପରିଣତ ହୋଇଛି। ପ୍ରଶାସନିକ ସ୍ଥାଣୁତା ଏବଂ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସହରର ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଗୁମର ଫିଟିବାରେ ଲାଗିଛି। ଏହି କ୍ରମରେ ଏବେ ସାମ୍ନାକୁ ଆସିଛି ପୌରପରିଷଦର ‘ଦୁର୍ନୀତି ପେଡ଼ି ନଂ-୮’। ସହରର ଗୁରୁତ୍ୱପୂର୍ଣ୍ଣ ଦୈନିକ ବଜାର ଏବଂ ସାପ୍ତାହିକ ବଜାର ନିଲାମ ପ୍ରକ୍ରିୟାରେ ହୋଇଥିବା ବ୍ୟାପକ ଅବହେଳାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
​ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୩୧ ତାରିଖରେ ପୁରୁଣା ଆର୍ଥିକ ବର୍ଷ ଶେଷ ହୋଇସାରିଛି। ନିୟମ ଅନୁଯାୟୀ ଏହା ପୂର୍ବରୁ କିମ୍ବା ତୁରନ୍ତ ପରେ ନୂତନ ଆର୍ଥିକ ବର୍ଷ ପାଇଁ ବଜାରଗୁଡ଼ିକର ନିଲାମ ପ୍ରକ୍ରିୟା ଶେଷ ହେବା କଥା। ମାତ୍ର ବିଡ଼ମ୍ବନାର ବିଷୟ, ମାସ ମାସ ବିତିଯାଇଥିଲେ ସୁଦ୍ଧା ପୌରପରିଷଦ ପକ୍ଷରୁ ଏଯାଏଁ ସୋନପୁର ସାପ୍ତାହିକ ବଜାର ଏବଂ ଦୈନିକ ବଜାରର ନିଲାମ କରାଯାଇନାହିଁ। ବିଭିନ୍ନ ଅଯୌକ୍ତିକ ଆଳ ଦେଖାଇ ତଥା ନିଜର ପ୍ରଶାସନିକ ଦୁର୍ବଳତାକୁ ଲୁଚାଇବାକୁ ଯାଇ କର୍ତ୍ତୃପକ୍ଷ ଜାଣିଶୁଣି ଏହି ନିଲାମ ପ୍ରକ୍ରିୟାକୁ ଘୁଞ୍ଚାଇ ଚାଲିଛନ୍ତି। ନିଲାମ ପ୍ରକ୍ରିୟା ବନ୍ଦ ରହିବା ଫଳରେ ପୌରପରିଷଦର ରାଜସ୍ୱ ପାଣ୍ଠିକୁ ଆସିବାକୁ ଥିବା ଅର୍ଥ ଆସିପାରୁନାହିଁ, ଯାହାଦ୍ୱାରା ଦୈନନ୍ଦିନ ହଜାର ହଜାର ଟଙ୍କାର ବିପୁଳ ରାଜସ୍ୱ କ୍ଷତି ସହିବାକୁ ପଡୁଛି। ସରକାରୀ ରାଜସ୍ୱ ବୃଦ୍ଧି ପ୍ରତି ଧ୍ୟାନ ନଦେଇ ମ୍ୟୁନିସିପାଲିଟି ପ୍ରଶାସନ କେବଳ ମୂକଦର୍ଶକ ସାଜିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ​ଅନ୍ୟପକ୍ଷରେ ଏଭଳି ସ୍ଥିତି ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ନାଗରିକମାନେ ପୌର ନିର୍ବାହୀ ଅଧିକାରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱହୀନତା ଏବଂ ଚରମ ଅପାରଗତା ଯୋଗୁଁ ରାଜସ୍ୱ ଆଦାୟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବେ ଅବହେଳିତ ହୋଇପଡ଼ିଛି। ପୌର ବିଭାଗର ଏଭଳି ବେପରୁଆ ମନୋଭାବ ପଛରେ କୌଣସି ବଡ଼ ଧରଣର ଭିତିରିଆ ସଲାସୁତୁରା ଏବଂ ଦୁର୍ନୀତିର ଗନ୍ଧ ବାରି ହେଉଥିବା ମଧ୍ୟ ଲୋକେ ଖୋଲାଖୋଲି ଅଭିଯୋଗ କରୁଛନ୍ତି।
​ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିରେ ଦୃଷ୍ଟି ଦେଇ ହସ୍ତକ୍ଷେପ କରିବାକୁ ଦାବି ହୋଇଛି। ଉକ୍ତ ଦୁଇ ବଜାରର ନିଲାମ ପ୍ରକ୍ରିୟା ତୁରନ୍ତ ସ୍ୱଚ୍ଛତାର ସହ ସମ୍ପନ୍ନ କରିବାକୁ ଏବଂ ଏହି ଗୁରୁତର ଅବହେଳା ପାଇଁ ଦାୟୀ ଥିବା ନିର୍ବାହୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦୃଢ଼ ଦାବି ଉଠିଛି। ଯଦି ପ୍ରଶାସନ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନକରେ, ତେବେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହ ଏକ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ସହରବାସୀ ଚେତାବନୀ ଦେଇଛନ୍ତି l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.

Leave a Reply

Your email address will not be published. Required fields are marked *