ହାଇକୋର୍ଟରେ ବିକ୍ରମ ପଣ୍ଡାଙ୍କ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ
କଟକ: ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଜାମିନ ଲୋଡ଼ି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଦାୟର କରିଥିବା ଜାମିନ ଆବେଦନର ଆଜି ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଶ୍ରୀ ପଣ୍ଡାଙ୍କ ଜାମିନ ଆବେଦନର ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ହୋଇଥିଲା। ଆବେଦନକାରୀ, ରାଜ୍ୟ ସରକାର ଓ ଏତଲାକାରୀଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା।ସରକାରଙ୍କ ତରଫରୁ କେସ ଡାଏରି ସହିତ ତଦନ୍ତର ସାନି ସ୍ଥିତି ସଂପର୍କିତ ତଥ୍ୟ ଦାଖଲ କରାଯାଇଥିଲା। ଏହି ହତ୍ୟା ଘଟଣାର ଷଡଯନ୍ତ୍ରର ଦିଗ ଉପରେ ବିଶେଷ ଭାବେ ଶୁଣାଣି ହୋଇଥିଲା। ପୂର୍ବରୁ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ କେତେକ ଦସ୍ତାବିଜ ଦାଖଲ କରାଯାଇଥିବା ବେଳେ ଏତଲାକାରୀଙ୍କ ତରଫରୁ ଜାମିନ ଆବେଦନକୁ ବିରୋଧ କରି ଆପତ୍ତି ସତ୍ୟପାଠ ଦାଖଲ କରାଯାଇଥିଲା। ଆଜି ସମସ୍ତ ପକ୍ଷଙ୍କ ତରଫରୁ ଯୁକ୍ତି ସହିତ ସୁପ୍ରିମକୋର୍ଟଙ୍କ ରାୟର ନଜିର ଉପସ୍ଥାପନ କରାଯାଇଥିଲା। ହାଇକୋର୍ଟ ଆଜି ଜାମିନ ଆବେଦନର ଶୁଣାଣି ସଂପୂର୍ଣ୍ଣ କରି ରାୟ ସଂରକ୍ଷିତ ରଖିଛନ୍ତି। ଏପ୍ରିଲ ୧୭ ସୁଦ୍ଧା ପକ୍ଷମାନେ ଲିଖିତ ଯୁକ୍ତି ଦାଖଲ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବ୍ରହ୍ମପୁର ଅତିରିକ୍ତ ଦୌରା ଜଜ ଅଦାଲତରେ ଜାମିନ ଖାରଜ ହେବା ପରେ ଶ୍ରୀ ପଣ୍ଡା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
