ଶ୍ରୀମନ୍ଦିର ମହାପ୍ରସାଦ ବିକ୍ରି କରିବା ଅଭିଯୋଗରେ ଅଭିଯୁକ୍ତ ଗିରଫ
ଅନଲାଇନରେ ବେଆଇନ୍ ଭାବରେ ଶ୍ରୀମନ୍ଦିର ମହାପ୍ରସାଦ ବିକ୍ରି କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୁରୀ ସାଇବର ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଜୟବଡା ଅଞ୍ଚଳର ଡିସପୋଜା ପଟ୍ଟନାୟକ। ଅଭିଯୁକ୍ତ ଜଣକ ଶ୍ରୀ ପ୍ରସାଦ. Org ନାମକ ଏକ ଓ୍ବେବସାଇଟ ଖୋଲି ଜଗନ୍ନାଥ ମନ୍ଦିରର ମହାପ୍ରସାଦ ଅନଲାଇନରେ ବିକ୍ରି ହେଉଥିବା ନେଇ ଏହି ଓ୍ବେବସାଇଟରେ ବିଜ୍ଞାପନ ପ୍ରଦର୍ଶନ କରିଥିଲେ। ଉକ୍ତ ଓ୍ବେବସାଇଟ ମାଧ୍ୟମରେ ନିଜର ଫୋନ ନମ୍ବର ଦେଇ ଅନଲାଇନରେ ଜଗନ୍ନାଥ ମନ୍ଦିରର ମହାପ୍ରସାଦ ବିକ୍ରି ହେଉଥିବା ନେଇ ସୂଚନା ଦେଇଥିଲେ।

ତେବେ ଏହି ଘଟଣା ନଜରକୁ ଆସିବା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ ଗତ ଅକ୍ଟୋବର ୨୨ ତାରିଖରେ ପୁରୀ ସାଇବର ଥାନାରେ ଏକ ଏତଲା ଦେଇଥିଲେ। ସାଇବର ଥାନା ଅଧିକାରୀ ସଂଘମିତ୍ରା ନାୟକ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ କରିଛନ୍ତି। (case no 26 dt 22.10.25 u/s 299/318(2)/318(4)/319(2)/336(2)/336(3)/336(4)/340(2)/356(2) rw 3(5) BNS rw 66(C)/66(D) IT Act regd ) ଜଗନ୍ନାଥ ମନ୍ଦିରର ମହାପ୍ରସାଦ ର ପବିତ୍ରତା କ୍ଷୁର୍ଣ୍ଣ ହେବାର ସମ୍ଭାବନା ଥିବାରୁ ଅନଲାଇନ ଜରିଆରେ ମହାପ୍ରସାଦ ବିକ୍ରି ନେଇ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ଅନକେ ବ୍ୟକ୍ତି ଅନଲାଇନରେ ଓ୍ବେବସାଇଟ ଖୋଲି ଜଗନ୍ନାଥ ମନ୍ଦିରର ମହାପ୍ରସାଦ ବିକ୍ରି ହେଉଥିବା ଓ୍ବେବସାଇଟରେ ବିଜ୍ଞାପନ ପ୍ରଦର୍ଶନ କରୁଛନ୍ତି। ଯାହାକି ସମ୍ପୂର୍ଣ୍ଣ ବେଆଇନ ହୋଇଥିବା ବେଳେ ଅନଲାଇନରେ କେହି ଟଙ୍କା ଦେଇ ମହାପ୍ରସାଦ ବୁକିଙ୍ଗ ନକରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ ବାରମ୍ବାର ଅନୁରୋଧ କରାଯାଉଛି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
