December 28, 2025
Home » ଓଡିଶାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏସ୍‌ଆଇଆର୍ !

ଓଡିଶାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏସ୍‌ଆଇଆର୍ !

0
WhatsApp Image 2025-12-28 at 3.51.02 PM

ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟର ତାଲିକାର ‘ସ୍ବତନ୍ତ୍ର ସଘନ ସଂଶୋଧନ’ (ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲିଛି। ଆସନ୍ତା ଫେବ୍ରୁଆରି ମାସରେ ଏହା ଶେଷ ହେବ। ଏହାପରେ ତୃତୀୟ ପର୍ଯ୍ୟାୟରେ ଓଡ଼ିଶାରେ ଭୋଟର ତାଲିକାର ଏସ୍‌ଆଇଆର୍ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହାକୁ ଲକ୍ଷ୍ୟ ରଖି ରାଜ୍ୟରେ ପ୍ରି-ଏସ୍ଆଇଆର୍ କାର୍ଯ୍ୟ ଆରମ୍ଭ ହୋଇସାରିଛି।ଠିକ୍ ଏମିତି ସମୟରେ ଭାରତର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଓଡ଼ିଶାର ଏସ୍‌ଆଇଆର୍‌ ପ୍ରସ୍ତୁତି ସମ୍ପର୍କରେ ସେ ସମୀକ୍ଷା କରିବେ। ଚଳିତ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ଏସ୍‌ଆଇଆର୍ ପ୍ରକାଶ ପାଇବ ଓ ଏହା ଅନୁଯାୟୀ ରାଜ୍ୟରେ ୨୦୨୭ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତି ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୦୨ ମସିହାରେ ଶେଷ ଥର ପାଇଁ ରାଜ୍ୟରେ ଏସ୍‌ଆଇଆର୍ ହୋଇଥିଲା। ଏବେ ପ୍ରି-ଏସ୍‌ଆଇଆର୍‌ କାର୍ଯ୍ୟରେ ୨୦୦୨ ମସିହା ଭୋଟର ତାଲିକା ଏବଂ ୨୦୨୪ ସାଧାରଣ ନିର୍ବାଚନ ପୂର୍ବର ଭୋଟର ତାଲିକାକୁ ଆଧାର କରି ସର୍ଭେ ଚାଲିଛି। ଏଥିରେ କେଉଁ ବୁଥ୍‌ରେ ୨୦୦୨ ମସିହାରେ କେଉଁ ଭୋଟର ଥିଲେ, ସେମାନେ ୨୦୨୪ରେ ସେହି ବୁଥ୍‌ରେ ଭୋଟ୍ ଦେଇଛନ୍ତି ନା ନାହିଁ ତାହା ଯାଞ୍ଚ କରାଯାଉଛି। ‌ସେହି ଭୋଟର ଏବେ ଉକ୍ତ ବୁଥ୍‌ରେ ଅଛନ୍ତି ନା କେଉଁଠି ଅଛନ୍ତି ତାହା ମ୍ୟାପିଂ କରାଯାଉଛି। ଯଦି କେହି ଭୋଟର ମରି ଯାଇଛନ୍ତି ତେବେ ତାଙ୍କୁ ତାଲିକାରୁ ବାଦ୍‌ ଦିଆଯାଉଛି। ଯଦି କୌଣସି ଝିଅ ବିବାହ ପରେ ଅନ୍ୟ ବୁଥ୍‌କୁ ଯାଇଛନ୍ତି ତେବେ ତାକୁ ମ୍ୟାପିଂ କରାଯାଇ ଉଲ୍ଲେଖ କରାଯାଉଛି। ଯାହାର ଦୁଇଟି ସ୍ଥାନରେ ଭୋଟର ତାଲିକାରେ ନାମ ଥିବା ଜଣାପଡ଼ୁଛି ଗୋଟିଏ ସ୍ଥାନରୁ ନାମ କଟାଯାଉଛି। ଏବେ ଭୁବନେଶ୍ବରରେ ୨୦% ମ୍ୟାଚିଂ ହୋଇଥିବାରୁ କେବଳ ଭୁବନେଶ୍ବରରେ ପୁଣି ଥରେ ପ୍ରି-ଏସ୍‌ଆଇଆର୍ କାମ ଚାଲିଛି। ଆଗକୁ କାମ ସହଜ କରିବାକୁ ଏବେ କେବଳ ପ୍ରସ୍ତୁତି ଚାଲିଛି।

ଓଡ଼ିଶାରେ ଏସ୍‌ଆଇଆର୍ ହେବ ବୋଲି ଘୋଷଣା ହେଲେ ବିଏଲ୍‌ଓମାନେ ଘରକୁ ଘର ବୁଲି ସର୍ଭେ କରିବେ। ଏଥିରେ ପ୍ରତି ଘରକୁ ୨ରୁ ୩ଥର ଯାଇ ସର୍ଭେ କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଚଳିତବର୍ଷ ଓଡ଼ିଶାରେ ଏସ୍‌ଆଇଆର୍ ହେବ। କେବେ ହେବ, ସେ ନେଇ ଦ୍ବନ୍ଦ୍ବ ଅଛି। ମାର୍ଚ୍ଚ, ଏପ୍ରିଲରେ ସ୍କୁଲରେ ପରୀକ୍ଷା ଥିବାରୁ ସେତେବେଳେ ଏହା ସମ୍ଭବ ନୁହେଁ। ଏହାପରେ ଜନଗଣନା ସର୍ଭେର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ତେଣୁ କେଉଁ ସମୟରେ କରାଯିବ, ସେ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ। ସମ୍ଭବତଃ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଏହାକୁ କରାଯାଇପାରେ।

ରାଜ୍ୟରେ ଏସ୍‌ଆଇଆର୍ ଆରମ୍ଭ ହେଲେ ବିଏଲ୍‌ଓମାନେ ନୂଆ ଭୋଟରଙ୍କ ଠାରୁ ଫର୍ମ ୬ ଓ ଘୋଷଣାପତ୍ର ସଂଗ୍ରହ କରିବେ। ଭୋଟରଙ୍କୁ ଗଣନା ଫର୍ମ ପୂରଣ କରିବାରେ ସହାୟତା କରିବେ। ଭୋଟର ଫର୍ମ ପୂରଣ ପରେ ଏହାକୁ ବିଏଲ୍‌ଓ ସଂଗ୍ରହ କରି ଇଆରଓ/ଏଇଆରଙ୍କ ନିକଟରେ ଦାଖଲ କରିବେ। ଯୋଗ୍ୟ ଭୋଟର ଯେମିତି ତାଲିକାରୁ ବାଦ୍‌ ନ ପଡ଼ିବେ, ସେଥିପାଇଁ ଆୟୋଗ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରିବେ। ପ୍ରତି ବୁଥ୍‌ରେ ୧୨୦୦ରୁ କମ୍ ମତଦାତା ରହିବେ। ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତ ହେବା ପରେ ଏହାକୁ ପ୍ରତି ବୁଥ୍‌ରେ ଲଗାଯିବ। ନାମ ଯୋଡ଼ିବାକୁ ବା କାଟିବାକୁ ପ୍ରାୟ ୧ ମାସ ସମୟ ଦିଆଯିବ।

Leave a Reply

Your email address will not be published. Required fields are marked *