କଳାହାଣ୍ଡି ଚାଷୀ ମାନଙ୍କ ନାମ ପଞ୍ଜୀକରଣ ତାରିଖ ବୃଦ୍ଧି ପାଇଁ ବିଧାୟକଙ୍କ ଦୃଢ ଦାବୀ
୨୦୨୬ ରବି ଧାନ ସଂଗ୍ରହ ପାଇଁ P-PAS ପୋର୍ଟାଲ ରେ କଳାହାଣ୍ଡି ଚାଷୀ ମାନଙ୍କ ନାମ ପଞ୍ଜୀକରଣ ତାରିଖ ବୃଦ୍ଧି ପାଇଁ ବିରୋଧୀ ସଦସ୍ୟଙ୍କ ହୋ ହାଲ୍ଲା ମଧ୍ୟରେ ମାନ୍ୟବର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଆଜି ବିଧାନସଭାର ଶୂନ୍ୟକାଳରେ ଗୃହରେ ଦୃଢ ଦାବୀ ରଖିଛନ୍ତି। ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ରୁ ରବି ଫସଲ ପାଇଁ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଜଳସେଚନ ସକାଶେ କେନାଲ ରେ ପାଣି ଛଡା ଯାଇଛି। କ୍ୟାଚମେଣ୍ଟ ଏରିଆରେ ଅବସ୍ଥିତ ୧୨ଟି PACS ଅଞ୍ଚଳର ଧର୍ମଗଡ଼, କୋକସରା, ଜୟପାଟଣା ଏବଂ ଜୁନାଗଡ଼ ଭଳି ୪ଟି ବ୍ଲକର ୨୮ଟି ଗ୍ରାମ ପଞ୍ଚାୟତର ୭୪ଟି ଗ୍ରାମର ଚାଷୀମାନେ ୨୦୨୬ ରବି ଋତୁରେ ଜଳସେଚନ ପାଇଁ ପାଣି ପାଇବା ପରେ କୃଷି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ପ୍ରାୟ ୧୫ ହଜାର କୃଷକ ପରିବାର ପ୍ରାୟ ୧୮୮୦୦ ଏକର ଜମିରେ ରବି ଧାନ ଚାଷ ଆରମ୍ଭ କରି ଦେଇଛନ୍ତି । ଧାନ ସଂଗ୍ରହ ପ୍ରକ୍ରିୟାରେ ସେମାନଙ୍କର ନାମ ପଞ୍ଜିକରଣ କରିବା ପାଇଁ ସମସ୍ୟା ଦେଖାଦେଇଛି ଓ ପୋର୍ଟାଲ ଖୋଲୁ ନାହିଁ ବୋଲି ସେ ଗୃହରେ ପ୍ରକାଶ କରିଛନ୍ତି। ମାର୍ଚ୍ଚ ୧୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା କରାଯାଇଥିବା ବିଜ୍ଞାପନ ଅନୁଯାୟୀ ପଞ୍ଜିକରଣ ପାଇଁ ଧାର୍ଯ୍ୟ ତାରିଖ ଶେଷ ହେବାକୁ ଯାଉଥିବାରୁ ରବି ଧାନ ଫସଲ ଚାଷ କରିଥିବା ଗାଁର ଚାଷୀମାନଙ୍କୁ ରବି ଧାନ ସଂଗ୍ରହ ୨୦୨୬ ପାଇଁ P-PAS ପୋର୍ଟାଲ ରେ ପଞ୍ଜୀକରଣ ତାରିଖ ବୃଦ୍ଧି କରି ପଞ୍ଜୀକରଣ ପାଇଁ ଅନୁମତି ଦେଇ ପୋର୍ଟାଲ ଖୋଲିବା ପାଇଁ ଯଥାଶୀଘ୍ର ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମାନ୍ୟବର ବିଧାୟକ ଶ୍ରୀ ପଟ୍ଟଯୋଶୀ ଗୃହରେ ଦୃଢ ଦାବୀ ରଖିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
