May 1, 2026
Home » ପାଣି ଟୋପେ ପାଇଁ ମହିଳାଙ୍କ ବ୍ଳକ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ

ପାଣି ଟୋପେ ପାଇଁ ମହିଳାଙ୍କ ବ୍ଳକ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ

0
WhatsApp Image 2026-04-28 at 7.32.01 PM

 

ଗଣିଆ: ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ତାପମାତ୍ରା ବଢ଼ିବା ସହିତ ଜଳସ୍ତର ହ୍ରାସ ପାଇଛି । ଗଣିଆରେ ଅନେକ ସ୍ଥାନରେ ଏବେ ଜଳସଙ୍କଟ ଦେଖାଦେଇଛି । ପାନୀୟ ଜଳ ଟୋପେ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ମଙ୍ଗଳବାର ପାଣି ଟୋପେ ପାଇଁ ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ ଛାମୁଣ୍ଡିଆ ପଞ୍ଚାୟତ ଘାଟିଆସାହି ଗ୍ରାମର ମହିଳା । ତାଙ୍କ ସାହିରେ ଜଳ ସଙ୍କଟ ଦେଖା ଦେଇଥିବା ବେଳେ ସେମାନେ ୩/୪ ଥର ବ୍ଳକକୁ ଆସି ଅଭିଯୋଗ କରିଥିଲେ ମଧ୍ୟ କୈଣସି ସମାଧାନ ହୋଇପାରୁ ନାହିଁ କି ସେମାନଙ୍କୁ ଜଳ ଟୋପେ ମିଳୁନାହିଁ । ନଦୀରୁ ଜଳ ଆଣି ସେମାନେ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତିି ଗ୍ରାମର ରବିନ୍ଦ୍ର କୁମାର ସେଠୀ ।

ଗ୍ରାମରେ ପ୍ରାୟ ୫ ଶହ ଲୋକ ବାସ କରୁଥିବା ବେଳେ ଜଳ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ୪ ମାସ ହେବ ଏହି ସମସ୍ୟା ଲାଗି ରହିଥିବା ଗ୍ରାମର ମହିଳା ମାୟା ରାଉତ ପ୍ରକାଶ କରିଛନ୍ତି । ମହିଳା ମାନେ ବିଡ଼ିଓଙ୍କ ଠାରୁ ସରପଞ୍ଚଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କେହି ବି ଦୁଃଖ ଶୁଣୁ ନାହାନ୍ତି । ମହିଳା ମାନେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖ ଗେଟ୍ ତାଲା ପକାଇ ଧାରଣାରେ ବସିଥିଲେ । ପାଣି ନଦେବା ପର୍ଯ୍ୟନ୍ତ ସେମାନେ ଏଭଳି ବସି ରହିବେ ବୋଲି ଚେତାବନୀ ଦେଇଥିଲେ । ତେବେ ପାନୀୟ ଜଳ ବିଭାଗର କନିଷ୍ଠ ଯନ୍ତ୍ରୀ ସେମାନଙ୍କୁ ବୁଝାସୁଝା କରିବା ସହିତ ଦୁଇ ଦିନ ଭିତରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ଧାରଣାରୁ ହଟିଥିବା ଜଣାପଡିଛି ।

ଗଣିଆରୁ ବ୍ରଜକିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *