ଓ ଏ ଭି ର ଦ୍ୱାଦଶତମ ପ୍ରତିଷ୍ଠା ଦିବସ ପାଳିତ : ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସମନ୍ୱୟ ଏବଂ ଶିକ୍ଷା ର ମହତ୍ତ୍ୱ ଉପରେ ଗୁରୁତ୍ୱ
ସୁବର୍ଣ୍ଣପୁର –ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି), ରଥପୁରଠାରେ ଶନିବାର ଦିନ ଦ୍ୱାଦଶତମ ବିଦ୍ୟାଳୟ ସ୍ତରୀୟ ଓଏଭି ପ୍ରତିଷ୍ଠା ଦିବସ – “ସ୍ପାର୍କ-୨୦୨୬” ମହାସମାରୋହରେ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମର ଶୁଭାରମ୍ଭ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମାବେଶ ପରେ ଅତିଥିମାନଙ୍କୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଦ୍ୱାରା ଉଷ୍ମ ସ୍ୱାଗତ ଜଣାଇବା ସହ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ମାନ୍ୟବର ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହାପରେ ସମସ୍ତଙ୍କ ଦ୍ୱାରା ବନ୍ଦେ ମାତରମ୍ ଗାନ, ଅତିଥିମାନଙ୍କ ତିଳକ ଓ ସମ୍ମାନ ପ୍ରଦାନ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।
ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ବରିଷ୍ଠ ଶିକ୍ଷକ ଶ୍ରୀ ନରେନ୍ଦ୍ର କୁମାର ବାରିକ। ଏହାପରେ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ବିଷ୍ଣୁ ପ୍ରସାଦ ଜେନା ନିଜର ଅଭିଭାଷଣ ରଖିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ଶାନ୍ତିଲତା ଲୁହା, ଅଧ୍ୟକ୍ଷା, ବି.ଏମ୍. ପୁର ଏବଂ ମୁଖ୍ୟ ବକ୍ତା ଶ୍ରୀ ମଦନ ସୁନ୍ଦର ଖେତୀ, ଇଂରାଜୀ ଅଧ୍ୟାପକ, ମହିଳା ମହାବିଦ୍ୟାଳୟ, ସୋନପୁର ନିଜର ଅଭିଭାଷଣରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମନ୍ୱୟ ଏବଂ ଶିକ୍ଷାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବରେ ସଂସ୍କୃତ ଅଧ୍ୟାପିକା ଶ୍ରୀମତି ସଂତୋଷିନୀ ନାୟକ ଯୋଗ ଦେଇଥିଲେ।
ମାନ୍ୟବର ଅତିଥିମାନେ ବିଦ୍ୟାଳୟର ଚାରିଟି ହାଉସ୍ର ହାଉସ୍ବୋର୍ଡ ସାଜସଜ୍ଜା ମଧ୍ୟ ପରିଦର୍ଶନ କରି ମୂଲ୍ୟାୟନ କରିଥିଲେ। ଏହି ଚାରିଟି ହାଉସ୍ ହେଉଛି ମହାନଦୀ ହାଉସ୍, ବ୍ରାହ୍ମଣୀ ହାଉସ୍, ବଂଶଧାରା ହାଉସ୍ ଓ ସୁବର୍ଣ୍ଣରେଖା ହାଉସ୍। ଏହି ପବିତ୍ର ଅବସରରେ ଓଏଭି, ରାଠାପୁରର ଭିଏମ୍ଡିସି (VMDC) ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।
ଉତ୍ସବରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ସୃଜନଶୀଳତାର ଝଲକ ପ୍ରଦର୍ଶନ କରୁଥିବା ଏକ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ବିଭିନ୍ନ ସଫଳତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ପୁରସ୍କାର ବିତରଣୀ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ଶ୍ରୀ ପ୍ରଦ୍ୟୁମ୍ନ କୁ ଦୀପ ଏବଂ ଶ୍ରୀ ପଦ୍ମଲୋଚନ ମିଶ୍ର ପୁରସ୍କାର ବିତରଣ କରିଥିଲେ।
“ସ୍ପାର୍କ-୨୦୨୬” ଅବସରରେ ମୋଟ 22 ଟି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଲୋକନୃତ୍ୟ ପ୍ରତିଯୋଗିତାରେ ସିନିୟର ବିଭାଗରେ ଈଶାନେଶ୍ୱରୀ ଓ ଗ୍ରୁପ୍ ଏବଂ ଜୁନିୟର ବିଭାଗରେ ଦେବଶ୍ରୀ ଓ ଗ୍ରୁପ୍ ବିଜୟୀ ହୋଇଥିଲେ।
ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସକ୍ରିୟ ସହଯୋଗ ଏହି ପ୍ରତିଷ୍ଠା ଦିବସକୁ ସଫଳ ରୂପାୟିତ କରିଥିଲା।କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଏଭି ଆନ୍ଥେମ୍ ପରିବେଷଣ କରାଯାଇଥିଲା। ଏହାପରେ ଶିକ୍ଷକ ଶ୍ରୀ ଶିବଶଙ୍କର ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସମସ୍ତଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।
ଏହି ଉତ୍ସବ ଓଏଭି ପରିବାର ମଧ୍ୟରେ ଶିକ୍ଷା, ସଂସ୍କୃତି, ସଫଳତା ଓ ଏକତାର ଭାବନାକୁ ଆହୁରି ସୁଦୃଢ଼ କରିଥିଲା।ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
