ଚାରପାଲି ସେବାଶ୍ରମ ସ୍କୁଲରେ ଟି. ଗଣ୍ଡପାଲି କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୨୦୨୬
ବରଗଡ଼/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଚାରପାଲି ସେବାଶ୍ରମ ସ୍କୁଲ ପରିସରରେ ସି.ଆର.ସି.ସି ପ୍ରଭାତ ରଞ୍ଜନ ସାହୁଙ୍କ ଆବାହନ କ୍ରମେ ଟି. ଗଣ୍ଡପାଲି କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଚାରପାଲି ସେବାଶ୍ରମ ସ୍କୁଲର ପ୍ରଧାନ ସେବିକା ପଦ୍ମିନୀ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଚାରପାଲି ସରପଞ୍ଚ ସୁଷମା ସାହୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ବିଜେପୁର ବ୍ଲକ ଶିକ୍ଷାଧିକାରୀ ବଲ୍ଲଭ ମେହେର ଏବଂ ଚାରପାଲି ଗୌନ୍ତିଆ ତଥା ପୂର୍ବତନ ସରପଞ୍ଚ ଦେବେନ୍ଦ୍ରନାଥ ସାହୁ, ବଡ଼ବ୍ରାହ୍ମଣୀ ସି.ଆର.ସି.ସି. ଡୋଲମଣୀ କୁମ୍ଭାର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗରେ ମୋଟ ୩୪ଟି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।


ଏଥିରେ ୨୦୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବା ସହ ୫ଟି ଦଳଗତ ସାଂସ୍କୃତିକ ନୃତ୍ୟ ଦଳ ନିଜର କଳା ଓ ସାଂସ୍କୃତିକ ପ୍ରତିଭା ପ୍ରଦର୍ଶନ କରିଥିଲେ । ନୃତ୍ୟ ପ୍ରତିଯୋଗିତାର ବିଚାରକ ଭାବେ ଜାରିଂ ସି.ଆର.ସି.ସି ରାଜେଶ୍ୱର ବେହେରା, କଳାକାର ଜିତେନ୍ଦ୍ର ମେହେର, କଳାକାର ସୁଷମା ଭୋଇ ଓ ଆକାଶ ମେହେର ଦାୟିତ୍ୱ ତୁଲାଇଥିଲେ ।

ଏହି ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ଓ ସେମାନଙ୍କ ମଧ୍ୟରେ ସୃଜନଶୀଳତା, ଆତ୍ମବିଶ୍ୱାସ ଏବଂ ସାଂସ୍କୃତିକ ଚେତନା ବୃଦ୍ଧି କରିବାର ଏକ ଉତ୍ତମ ମଞ୍ଚ ଭାବେ ପରିଗଣିତ ହୋଇଥିଲା । ଉଦଯାପନୀ ସମାରୋହରେ ଅତିଥି ଭାବେ ଚାରପାଲି ୟୁ.ଜି.ଏଚ.ଏସ ର ପ୍ରଧାନ ଶିକ୍ଷକ ଭାର୍ଗବ ନାଏକ, କର୍ଲେ ପ୍ରାଇମେରୀ ସ୍କୁଲ ର ପ୍ରଧାନ ଶିଷକ ଆନନ୍ଦ ବାଗ, ଟି.ଗଣ୍ଡପାଲି ଉ.ପ୍ରା ସ୍କୁଲ ର ପ୍ରଧାନ ଶିକ୍ଷକ ଗହକିଲାଲ ନାଏକ ଉପସ୍ଥିତ ରହି ପୁରସ୍କାର ବିତରଣ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷୟିତ୍ରୀ ଅନିତା ଦାସେ ପରିଚାଳନା କରିଥିବାବେଳେ ଶେଷରେ ସ୍ଥାନୀୟ ସିଆରସିସି ପ୍ରଭାତ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,
