ଆସନ୍ତା ସୋମବାର ମହାପ୍ରଭୁଙ୍କ ସ୍ନାନଯାତ୍ରା
ଆସନ୍ତା ସୋମବାର ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନ ମଣ୍ଡପ ରେ ଭକ୍ତ ଙ୍କୁ ଗଜାନନ ବେଶ ରେ ଦର୍ଶନ ଦେବେ ମହାପ୍ରଭୁ। ଏଥି ପାଇଁ ସ୍ନାନ ମଣ୍ଡପକୁ ରଙ୍ଗ ଦିଆଯାଇ ସୁସଜ୍ଜିତ କରାଯାଉଛି। ମହାପ୍ରଭୁଙ୍କ ଏହି ଦିବ୍ୟ ଲୀଳା କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠାର ସହ ଅପେକ୍ଷାରେ ଅଛନ୍ତି। ଦୂରରୁ ଆସିଥିବା ଭକ୍ତ ମାନେ
ବଡଦାଣ୍ଡ ରେ ଥିବା ହୋଟେଲ ଓ ଲଜ ଗୁଡ଼ିକ ରେ ରହି ସାରିଲେଣି। ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସାଶନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥି ସହ ଶ୍ରୀମନ୍ଦିର ର ରଙ୍ଗ କାର୍ଯ୍ଯ କରାଯାଉଛି। ବଡଦାଣ୍ଡ ର ମାର୍କେଟ ଛକ ରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଖରା ବର୍ଷା ରେ ଲୋକ ମାନେ ଯେଭଳି ଅସୁବିଧା ସମ୍ମୁଖୀନ ନହୁଅନ୍ତି ସେନେଇ ଛାମୁଡିଆ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ନିତିକାନ୍ତି ପାଇଁ ସେବାୟତ ଙ୍କ ଆଲୋଚନା ହୋଇଛି। ଆଜି ସଅଳ ନୀତି ପରେ ମହାପ୍ରଭୁଙ୍କ ବଡ ସିଂହାର ଭୋଗ ଓ ପହୁଡ଼ ଆଳତି ହେବା ପରେ ଶ୍ରୀମୁଖ ଖଣ୍ଡୁଆ କରାଯିବ। ରାତି ୧୨ ଟା ପରେ ବାହୁଟ କଣ୍ଟ କରାଯିବ। ବିଳମ୍ବିତ ରାତିରେ କୋଠ ସୁଆଁସିଆଁମାନେ ଚାର ବାନ୍ଧିବାକୁ ପ୍ରବେଶ କରିବେ। ଏହି କାର୍ଯ୍ୟ ଶେଷ ପରେ ୨୮ ତାରିଖ ଭୋର୍ ରୁ ଦଇତାପତି ସେବକ ମାନେ ସେନାପଟା ଲାଗି ପାଇଁ ପ୍ରବେଶ କରିବେ। ପୂର୍ବାହ୍ନ ସୁଦ୍ଧା ସେନାପଟା ଲାଗି ପରେ ଅନ୍ୟ ନୀତି ବଢ଼ିବା ସହ ୨୯ ତାରିଖ ରେ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପାଦିତ ହେବ
(ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ)
ମଙ୍ଗଳାର୍ପଣ – ଭୋର୍ ସାଢ଼େ ୪ ଟା
ଡୋରଲାଗି ପହଣ୍ଡି ଆରମ୍ଭ – ଭୋର୍ ୫ ଟା ରୁ ସକାଳ ୭ ଟା
ସ୍ନାନ ମଣ୍ଡପ ରେ ମଙ୍ଗଳଆଳତି – ସକାଳ ୯ ଟା
ଜଳବିଜେ, ପୂଜା, ସ୍ନାନ – ଦିନ ୧୨ ଟା ରୁ ୨ ଟା
ଛେରା ପହଁରା – ସାଢ଼େ ୩ ଟା
ହାତୀ ବେଶ – ୪ ରୁ ୫ ଟା
ସାହାଣମେଲା – ସନ୍ଧ୍ୟା ସାଢ଼େ ୭ ଟା ରୁ ରାତି ସାଢ଼େ ୯ ଟା
ହାତୀବେଶ ମଇଲମ – ରାତି ୧୦ ଟା
ପୁଷ୍ପାଞ୍ଜଳି ଓ ଡୋରଲାଗି – ରାତି ସାଢ଼େ ୧୦ ଟା
ବାହୁଡ଼ା ପହଣ୍ଡି – ରାତି ୧୧ ଟା ରୁ ୨ଟା
ସୁନାଚିତା ଓ ରାହୁରେଖା ମଈଲମ – ରାତି ସାଢ଼େ ୨ ଟା
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମହାପ୍ରଭୂ ଙ୍କ ସ୍ନାନ ଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ନୀତି ପାଇଁ ସବୁ ଆଲୋଚୋନା ହୋଇଛି। ଭକ୍ତ ମାନେ ପ୍ରଶାସନ ର ନିୟମ ମାନି ଶୃଙ୍ଖଳିତ ଭାବେ ମହାପ୍ରଭୁ ଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରନ୍ତୁ।
(ସ୍ନାନଯାତ୍ରା ପାଇଁ ପୁରୀ ରେ କଡା ସୁରକ୍ଷା ବ୍ୟବସ୍ଥା)
ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ୩ରୁ ୪ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ପୁରୀ ଆସି ଚତୁର୍ଦ୍ଧା ମୂର୍ତ୍ତି—ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପବିତ୍ର ସ୍ନାନଯାତ୍ର ଦର୍ଶନ କରିବେ ବୋଲି ଆକଳନ କରାଯାଇଛି।
ଶ୍ରଦ୍ଧାଳୁମାନଙ୍କ ପାଇଁ ନିରାପଦ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଦର୍ଶନ ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ୨୮ ଜୁନ ରାତ୍ରିଠାରୁ ପୋଲିସ ପକ୍ଷରୁ ଚବିଶ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୪ ଜଣ କମାଣ୍ଡାଣ୍ଟ/ଏସ୍ପି ପାହ୍ୟାର ଅଧିକାରୀ, ୧୪ ଜଣ ଅତିରିକ୍ତ ଏସ୍ପି/ଡେପୁଟି କମାଣ୍ଡାଣ୍ଟ, ୩୧ ଜଣ ଡିଏସ୍ପି/ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୮୩ ଜଣ ଇନ୍ସପେକ୍ଟର/ସବ୍-ଇନ୍ସପେକ୍ଟର, ୩୪୦ ଜଣ ଏସ୍ଆଇ/ଏଏସ୍ଆଇ ଏବଂ ୭୯ ପ୍ଲାଟୁନ ପୋଲିସ ବାହିନୀ ସହ ବିଭିନ୍ନ ସ୍ୱତନ୍ତ୍ର ସୁରକ୍ଷା ୟୁନିଟ୍ ନିୟୋଜିତ ହେବେ।
ଏହି ସୁରକ୍ଷା ବ୍ୟବସ୍ଥା ଏକ ଛଅ-ଦଫା କାର୍ଯ୍ୟଯୋଜନା ଉପରେ ଆଧାରିତ। ଯାହାରେ ସାମିଲ ରହିଛି—
* ଶ୍ରୀଜଗନ୍ନାଥ ମନ୍ଦିର ଭିତର ଓ ବାହାରେ ଜନସମାଗମ ନିୟନ୍ତ୍ରଣ।
* ଟ୍ରାଫିକ ଓ ପାର୍କିଂ ପରିଚାଳନା।
* ସୁରକ୍ଷା ବ୍ୟବସ୍ଥା ଏବଂ ଭିଆଇପି ସୁରକ୍ଷା।
* ଶ୍ରଦ୍ଧାଳୁ ସହାୟତା ଓ ଜନସେବା।
* ଜରୁରୀକାଳୀନ ପ୍ରତିକ୍ରିୟା ଓ ବିପର୍ଯ୍ୟୟ ପରିଚାଳନା।
* ବିଭିନ୍ନ ବିଭାଗ ମଧ୍ୟରେ ଫଳପ୍ରଦ ସମନ୍ୱୟ ଓ ତଦାରଖ।
ସେକ୍ଟରଭିତ୍ତିକ ପୋଲିସ ମୁତୟନ, ଏକମୁଖୀ ଯାତାୟାତ ବ୍ୟବସ୍ଥା, ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ବ୍ୟାରିକେଡିଂ, ଷ୍ଟ୍ରାଇକିଂ ଫୋର୍ସ ନିୟୋଜନ ଏବଂ ଭିଡ଼ର ନିରନ୍ତର ତଦାରଖ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଯାତାୟାତ ସୁଚାରୁ କରିବା ପାଇଁ ଟ୍ରାଫିକ ଡାଇଭର୍ସନ, ନିର୍ଦ୍ଧାରିତ ପାର୍କିଂ ସ୍ଥାନ ଏବଂ ପୃଥକ ପ୍ରବେଶ ଓ ପ୍ରସ୍ଥାନ ପଥର ବ୍ୟବସ୍ଥା କରାଯାଇଛି।
ଏହାବ୍ୟତୀତ କ୍ୱିକ୍ ଆକ୍ସନ ଟିମ୍ (QAT), ସ୍ନିଫର ଡଗ୍ ସ୍କ୍ୱାଡ୍, ରୁଫ୍ଟପ୍ ନଜରଦାରି, ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର (ICCC) ମାଧ୍ୟମରେ ନିରୀକ୍ଷଣ, ଆଣ୍ଟି-ସାବୋଟାଜ୍ ଯାଞ୍ଚ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକାର୍ଯ୍ୟକାରୀ କରାଯାଇଛି। ସେହିପରି ହେଲ୍ପ ଡେସ୍କ, ପୋଲିସ କଣ୍ଟ୍ରୋଲ ରୁମ୍ (PCR), ଚିକିତ୍ସା ସହାୟତା କେନ୍ଦ୍ର ଏବଂ ବରିଷ୍ଠ ନାଗରିକ, ମହିଳା, ଶିଶୁ ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା ଉପଲବ୍ଧ ରହିବ।
ପୁରୀ ଏସପି ପ୍ରତୀକ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆସନ୍ତା ସୋମବାର ପବିତ୍ର ସ୍ନାନ ଯାତ୍ରା। ଲକ୍ଷ ଲକ୍ଷ ଭକ୍ତ ଆସି ମହାପ୍ରଭୁ ଙ୍କ ସ୍ନାନ ଯାତ୍ରା ଦେଖିବେ। ଶୃଙ୍ଖଳିତ ଦର୍ଶନ, ଭକ୍ତ ଙ୍କ ସୁରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ତେବେ ଭକ୍ତ ମାନେ କେବଳ ସିଂହ ଦ୍ଵାର ରେ ପ୍ରବେଶ କରି ସ୍ନାନ ମଣ୍ଡପ ରେ ମହାପ୍ରଭୁ ଙ୍କ ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଟିକେଟ କରିଥିବା ଭକ୍ତ ମାନେ ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ କରିବେ। ମାର୍କେଟ ଛକ ରୁ ଦୋଳମଣ୍ଡପ ସାହି, ମୋଚିସାହି ଛକ ରୁ ଦୋଳ ମଣ୍ଡପ ସାହି, ସୋଲାଖିଆ ବରଗଛ ଛକ ରୁ କାକୁଡି ଖାଇ ଛକ, ବୃଷବ ଛକ ରୁ ଗଣ୍ଡୁଆ ଚଉରା ଛକ, ପାଣ୍ଡେ ଜାଗା ରୁ ଗଡନ୍ତି ଛକ କୁ ନୋ ଭେଇକିଲ ଜୋନ୍ କରାଯାଇଛି। ଏହି ରାସ୍ତାରେ ଗାଡ଼ି ଯାତାୟାତ ପାଇଁ ସମ୍ପୂର୍ଣ କଟକଣା ରହିବ। ଶ୍ରୀମନ୍ଦିର ଭିତରେ ୧୪ ଟି ସେକ୍ଟର କରାଯାଇ ପୋଲିସ ଅଧିକାରୀ ଙ୍କୁ ମୁତୟନ କରାଯିବ ଗହଳି ନିୟନ୍ତ୍ରଣ କରିବା ପାଇଁ। ମନ୍ଦିର ଭିତରେ କ୍ଲିୟରାନ୍ସ ଟିମ୍ ରହି ଲୋକ ଙ୍କ ଭିଡ଼ ହ୍ରାସ କରିବେ। ଶ୍ରୀମନ୍ଦିର ବାହାରେ ମଧ୍ୟ ଅନୁରୂପ ଟିମ୍ ରହି ଭିଡ ହ୍ରାସ ପାଇଁ କାର୍ଯ୍ଯ କରିବେ। ସବୁ ଦ୍ଵାର ରେ ଆମ୍ବୁଲାନ୍ସ ରହିବ। ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବାହିନୀ ରହିବ ।୨୮ ତାରିଖ ସକାଳୁ ଆମର ସବୁ ବ୍ୟବସ୍ଥା ଆରମ୍ଭ ହେବ।୩୦ ତାରିଖ ଯାଏ ଭିଡ ନ କମିବା ଯାଏ ପୋଲିସ ସୁରକ୍ଷା ବ୍ୟବସ୍ଥା ଜାରି ରହିବ। ଶ୍ରୀମନ୍ଦିର ଭିତରେ ୧୫୨ ଟି କ୍ୟାମେରା, ମନ୍ଦିର ଚାରିପାଖରେ ୨୫୦ ଟି କ୍ୟାମେରା, ଶ୍ରୀମନ୍ଦିର ରୁ ବଡଦାଣ୍ଡ ମାର୍କେଟ ଛକ ଯାଏ ୩୦ ଟି କ୍ୟାମେରା ଲଗାଯାଇଚି। ଏକ କଣ୍ଟ୍ରୋଲ ରୁମ୍ କରାଯାଇ ଏହାର ପରିଚାଲନା କରାଯାଉଛି।
