ଉଦୟପୁର ସାହାରପଡ଼ା EMRSରେ ବିଜ୍ଞାପନ ବିନା ମନଇଚ୍ଛା ନିଯୁକ୍ତି
ସ୍ଥାନୀୟ ଯୁବକ-ଯୁବତୀ ବେକାର ଥାଇ ବାହାର ଲୋକଙ୍କୁ ନିଯୁକ୍ତି, ଗ୍ରାମବାସୀଙ୍କ ରାଜରାସ୍ତା ଚେତାବନୀ
କେନ୍ଦୁଝର: ସାହାରପଡ଼ା ବ୍ଲକ ଅନ୍ତର୍ଗତ ଉଦୟପୁର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS), ସାହାରପଡ଼ାରେ ଆଉଟସୋର୍ସିଂ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। ରୋଷେୟା, ମାଳି, ଝାଡୁଦାର, ସିକ୍ୟୁରିଟି ଗାର୍ଡ, ହଷ୍ଟେଲ ୱାର୍ଡେନ ଭଳି ବିଭିନ୍ନ ପଦବୀରେ କୌଣସି ବିଜ୍ଞାପନ ବିନା ମନଇଚ୍ଛା ଚୟନ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଏହା ସରକାରୀ ନିର୍ଦ୍ଦେଶ ଉଲ୍ଲଂଘନ ବୋଲି ଗୁରୁତର ଅଭିଯୋଗ ଆସିଛି। ରାଜ୍ୟ ସରକାରଙ୍କ ST & SC ଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୪୬୧୩/SSD, ତା. ୨୧.୦୨.୨୦୨୬ରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ଆଉଟସୋର୍ସିଂ ନିଯୁକ୍ତି ସ୍ୱଚ୍ଛ ଓ ନିରପେକ୍ଷ ହେବା ସହ ସମ୍ପୃକ୍ତ Ward, Hamlet, Gram, Villageର ସ୍ଥାନୀୟ ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ ଏବଂ ST, SC, OBC କ୍ରମରେ ବିବେଚନା କରାଯିବ। ମାତ୍ର ଏଠାରେ କୌଣସି ପଞ୍ଚାୟତ ବିଜ୍ଞପ୍ତି, ଖବର କାଗଜ ବିଜ୍ଞାପନ କିମ୍ବା ଗ୍ରାମସଭା ନ କରି ଲୁଚିଛପି ନିଯୁକ୍ତି ଦିଆଯାଇଛି। ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ଉଦୟପୁର, ସାହାରପଡ଼ା, ପଞ୍ଚାୟତର ଶହ ଶହ ଦଶମ, ଯୁକ୍ତ ଦୁଇ ପାସ୍ କରିଥିବା ବେକାର ଯୁବକ-ଯୁବତୀ ଥାଇ ମଧ୍ୟ ସେମାନଙ୍କୁ ସୂଚନା ଦିଆଯାଇନାହିଁ। ଏଜେନ୍ସିକୁ ୩୦ ହଜାରରୁ ୫୦ ହଜାର ଟଙ୍କା ଲାଞ୍ଚ ଦେଇ ବାହାର ଲୋକ ଚାକିରି ପାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ PESA ଆଇନ ଓ ପଞ୍ଚମ ଅନୁସୂଚୀର ଖୋଲା ଉଲ୍ଲଂଘନ। ଏ ନେଇ ସେମାନେ ପ୍ରିନ୍ସିପାଲଙ୍କୁ ଭେଟିଥିଲେ। ସେ କହିଲେ, “ଏଜେନ୍ସି ଓ DWO, କେନ୍ଦୁଝର ହିଁ ନିଯୁକ୍ତି ବୁଝିବେ।” ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ଦାୟିତ୍ୱରୁ ଖସି ଯାଉଛନ୍ତି ବୋଲି ଗ୍ରାମବାସୀ ଆରୋପ କରିଛନ୍ତି।
ସେମାନେ ଦାବି ପୂରଣ ଲାଗି ଚେତାବନୀ ଦେଇଛନ୍ତି,ବିଦ୍ୟାଳୟ ଗେଟ୍ ସମ୍ମୁଖରେ ସ୍ଥାନୀୟ ଯୁବକ-ଯୁବତୀ ଓ ଗ୍ରାମବାସୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଆମର ଦାବି ହେଲା:
୧. ତୁରନ୍ତ ସମସ୍ତ ବେଆଇନ ନିଯୁକ୍ତି ବାତିଲ କରାଯାଉ।*
୨. ପୁନଃ ବିଜ୍ଞାପନ ପ୍ରକାଶ କରି ଗ୍ରାମସଭା ମାଧ୍ୟମରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦିଆଯାଉ।*
ଯଦି ୭ ଦିନ ମଧ୍ୟରେ ଆମ ଦାବି ପୂରଣ ନ ହୁଏ, ତେବେ ଆଗାମୀ ଦିନରେ ସ୍ଥାନୀୟ ଯୁବକ-ଯୁବତୀ ଓ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବୁ ଏବଂ ବିଦ୍ୟାଳୟ ଗେଟ୍ ରେ ତାଲା ପକାଇ ଅନିର୍ଦିଷ୍ଟ କାଳ ଧାରଣା ଦେବୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଏ ନେଇ ଜିଲ୍ଲାପାଳ, କେନ୍ଦୁଝର, PA, ITDA, ଚମ୍ପୁଆ ଓ ଜିଲ୍ଲା ମଙ୍ଗଳ ଅଧିକାରୀ (DWO), କେନ୍ଦୁଝରଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ
