ଧରଣୀଧର ବିଶ୍ୱବିଦ୍ୟାଳୟର ଇଂରାଜୀ ସ୍ନାତକୋତ୍ତର ବିଭାଗ ଛାତ୍ରଛାତ୍ରୀଙ୍କ ଗ୍ରୀଷ୍ମକାଳୀନ ଇଣ୍ଟର୍ଣ୍ଣସିପ ସମାପ୍ତ
କେନ୍ଦୁଝର,: ସ୍ଥାନୀୟ ଧରଣୀଧର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ୧୨ ଜଣ ଛାତ୍ରଛାତ୍ରୀ ଗ୍ରୀଷ୍ମ କାଳୀନ ଇଂଟର୍ଣ୍ଣସିପ ସମାପ୍ତ କରି ଫେରିଯାଇଛନ୍ତି। ଗୋଷ୍ଠୀ ସ୍ତରରେ ଆଦିବାସୀ ଓ ବନବାସୀ ମାନଙ୍କ ସହ ବୈଠକ, ଜୀବନ ଜୀବିକାର ସର୍ବେକ୍ଷଣ, ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ, ପ୍ରକ୍ରିୟା କରଣ ଓ ବଜାର ବ୍ୟବସ୍ଥାକୁ ଜାଣିବା ସହିତ କ୍ଷେତ୍ରୀୟ ଉତ୍ପାଦନ କେନ୍ଦ୍ର ଗୁଡିକ ଦେଖିବା, ହାତୀ-ମଣିଷର ଲଢେଇର କାରଣକୁ ଜାଣିବା, ବୁଝିବା ଓ ଗ୍ରାମରେ ଛୋଟ ଦଳରେ, ବଡ଼ ଦଳରେ ଓ ଘରକୁ ଘର ବୁଲି କଥା ହେବା, ବନାଞ୍ଚଳ ଅଧିକରୀ ଶ୍ରୀ ଅଜିତ କୁମାର ଦାସ, ବନପାଳ ଶ୍ରୀ କାଳନ୍ଦୀ ଚରଣ ସାମଲଙ୍କ କାର୍ଯ୍ୟାଳୟରେ କଥାବାର୍ତ୍ତା ମାଧ୍ୟମରେ ଜଙ୍ଗଲ ବିଷୟରେ ସେମାନେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଥିଲେ। ଛାତ୍ରଛାତ୍ରୀ ମାନେ କେନ୍ଦୁଝରର ବାୟୁମଣ୍ଡଳ ପରିବର୍ତ୍ତନର ପ୍ରଭାବ, ଜୈବବିବିଧତା ଓ ପରିବେଶର ସ୍ଥିତିକୁ ଅଧ୍ୟୟନ କରିଛନ୍ତି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସବିତା ଦାସ, ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଲଷ୍ମୀ ଖୋୟା, ଶ୍ରମତୀ ବାସନ୍ତୀ ମହାନ୍ତ,DAY-NRLMର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ (DPM) ଶ୍ରୀ ପଵିତ୍ର କୁମାର ବରିହା ପ୍ରମୁଖ ଜିଲ୍ଲା ପରିଷଦ ସଭା ଗୃହରେ ସରକାରଙ୍କ ବିଭିନ୍ନ ସମାଜ ମଙ୍ଗଳ ଓ ସାମାଜିକ ସୁରକ୍ଷା ଯୋଜନା ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମର ଶେଷଭାଗରେ ଜଙ୍ଗଲ, ପାହାଡ଼, ଝରଣା, ଉଦ୍ଭିଦ ଓ ଜୈବ ବିବିଧତାର ଅଧିକ ଜ୍ଞାନ ଆହରଣ ପାଇଁ ବାରହାରାଶି ପାହାଡ଼ ଚଢିବା ଓ ଓହ୍ଲାଇବା(Forest Tracking)ର ପ୍ରତ୍ୟକ୍ଷ ଅନୁଭୂତି ଓ କ୍ଷେତ୍ରୀୟ ଜ୍ଞାନ ସାଉଁଟି ଥିଲେ।ଏହା ଛାତ୍ରଛାତ୍ରୀଙ୍କ ପାଇଁ ନିଆରା ଅନୁଭୂତି ଥିଲା। ପରିବେଶବିତ୍ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି (୬୯ବର୍ଷର ଯୁବକ)ଛାତ୍ରଛାତ୍ରୀ ମାନଙ୍କ ସହ ପାହାଡ଼ ଚଢିଥିଲେ। ଡିଏଫଓ ଶ୍ରୀ ଧନରାଜ ଏଚ ଡିଙ୍କ ମାର୍ଗଦର୍ଶନ, ରେଞ୍ଜ ଅଫିସର ଶ୍ରୀ ଅଜିତ କୁମାର ଦାସ ତତ୍ତ୍ଵାବଧାନରେ, ଫରେଷ୍ଟର ଶ୍ରୀ କାଳନ୍ଦୀ ସାମଲ, ଫରେଷ୍ଟ ଗାର୍ଡ ଶ୍ରୀମତୀ ଅନିତା ରାଉତ ଓ ଶ୍ରୀ ତପନ କୁମାର ଚାଟାର୍ଜିଙ୍କ ସମେତ ଜଙ୍ଗଲ ବିଭାଗର ୧୦ଜଣ କର୍ମଚାରୀ ପାହାଡ଼ ଚଢ଼ାରେ ସାମିଲ ହୋଇଥିଲେ। ତିନିଟା ଗାଡି ସେମାନଙ୍କୁ ଜଙ୍ଗଲର ସର୍ପିଳ ରାସ୍ତାରେ ପାହାଡ଼ ପାଦ ଦେଶକୁ ନେଇଥିଲେ ଓ କାର୍ଯ୍ୟକ୍ରମ ଶେଷରେ ପୁଣି ଗାଡ଼ିରେ ଆଣି ନରଣପୁରରେ ଛାଡି ଦେଇଥିଲେ। ସମସ୍ତଙ୍କ ପାଇଁ ଫରେଷ୍ଟର ମହାଶୟ ଭୋଜନ ବ୍ୟବସ୍ଥା କରିଥିଲେ। ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ଗ୍ରାମବାସୀ, ଗ୍ରାମ ମୁଖିଆ, ଅଙ୍ଗନବାଡ଼ି କର୍ମୀ, ୱାର୍ଡ ମେମ୍ବର, ସିଆରପି ଦିଦି, ଆଶା ମା’, ଏସଏଚଜିର ମାଆ ମାନେ ଓ ଅନେକ ସ୍ନେହୀ ବ୍ୟକ୍ତି ଗ୍ରାମାଞ୍ଚଳ ବିଶ୍ୱ ବିଦ୍ୟାଳୟ (Rural University)ରେ ଛାତ୍ରଛାତ୍ରୀ ମାନେ ପ୍ରତ୍ୟକ୍ଷ ଶିକ୍ଷା ଗ୍ରହଣ ସମୟରେ ଭୋଜନ ବ୍ୟବସ୍ଥା କରିଥିଲେ। ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ମଇଦାନକେଲ,କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି। ହାତୀ-ମଣିଷ ଲଢେଇର ପ୍ରଶମନ ପାଇଁ ଜଙ୍ଗଲ ବିଭାଗ ଦ୍ୱାରା ପ୍ରସ୍ତୁତ, ମନୁଷ୍ୟ -ହାତୀ ସହାବସ୍ଥାନ ମାର୍ଗଦର୍ଶିକା ଗୋଷ୍ଠୀ ସ୍ତରରେ ବାଣ୍ଟିବା , ଶାନ୍ତ ହାତୀକୁ ଅଶାନ୍ତ ନକରିବା, ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ଦେବା, ନୂତନ ଜଙ୍ଗଲ ସୃଷ୍ଟି କରିବା ଏବଂ ଅନୁକମ୍ପା ପୋଟାଲରେ କ୍ଷତିପୂରଣ ପାଇବା ପାଇଁ ଆବେଦନ କରିବାର ପ୍ରକ୍ରିୟା ଛାତ୍ରଛାତ୍ରୀମାନଙ୍କୁ ବୁଝା ଯାଇଥିଲା। କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ପରାମର୍ଶଦାତା ଅବସରପ୍ରାପ୍ତ ପ୍ରଫେସର ଡ଼. ବିମ୍ବାଧର ବେହେରା ଛାତ୍ରଛାତ୍ରୀ ମାନଙ୍କର ଅଭିଜ୍ଞତା ଶୁଣିଥିଲେ। ଆଦିବାସୀଙ୍କ ଜୀବନ ଶୈଳୀ ଓ ପରିବେଶ ଆଧାରିତ ସ୍ଵଲିଖିତ “Tribes inTransition” ପୁସ୍ତକ ବଣ୍ଟନ କରିଥିଲେ। ଟ୍ରଷ୍ଟ ତରଫରୁ ପଂକ୍ତି ଭୋଜନର ଆୟୋଜନ କରାଯାଇଥିଲା।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ
