May 26, 2026
Home » ପର୍ଯ୍ୟଟନ କ୍ଷେତ୍ର ପୁରୀ ସହର ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି

ପର୍ଯ୍ୟଟନ କ୍ଷେତ୍ର ପୁରୀ ସହର ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି

0
WhatsApp Image 2026-05-26 at 4.04.38 PM

ପର୍ଯ୍ୟଟନ କ୍ଷେତ୍ର ପୁରୀ ସହର ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ଏବେ ବେଶ୍ ଚିନ୍ତା ର ବିଷୟ ହୋଇଛି। ସହର ରେ ଯେଉଁଠି ଦେଖିଲେ କୁଢ଼ କୁଢ଼ ପ୍ଲାଷ୍ଟିକ ଆବର୍ଜନା। ପଲିଥିନ ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ପାଣି ବୋତଲ ସବୁଆଡ଼େ ପଡ଼ିରହିଛି। ଏହି ପ୍ଲାଷ୍ଟିକ ବର୍ଜ୍ୟ ଡ୍ରେନ ରେ ପଡୁଥିବାରୁ ଡ୍ରେନ ଜାମ ହୋଇ ସହର ଜଳ ବନ୍ଦୀ ସୃଷ୍ଟି ହେଉଛି। ତେବେ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୁରୀ ମହାନଗର ନିଗମ କଡା ପଦକ୍ଷେପ ନେବାକୁ ପରିବେଶ ପ୍ରେମୀ ଓ ବୁଦ୍ଧିଜୀବୀ ମତ ଦେଇଥିବା ବେଳେ ଲୋକ ଙ୍କ ସଚେତନତା ଅଭାବ କୁ ଦାୟୀ କରିଛି ପ୍ରଶାସନ। କିଭଳି ପୁରୀ ସହର ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ରୋକ୍ ଲାଗିପାରିବ ସେ ନେଇ ପ୍ରଶାସନ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବୁଦ୍ଧିଜୀବି ମତ ଦେଇଛନ୍ତି।

ପୁରୀ ସହର କୁ ବର୍ଷକୁ ୨ କୋଟି ପର୍ଯ୍ୟଟକ ଆସୁଛନ୍ତି। ଏଣୁ ପର୍ଯ୍ୟଟକ ମାନେ ପ୍ଲାଷ୍ଟିକ ପାଣି ବୋତଲ ନ କିଣିବା ପାଇଁ ବଡଦାଣ୍ଡ, ସମୁଦ୍ର କୂଳ ସମେତ ପୁରୀ ସହର ର ପ୍ରମୁଖ ସ୍ଥାନ ଗୁଡ଼ିକ ରେ ଡ୍ରିଙ୍କ ଫ୍ରମ ଟ୍ୟାପ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ସେହିପରି ପର୍ଯ୍ୟଟକ ମାନେ ପ୍ଲାଷ୍ଟିକ ପାଣି ବୋତଲ କିଣିବା ପରେ ଏଣେତେଣେ ନ ପକାଇବା ପାଇଁ ଓ ଏହାର ପ୍ରକ୍ରିୟାକରଣ ପାଇଁ ରିଭର୍ସ ଭେଣ୍ଡିଂ ମେସିନ୍ ଲଗାଇଥିଲା ପୁରୀ ପୌର ପ୍ରଶାସନ। ଉଦ୍ଦେଶ୍ୟ ଥିଲା ଏହି ଆରଭିଏମ୍ ମେସିନ୍ ରେ ପ୍ଲାଷ୍ଟିକ ପାଣି ବୋତଲ ପକାଇଲେ ଏହାକୁ ରିସାଇକେଲ କରାଯାଇ ପ୍ଲାଷ୍ଟିକ ପ୍ରଦୂଷଣ କୁ ରୋକାଯାଇପାରିବ। ହେଲେ ଏହି ଆରଭିଏମ୍ ମେସିନ୍ କୁ ରକ୍ଷଣା ବେକ୍ଷଣ କରାନଯିବାରୁ ଏହି ମେସିନ୍ ଗୁଡ଼ିକ ସମ୍ପୂର୍ଣ ଅକାମୀ ହୋଇଯାଇଛି। ଗତ ୨୦୧୮ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରେ ପୁରୀ କୁ ପଲିଥିନ ମୁକ୍ତ କରିବା ସହର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ତତ୍କାଳୀନ ଜିଲ୍ଲାପାଳ ପୁରୀ କୁ ପଲିଥିନ ମୁକ୍ତ କରିବା ପାଇଁ ତୃଣମୂଳ ସ୍ତରରୁ କାର୍ଯ୍ୟାଦେଶ ଦେଇଥିଲେ। ପ୍ରତି ପଞ୍ଚାୟତ ରେ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ନ କରିବା ପାଇଁ ସଭା ଓ ବୈଠକ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ଜିଲାପାଳ ଙ୍କ ପରିବର୍ତ୍ତନ ପରେ ଏହି ଅଭିଯାନ ଠପ୍ ହୋଇଯାଇଛି। ଫଳରେ ବ୍ୟାପକ ପ୍ଲାଷ୍ଟିକ ବର୍ଜ୍ୟ ଯୋଗୁ ପୁରୀ ର ମାଟି, ପାଣି, ପବନ କୁ ବିଷାକ୍ତ କରିଦେଲାଣି ପ୍ଲାଷ୍ଟିକ ରାକ୍ଷସ।ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ରିପୋର୍ଟ ଅନୁସାରେ, କେବଳ ପୁରୀ ସହର ରେ ୨୦୨୩-୨୪ ବର୍ଷ ୮୦୬ ଟନ ପ୍ଲାଷ୍ଟିକ ବର୍ଜ୍ୟ ସୃଷ୍ଟି ହୋଇଥିଲା। ସେହିପରି ୨୦୨୨-୨୩ ରେ ଏହା ୭୨୦ ଟନ ଥିବା ବେଳେ ଏକ ବର୍ଷ ମଧ୍ୟରେ ୮୬ ଟନ ପ୍ଲାଷ୍ଟିକ ବର୍ଜ୍ୟ ବୃଦ୍ଧି ପାଇଛି। ସେଥି ମଧ୍ୟରୁ କେବଳ ୫୬୦ ଟନ ପ୍ରକ୍ରିୟାକରଣ ହୋଇପାରୁଛି। ଅନ୍ୟ ପ୍ଲାଷ୍ଟିକ ବର୍ଜ୍ୟ ମାଟିରେ ମିଶି, ନଳା ଜମା ହୋଇ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଉଚି। ରିପୋର୍ଟ ମୁତାବକ ପ୍ଲାଷ୍ଟିକ ବର୍ଜ୍ୟ ସୃଷ୍ଟି କରିବାରେ ପୁରୀ ଜିଲା ୧୩ ତମ ସ୍ଥାନରେ ରହିଛି।ପର୍ଯ୍ୟଟନ ସ୍ଥଳୀ କୋଣାର୍କ ରେ ମଧ୍ୟ ପ୍ଲାଷ୍ଟିକ ବର୍ଜ୍ୟ ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ମୁତାବକ କୋଣାର୍କ ରେ ବର୍ଷକରେ ଏହା ୪.୨ ଟନ ରୁ ୪.୫ ଟନ ବୃଦ୍ଧି ପାଇଛି। ସେହିପରି ପିପିଲି, ନିମାପଡ଼ା ଅଞ୍ଚଳରେ ମଧ୍ୟ ପ୍ଲାଷ୍ଟିକ ବର୍ଜ୍ୟ ବୃଦ୍ଧି ପାଇବାରେ ଲାଗିଛି। ହେଲେ ଏହାର ପ୍ରକ୍ରିୟାକରଣ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ୍ ନ ଲାଗିବା ପ୍ଲାଷ୍ଟିକ ବର୍ଜ୍ୟ ବୃଦ୍ଧି ପାଇବାର ମୁଖ୍ୟ କାରଣ। ୫୦ ମାଇକ୍ରନ ତଳକୁ ପଲିଥିନ ବ୍ୟବହାର ଉପରେ ନିଷିଦ୍ଧ ରହିଛି। ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ହୋଟେଲ, ଜଳଖିଆ ଦୋକାନରେ ପଲିଥିନ ବ୍ୟବହାର ହେଉଛି।ପରିବେଶ ବିଜ୍ଞାନୀ ଙ୍କ କହିବା ଅନୁସାରେ, ପ୍ଲାଷ୍ଟିକ ଡିଗ୍ରେଡେସନ୍ ପାଇଁ ୧୦୦ ବର୍ଷ ରୁ ଅଧିକ ସମୟ ଲାଗେ। ଭୂତଳ ଜଳ ରିଚାର୍ଜ କରିବାରେ ବାଧା ସୃଷ୍ଟି କରେ। ପ୍ଲାଷ୍ଟିକ ପୋଡ଼ିଲେ ଯେଉଁ ଧୂଆଁ ନିର୍ଗତ ହୁଏ ତାହା ପରିବେଶ ପାଇଁ କ୍ଷତିକାରକ। ଏହି ଧୂଆଁ ମଣିଷ ଙ୍କ ପାଇଁ ବହୁତ୍ କ୍ଷତିକାରକ। ଏହାକୁ ଦୃଷ୍ଟିରେ ରଖାଯାଇ ପୁରୀ ରେ ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲଗାଯାଇଛି। ହେଲେ ଏହି କଟକଣା କେବଳ କାଗଜ କଲମରେ ରହିଯାଇଛି। ତେବେ ପୁରୀ କୁ ପ୍ଲାଷ୍ଟିକ ରାକ୍ଷସ କବଳରୁ ରକ୍ଷା କରିବାକୁ ହେଲେ ଲୋକ ଙ୍କ ମଧ୍ୟରେ ବ୍ୟାପକ ସଚେତନତା ସହ ଏକକ ପ୍ଲାଷ୍ଟିକ ବ୍ୟବହାର କଟକଣା କୁ କଡାକଡି କରାଯିବାର ଆବଶ୍ୟକତା ଥିବା ପରିବେଶପ୍ରେମୀ ଓ ବୁଦ୍ଧିଜୀବି ମତ ଦେଇଛନ୍ତି।ପରିବେଶପ୍ରେମୀ ତଥା ହୋଟେଲିୟର ଯୁବବ୍ରତ କର କୁହନ୍ତି, ପର୍ଯ୍ୟଟନ କ୍ଷେତ୍ର ପୁରୀ ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ବହୁତ୍ ଚିନ୍ତାର ବିଷୟ। ପ୍ଲାଷ୍ଟିକ ଏବେ ସମୁଦ୍ର ଜଳ ରେ ମିଶି ସମୁଦ୍ର ଜଳ କୁ ପ୍ରଦୂଷିତ କରୁଛି। ପିକନିକ କରିବା ପରେ ପର୍ଯ୍ୟଟକ ମାନେ ଜଙ୍ଗଲ ରେ ପ୍ଲାଷ୍ଟିକ ବର୍ଜ୍ୟ ପକାଇ ଆସୁଛନ୍ତି। ଯାହାକି ଜଙ୍ଗଲ ପାରିବେଶ ନଷ୍ଟ କରୁଥିବା ବେଳେ ଜଙ୍ଗଲି ଜୀବଜନ୍ତୁ ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ କଡ଼ା କଟକଣା ଲାଗୁ ହେବା ଉଚିତ୍। ଆଗକୁ ରଥଯାତ୍ରା ଆସୁଛି। ଲକ୍ଷାଧିକ ଲୋକ ଙ୍କ ସମାଗମ ହେବ। ପ୍ଲାଷ୍ଟିକ ପାଣି ବୋତଲ ଲୋକେ ବ୍ୟବହାର କରିବେ। ଏହା ଦ୍ଵାରା ଟନ ଟନ ପ୍ଲାଷ୍ଟିକ ବର୍ଜ୍ୟ ବାହାରିବ। ଯାହାକି ପରିବେଶ କୁ ବହୁତ୍ କ୍ଷତି କରିବ। ମୁଁ ସମସ୍ତ ଙ୍କୁ ଅନୁରୋଧ କରୁଚି ସୀଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର କମାନ୍ତୁ। ସରକାର ସ୍କୁଲ ସ୍ତରରୁ ହିଁ ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ସଚେତନତା ସୃଷ୍ଟି କରନ୍ତୁ। ଲୋକ ମାନେ ସଚେତନ ହେଲେ ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ରୋକ୍ ଲାଗି ପାରିବ।

ପୁରୀ ମହାନଗର ନିଗମର ର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୁରୀ ସହର ରୁ ବାହାରୁଥିବା ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ କୁ ରିସାଇକେଲ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ତେବେ ଆଗାମୀ ଦିନରେ ଆହୁରି ବ୍ୟାପକ ଭାବେ ଏହି କାର୍ଯ୍ୟ କରାଯିବ। ପୁରୀ ସହର ନିକଟ ରେ ଏକ ସ୍ୱତନ୍ତ୍ର ପ୍ଲାଣ୍ଟ କରାଯିବ। ପୁରୀ ସମେତ, କୋଣାର୍କ, ଓ ଜିଲ୍ଲାରୁ ବାହାରୁଥିବା ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ କୁ ଉକ୍ତ ପ୍ଲାଣ୍ଟ ରେ ରିସାଇକେଲ କରାଯିବ । ସେଥିରୁ ବାୟୋ ଗ୍ୟାସ ଉତ୍ପାଦନ କରାଯିବାର ଯୋଜନା ରହିଛି। ଏ ନେଇ ସ୍ଥାନ ଚିହ୍ନଟ ହୋଇଛି। ସରକାର ଙ୍କୁ ଏ ନେଇ ପ୍ରସ୍ତାବ ଦିଆଯାଇଛି। ସରକାର ଙ୍କ ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *