ଯୋଡ଼ା ସହରମୁହାଁ ୧୫ ଟିକିଆ ହାତୀପଲ
ଡିଏଭି ସ୍କୁଲ ନିକଟରେ ହାତୀ ଦେଖି ଆତଙ୍କିତ ଲୋକେ; ରାସ୍ତାରେ ଭିଡ଼, ଟ୍ରାଫିକ ଜାମ୍
ଯୋଡ଼ା: କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଅଧୀନ ଯୋଡ଼ା ସହର ଉପକଣ୍ଠରେ ଗୁରୁବାର ସନ୍ଧ୍ୟାରେ ୧୫ ଟିକିଆ ହାତୀପଲର ଚଳପ୍ରଚଳ ଦେଖିବାକୁ ମିଳିଛି। ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ହାତୀପଲଟି ଖାଦ୍ୟ ଅନ୍ୱେଷଣରେ ଯୋଡ଼ା ସହର ଅଭିମୁଖେ ଆସି ଡିଏଭି ସ୍କୁଲ ନିକଟରେ ପହଞ୍ଚିଥିଲା। ହଠାତ୍ ସହର ନିକଟରେ ହାତୀପଲକୁ ଦେଖି ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା।
ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୫ଟା ସମୟରେ ହାତୀପଲଟି ଜଙ୍ଗଲରୁ ବାହାରି ସହର ନିକଟକୁ ଚାଲି ଆସିଥିଲା। ହାତୀ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଜମିଥିଲା। ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇ କିଛି ସମୟ ପାଇଁ ଟ୍ରାଫିକ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା।ଏପରିକି କେତେକ ଲୋକ ହାତୀପଲ ନିକଟକୁ ଯାଇ ଫଟୋ ଓ ଭିଡିଓ ଉତ୍ତୋଳନ କରିବାକୁ ଉଦ୍ୟମ କରିଥିବାରୁ ପରିସ୍ଥିତି ଚିନ୍ତାଜନକ ହୋଇପଡ଼ିଥିଲା। ହାତୀ ଉତ୍ତେଜିତ ହୋଇ ଲୋକଙ୍କ ଆଡ଼କୁ ଆସିବାର ଆଶଙ୍କା ଥିବାରୁ ଘଟଣାସ୍ଥଳରେ ଥିବା ବନ ବିଭାଗ କର୍ମଚାରୀ ଓ ପୋଲିସ ଲୋକଙ୍କୁ ହାତୀଠାରୁ ନିରାପଦ ଦୂରତାରେ ରହିବାକୁ ସଚେତନ କରିଥିଲେ।
ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ ହାତୀପଲର ଗତିବିଧି ଉପରେ ନଜର ରଖିଥିଲେ। ହାତୀପଲକୁ ଜନବସତିଠାରୁ ଦୂରେଇ ଜଙ୍ଗଲ ଅଭିମୁଖେ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇଥିଲା।ଅନ୍ୟପକ୍ଷରେ, ଯୋଡ଼ା ଅଞ୍ଚଳରେ ଖଣି କାର୍ଯ୍ୟର ସମ୍ପ୍ରସାରଣ ସହ ଜଙ୍ଗଲ ଅଞ୍ଚଳ ହ୍ରାସ ପାଇବା ଯୋଗୁଁ ବନ୍ୟଜନ୍ତୁଙ୍କ ପ୍ରାକୃତିକ ଆବାସ ଓ ଖାଦ୍ୟ ଉତ୍ସ ପ୍ରଭାବିତ ହେଉଥିବା ନେଇ ପରିବେଶପ୍ରେମୀମାନେ ଚିନ୍ତା ପ୍ରକାଶ କରିଛନ୍ତି। ଖାଦ୍ୟ ଓ ଜଳ ସନ୍ଧାନରେ ହାତୀପଲ ବାରମ୍ବାର ଜନବସତି ଓ ସହରମୁହାଁ ହେଉଥିବାରୁ ମଣିଷ-ହାତୀ ସଂଘର୍ଷର ଆଶଙ୍କା ବଢ଼ିଛି।
ହାତୀଙ୍କ ପାରମ୍ପରିକ ଚଳପଥ ସୁରକ୍ଷିତ ରଖିବା, ଜଙ୍ଗଲ ସୁରକ୍ଷା ସହ ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଓ ଜଳର ବ୍ୟବସ୍ଥା କରାଯିବା ଦିଗରେ ଦୀର୍ଘମିଆଦି ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଏଥିସହ ହାତୀ ସହର ନିକଟକୁ ଆସିଲେ ଲୋକେ ଭିଡ଼ ନକରି ନିରାପଦ ଦୂରତା ବଜାୟ ରଖିବା ସହ ବନ ବିଭାଗକୁ ତୁରନ୍ତ ସୂଚନା ଦେବା ଜରୁରୀ ବୋଲି ସଚେତନ ମହଲରେ କୁହାଯାଇଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
