ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି
ଶ୍ରୀମନ୍ଦିର ରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଶ୍ରୀମନ୍ଦିର ରେ ହେବ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା। ସାତ ପାହାଚ ଦେଇ ଭକ୍ତ ପ୍ରବେଶ କରିବେ। ନାଟ ମଣ୍ଡପ ରେ ପଡ଼ିବାକୁ ଥିବା ୫ ଟି ରାମ୍ପ ରେ ଚଢ଼ି ମହାପ୍ରଭୁ ଙ୍କୁ ଦର୍ଶନ କରିବେ। ଆଗାମୀ ଏକ ସପ୍ତାହ ମଧ୍ୟରେ ପରୀକ୍ଷା ମୂଳକ ଭାବେ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ। ଏହାକୁ ସମୀକ୍ଷା କରାଯାଇ ଆଗାମୀ ୨ ରୁ ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରେ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା କୁ ସମ୍ପୂର୍ଣ ଭାବେ କାର୍ଯ୍ୟକାରୀ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ଗୋଟିଏ ଘଣ୍ଟାରେ ୮ ରୁ ୧୦ ହଜାର ଶ୍ରଦ୍ଧାଳୁ ମହାପ୍ରଭୁ ଙ୍କୁ ଦର୍ଶନ କରିପାରିବେ।
ମଧ୍ୟପ୍ରଦେଶ ରୁ ଆସିଥିବା ଜଣେ ଶ୍ରଦ୍ଧାଳୁ ଅଶୋକ ରାୟ କହିଛନ୍ତି, ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ନେଇ କୌଣସି ଧାଡ଼ି ଦର୍ଶନ ବ୍ୟବସ୍ଥା ନାହିଁ। ଏହା ଦ୍ଵାରା ଭକ୍ତ ଙ୍କ ମଧ୍ୟରେ ବହୁତ୍ ଠେଲାପେଲା ହେଉଛି। ଅନେକ ସମୟରେ ବହୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ମହାପ୍ରଭୂ ଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ଏଭଳି ପରିସ୍ଥିତି ଭଲ ଲାଗୁନି। ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ପ୍ରବଳ ଭିଡ ଯୋଗୁଁ ମହିଳା, ଛୋଟ ପିଲା, ବୟସ୍କ ବ୍ୟକ୍ତି ଭିଡ ଭିତରେ ଦର୍ଶନ କରିବାରେ ବହୁତ୍ ସମସ୍ୟା ଭୋଗୁଛନ୍ତି। ପ୍ରବଳ ଠେଲାପେଲା ଯୋଗୁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଶ୍ରୀମନ୍ଦିର ପ୍ରଶାସନ କୁ ଅନୁରୋଧ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉ। ଏହା ବହୁ ଦୂରରୁ ଆସିଥିବା ଭକ୍ତ ମାନେ ଟିକେ ଭଲରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ
ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ କିଭଳି ସଠିକ୍ ଭାବରେ କାର୍ଯ୍ୟକାରୀ କରାଯାଇପାରିବ ସେ ନେଇ ଭୁବନେଶ୍ୱର ରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ବିଭିନ୍ନ ମଡେଲ ପ୍ରଦର୍ଶିତ କରାଯାଇଥିଲା। ତେବେ ସବୁଠୁ ଭଲ ମଡେଲ କୁ କିଭଳି କାର୍ଯ୍ୟକାରୀ କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ନାଟ ମଣ୍ଡପ ରେ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସାତ ପାହାଚ ରୁ ଭିଡ ନିୟନ୍ତ୍ରଣ କରାଯାଇ ଭକ୍ତ ଙ୍କୁ ଶୃଙ୍ଖଳିତ ଭାବେ ମନ୍ଦିର ପ୍ରବେଶ କରାଯିବା ସହ ଶୃଙ୍ଖଳିତ ଦର୍ଶନ ହୋଇପାରିବ। ତେବେ ଏହାକୁ କାର୍ଯ୍ୟକାରୀ କରାଯିବା ପୂର୍ବରୁ ଶ୍ରୀମନ୍ଦିର ଛତିଶା ନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି, ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଅନୁଧ୍ୟାନ କରାଯିବ।
ଶ୍ରୀମନ୍ଦିର ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ବ୍ୟବସ୍ଥା କିଭଳି ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରିବ ସେ ନେଇ ଅଭିଜ୍ଞ ସେବାୟତ ହୁଅନ୍ତୁ କି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଙ୍କ ମତାମତ ନିଆଯାଇନାହିଁ। ଏବେ ଯେଭଳି ବ୍ୟବସ୍ଥା ରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ସରକାର ଯୋଜନା କରୁଛନ୍ତି ଦର୍ଶନ ଆହୁରି ବିଳମ୍ବ ହେବ। ଆମେ ଚାହୁଁଛୁ ଭକ୍ତ ମାନେ ଭଲରେ ଦର୍ଶନ କରନ୍ତୁ। ହେଲେ କାଠ ରାମ୍ପ ଦ୍ଵାରା ଦର୍ଶନ ବ୍ୟବସ୍ଥା କରାଗଲେ ବହୁ ସମସ୍ୟା ସୃଷ୍ଟି ହେବ। ଏହାକୁ ଖୋଲିବା ଓ ଯୋଡ଼ିବା ପାଇଁ ବହୁତ୍ ସମୟ ଯିବ। ଏହା ହେଲେ ମହାପ୍ରଭୁ ଙ୍କ ନୀତି କାନ୍ତି ରେ ବିଳମ୍ବ ହେବ। ଯାହା ଦ୍ୱାରା ଭକ୍ତ ମାନଙ୍କ ଦର୍ଶନ ବହୁତ୍ ବିଳମ୍ବ ହେବ। ଆମେ ସରକାରଙ୍କୁ ଅନୁରୋଧ କରିଥିଲୁ ପ୍ଲାଷ୍ଟିକ ରେ ରାମ୍ପ ବ୍ୟବସ୍ଥା ହେଉ। ଏହା ହାଲୁକା ହେବ। ଏହାକୁ ନେବା ଆଣିବା ସହଜ ହେବା ସହ କମ୍ ସମୟରେ ଏହାକୁ ଲଗାଯାଇ ପୁଣି ଖୋଲାଯାଇ ପାରିବ। ଏଣୁ ନାଟ ମଣ୍ଡପ ଭିତରେ ଯେଉଁ ରାମ୍ପ ବ୍ୟବସ୍ଥା ପାଇଁ ସରକାର ଯୋଜନା କରୁଛନ୍ତି ତାହା କାଠ ବଦଳରେ ପ୍ଲାଷ୍ଟିକ ରେ ହେଉ। ଏହା ଦ୍ଵାରା ଧାଡ଼ି ଦର୍ଶନ ବ୍ୟବସ୍ଥା ସୁଗମ ଓ ଶୃଙ୍ଖଳିତ ହୋଇପାରିବ
୨୦୨୫ ମସିହା ସେପ୍ଟେମ୍ବର ୧୫ ତାରିଖରୁ ସରକାର ଶ୍ରୀମନ୍ଦିର ର ନାଟ ମଣ୍ଡପ ରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ଦୁଇଟି ପ୍ରତିବନ୍ଧକ ଥିଲା ହୁଣ୍ଡି ସ୍ଥାନାନ୍ତର ଓ ଏସଓପି। ହୁଣ୍ଡି ସ୍ଥାନାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ସ୍ବୀକୃତି ଦେଇ ସାରିଛନ୍ତି। ହେଲେ ଏହା କେଉଁଠି ସ୍ଥାପନ ହେବ ସେ ନେଇ ସ୍ଥାନ ଚିହ୍ନଟ ହୋଇନାହିଁ। ହୁଣ୍ଡି ସ୍ଥାନାନ୍ତର ନ ହେବା ଯାଏ ନାଟ ମଣ୍ଡପ ରେ ରାମ୍ପ ପକାଯାଇ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ ନାହିଁ। ଧାଡ଼ି ଦର୍ଶନ ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ପୁରୀ ଜିଲ୍ଲାପାଳ ଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ ଏ ପର୍ଯ୍ୟନ୍ତ ଏସଓପି ପ୍ରସ୍ତୁତ ହୋଇନାହିଁ।
ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଇନମନ୍ତ୍ରୀ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ହୋଇଛି। ନାଟ ମଣ୍ଡପ ରେ କିଭଳି ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ ସେ ନେଇ ଭୁବନେଶ୍ୱର ଆଇଆଇଟି ପକ୍ଷରୁ ବିଭିନ୍ନ ମଡେଲ ପ୍ରଦର୍ଶିତ ହୋଇଥିଲା। ଆମେ ସେବାୟତ ଙ୍କ ସହ ଏ ନେଇ ଆଲୋଚନା କରିବୁ। ତାଙ୍କ ପରାମର୍ଶ କୁ ଆଧାର କରି ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଧାଡ଼ି ଦର୍ଶନ ସମ୍ପୂର୍ଣ କାର୍ଯ୍ୟକାରୀ ପୂର୍ବରୁ ଏ ନେଇ ପରୀକ୍ଷା ମୂଳକ ଭାବେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ମହାପ୍ରଭୂ ଙ୍କ ଯେଭଳି ନୀତିକାନ୍ତି ବାଧା ନ ଉପୁଜେ ସେ ନେଇ ଦୃଷ୍ଟି ଦିଆଯିବ। ସବୁ ଦିଗକୁ ଦୃଷ୍ଟିରେ ରଖାଯାଇ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ
