ସିଡିଏମ୍ଓଙ୍କୁ ଦାବିପତ୍ର ଦେଲା ନୟାଗଡ଼ କଂଗ୍ରେସ
ଅଣପଞ୍ଜୀକୃତ କ୍ଲିନିକାଲ୍ ପ୍ରତିଷ୍ଠାନ ଓ ସରକାରୀ ଡାକ୍ତରଙ୍କ ବେଆଇନ ଘରୋଇ ପ୍ରାକ୍ଟିସ୍ ବନ୍ଦ କରିବା ପାଇଁ
ନୟାଗଡ଼ : ( ଇପିଏ ) ନୟାଗଡ ଜିଲ୍ଲାରେ ସରକାରୀ ଡାକ୍ତରମାନଙ୍କ ଦ୍ୱାରା ଚାଲିଥିବା ବେଆଇନ ଘରୋଇ ପ୍ରାକ୍ଟିସ୍ ତଥା ଅଣପଞ୍ଜୀକୃତ କ୍ଲିନିକାଲ୍ ପ୍ରତିଷ୍ଠାନ ଉପରେ ରୋକ୍ ଲଗାଇବା ପାଇଁ ଜିଲ୍ଲା କଂଗ୍ରେସ କମିଟି ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ଡାକ୍ତର ସୁଶାନ୍ତ କୁମାର ସ୍ୱାଇଁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l
ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ (ନିୟନ୍ତ୍ରଣ ଓ ନିୟାମକ) ଆଇନ, ୧୯୯୦ ର ଧାରା ୨(ଖ) ଅନୁଯାୟୀ, ରୋଗ ନିରୂପଣ, ପରୀକ୍ଷା, ଚିକିତ୍ସା କିମ୍ବା ଗର୍ଭାବସ୍ଥା ସମ୍ବନ୍ଧୀୟ ସେବା ଯୋଗାଉଥିବା ଯେକୌଣସି ପ୍ରତିଷ୍ଠାନ କିମ୍ବା ଚାମ୍ବର ପାଇଁ ବୈଧ ପଞ୍ଜୀକରଣ ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ। ମାତ୍ର ଜିଲ୍ଲାରେ ବହୁ ସରକାରୀ ଡାକ୍ତର କୌଣସି ନିୟମ ନମାନି ନିଜ ବାସଭବନ ତଥା ବେଆଇନ କ୍ଲିନିକରେ ଖୁଲମଖୁଲା ଘରୋଇ ପ୍ରାକ୍ଟିସ୍ ଚଳାଇଛନ୍ତି। ବିଶେଷକରି ସରକାରୀ ନିଶ୍ଚେତକ (Anaesthetist) ଓ ବିଶେଷଜ୍ଞ ଡାକ୍ତରମାନେ ସରକାରୀ ଡାକ୍ତରଖାନା ଉପେକ୍ଷା କରି ବିଭିନ୍ନ ଘରୋଇ ନର୍ସିଂହୋମ୍ ଓ ହସ୍ପିଟାଲକୁ ନିୟମିତ ଯାତାୟାତ କରୁଥିବାରୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହେଉଛି।

ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ତୁରନ୍ତ ଏହି ଅନଧିକୃତ କ୍ଲିନିକ୍ ଗୁଡ଼ିକର ଯାଞ୍ଚ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।
ପ୍ରତ୍ୟେକ ଅଲଟ୍ରାସାଉଣ୍ଡ କ୍ଲିନିକ ରେ ବେଆଇନ ଭାବେ ଦିନକୁ୧00-୧୫0 ଅଲଟ୍ରାସାଉଣ୍ଡ କରାଯାଇ ଜଣକା ଠାରୁ ପ୍ରାୟ ୧୪୦୦ ରୁ ୨୦୦୦ ଟଙ୍କା ଆଦାୟ କରାଯାଉଛି l ସରକାର ପ୍ରତ୍ୟେକ ଅଲଟ୍ରାସାଉଣ୍ଡ ପିଛା ୯00 ଟଙ୍କା ଦରଧାର୍ଯ୍ୟ କରାଯାଇଥିବା ବେଳେ ଏତେ ଟଙ୍କା କ୍ୟାସ ଆକାରରେ ଆଦାୟ ହେଉଛି l ଜଣେ ରେଡ଼ିଓଲୋଜିଷ୍ଟ ଦିନକୁ ୩0. ଅଲଟ୍ରାସାଉଣ୍ଡ କରିବା ପାଇଁ ନିୟମ ଥିଲାବେଳେ ଅର୍ଥଲୋଭ ରେ ପିସିପିଏନଡିଟି ଆଇନ ଉଲ୍ଲଙ୍ଘନ କରାଯାଉ ଥିବା ଅଭିଯୋଗ କରାଯାଇ ସ୍ପଟ ଇନ୍ସପେକ୍ସନ କରିବା ପାଇଁ ସିଡ଼ିଏମଓ ଙ୍କୁ କୁହାଯାଇ ଥିଲା l ଯଦି ପ୍ରଶାସନ ଏହି ବେଆଇନ କାର୍ଯ୍ୟକଳାପ ବନ୍ଦ କରିବାରେ ବିଫଳ ହୁଏ, ତେବେ ଜନସ୍ୱାର୍ଥ ଦୃଷ୍ଟିରୁ ଏହା ବିରୋଧରେ ଗଣତାନ୍ତ୍ରିକ ଢଙ୍ଗରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
