ଅଭୟା ଲେଖିକା ସାହିତ୍ୟ ସଙ୍ଗଠନର ବାର୍ଷିକ ପତ୍ରିକା “ରେବତୀ” ଉନ୍ମୋଚନ ଓ ସାରସ୍ବତ ସମାରୋହ
କେନ୍ଦ୍ରାପଡ଼ା ଜିଲ୍ଲାର ଏକ ସାରସ୍ବତ ସମାରୋହରେ ଅଭୟା ଲେଖିକା ସାହିତ୍ୟ ସଙ୍ଗଠନର ବାର୍ଷିକ ପତ୍ରିକା “ରେବତୀ” ଉନ୍ମୋଚନ ଓ ପୁସ୍ତକ ମେଳା ସ୍ଥାନୀୟ ଭଗେଶ୍ଵରପୁର ଶାରଳା ମନ୍ଦିରରେ ଅନୁଷ୍ଠିତ ହେଇଯାଇଛି। ସର୍ବ ପ୍ରଥମେ ସଙ୍ଗଠନର ସ୍ୱାଗତ ସଙ୍ଗୀତ ଦ୍ଵାରା ଅତିଥି ମାନଙ୍କୁ ମଞ୍ଚକୁ ଆମତ୍ରଣ କରାଯାଇଥିଲା। ବନ୍ଦେ ଉତ୍କଳ ଜନନୀ ଗାନ ଓ ମାଆ ଶାରଳାଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜୋଳନ ପରେ ସଂପାଦିକା ଶ୍ରୀମତୀ ଆରାଧନା ଦାସ ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିଥିଲେ। ସଭାପତି ବାସନ୍ତୀ ଦାସ ଏକ ଶାସ୍ତ୍ରୀୟ ସଙ୍ଗୀତ ଗାନ କରିବା ସହିତ କେନ୍ଦ୍ରାପଡା ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ ସହର ଠାରୁ ପଲ୍ଲୀ ସବୁଠି ସମସ୍ତଙ୍କର ଅଂଶ ଗ୍ରହଣ ସହ ପ୍ରକୃତ ସୃଜନଶୀଳତାର ଅଭିବୃଦ୍ଧି ପାଇଁ ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ସହକାରୀ ପ୍ରଫେସର, ଡକ୍ଟର ସନ୍ତୋଷ କୁମାର ରାଉତ, ମୁଖ୍ୟବକ୍ତା ଡକ୍ଟର ନିରଞ୍ଜନ ମେକାପ, ସମ୍ମାନୀତ ଅତିଥି ଭାବେ ଶ୍ରୀ ଶୁଭ୍ରାଂଶୁ କୁମାର ଦାସ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ଡକ୍ଟର ଦୀପକ କୁମାର ଓଝା ଉପସ୍ଥିତ ରହି ନିଜସ୍ୱ ସାରଗର୍ଭକ ଅଭିମତ ରଖିବା ସହିତ ବାର୍ଷିକ ପତ୍ରିକା “ରେବତୀ”ର ଉନ୍ମୋଚନ କରିଥିଲେ। ଏହା ପରେ କବିତା ପାଠ ଉତ୍ସବ ଓ ପୁସ୍ତକ ମେଳା ଅନୁଷ୍ଠିତ ହୋଇଥିଲା। ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ସହକାରୀ ପ୍ରଫେସର ଡକ୍ଟର ସନ୍ତୋଷ କୁମାର ରାଉତଙ୍କୁ ଓଡ଼ିଆ ଭାଷା ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ଏବଂ ନାରୀ ଶିକ୍ଷାର ଶୈକ୍ଷିକ ଉନ୍ନତି ଓ ତତଜନିତ ଗବେଷଣାତ୍ମକ କାର୍ଯ୍ୟରେ ପ୍ରଗତି ପାଇଁ ତାଙ୍କୁ ଚଳିତ ବର୍ଷ ପାଇଁ ରେବତୀ ସମ୍ମାନ ପ୍ରଦାନ କରାଯାଇଥିଲା।ଏହାକୁ ସଂଯୋଜନା କରିଥିଲେ କବୟିତ୍ରୀ ସ୍ୱର୍ଣ୍ଣପ୍ରଭା ଷଢ଼ଙ୍ଗୀ। ପରିଶେଷରେ କବି ଶ୍ରୀ ସୌଭାଗ୍ୟ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
