ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମା ସୁରେଶ୍ୱରୀ, ଭଗବତୀ ଓ ଦୁର୍ଗାଦେବୀ l
ସୁବର୍ଣ୍ଣପୁର— ଶାରଦୀୟ ନବରାତ୍ରିର ତୃତୀୟ ଦିବସରେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ଓ ମା’ ଦୁର୍ଗାଦେବୀ ଚନ୍ଦ୍ରଘଣ୍ଟା ବେଶରେ ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ଦେଇଛନ୍ତି। ତିନି ଦେବୀଙ୍କ ଏହି ମନୋମୁଗ୍ଧକର ବେଶ ଦର୍ଶନ ପାଇଁ ଦେବୀପୀଠଗୁଡ଼ିକରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।ମା’ ଦୁର୍ଗାଙ୍କ ନବଦୁର୍ଗା ସ୍ୱରୂପ ମଧ୍ୟରୁ ଚନ୍ଦ୍ରଘଣ୍ଟା ତୃତୀୟ ସ୍ୱରୂପ। ମାଁ’ଙ୍କ ମସ୍ତକରେ ଘଣ୍ଟା ଆକୃତି ର ଅର୍ଦ୍ଧଚନ୍ଦ୍ର ଶୋଭା ପାଉଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ। ଦଶଭୁଜା ମା’ଙ୍କ ଏହି ଦିବ୍ୟ ସ୍ୱରୂପ ଶକ୍ତି, ସାହସ, ଶାନ୍ତି ଓ ଧର୍ମର ପ୍ରତୀକ। ତାଙ୍କର ବିଭିନ୍ନ ଅସ୍ତ୍ରଶସ୍ତ୍ର ଦୁଷ୍ଟଶକ୍ତିର ବିନାଶ ଏବଂ ଧର୍ମର ସୁରକ୍ଷାର ବାର୍ତ୍ତା ପ୍ରଦାନ କରେ।
ପୌରାଣିକ ମତ ଅନୁସାରେ, ଦେବୀ ଚନ୍ଦ୍ରଘଣ୍ଟା ଅନ୍ୟାୟ ଓ ଅସୁରଶକ୍ତିର ବିନାଶ କରି ଧର୍ମର ପ୍ରତିଷ୍ଠା କରନ୍ତି। ତାଙ୍କ ଘଣ୍ଟାଧ୍ୱନି ଦୁଷ୍ଟଶକ୍ତିକୁ ପରାସ୍ତ କରିବା ସହ ଭକ୍ତମାନଙ୍କ ମନରେ ନିର୍ଭୟତା ଓ ଆତ୍ମବିଶ୍ୱାସ ଜାଗ୍ରତ କରେ। ତେଣୁ ଏହି ଦିନ ମା’ଙ୍କ ଆରାଧନାର ବିଶେଷ ମହତ୍ତ୍ୱ ରହିଛି।
ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର ସାଧନା ପରମ୍ପରାରେ ସମୃଦ୍ଧ ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀ, ମା’ ଭଗବତୀ ଓ ମା’ ଦୁର୍ଗାଦେବୀଙ୍କ ଏହି ବେଶ ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଉତ୍ସାହ ଭରିଦେଇଥିବାର ଜଣାଯାଏ। ଜନବିଶ୍ୱାସ ଅନୁଯାୟୀ, ମା’ଙ୍କ ଦର୍ଶନ ଜୀବନରେ ସୁଖ, ଶାନ୍ତି ଓ ମଙ୍ଗଳ ଆଣିଥାଏ। ଏହି ବିଶ୍ୱାସକୁ ହୃଦୟରେ ଧାରଣ କରି ଶ୍ରଦ୍ଧାଳୁମାନେ ନିତ୍ୟ ମାଁ’ଙ୍କ ଦର୍ଶନ କରିବା ସହ ପରିବାର ଓ ସମାଜର ମଙ୍ଗଳ କାମନା କରୁଛନ୍ତି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
