ପାରାଦ୍ଵୀପ ବନ୍ଦର ସାଂସ୍କୃତିକ ମହୋତ୍ସବ 2024ର ସପ୍ତମ ସନ୍ଧ୍ୟା – ବିଦ୍ୟୁତ ଏବଂ ଯାନ୍ତ୍ରିକ ବିଭାଗର ନାଟକ “ଶେଷରୁ ଆରମ୍ଭ” ମଞ୍ଚସ୍ଥ ।
ପାରାଦ୍ଵୀପ ବନ୍ଦର ଜଗନ୍ନାଥ ଲଳିତ କଳା ସଂସଦ ଆନୁକୁଲ୍ୟରେ ଆୟୋଜିତ ସାଂସ୍କୃତିକ ମହୋତ୍ସବ 2024ର ସପ୍ତମ ସନ୍ଧ୍ୟାରେ ବିଦ୍ୟୁତ ଏବଂ ଯାନ୍ତ୍ରିକ ବିଭାଗର କର୍ମଚାରୀ ତଥା ସେମାନଙ୍କ ପରିବାରର ସଦସ୍ୟମାନେ ଦିଲ୍ଲୀପ ବଳବନ୍ତରାୟଙ୍କ ରଚନା ଓ କ୍ୟାପଟେନ ନିରଞ୍ଜନ ଗାନଙ୍କ ନିର୍ଦ୍ଦେଶନାରେ ଜୟଦେବ ସଦନ ଠାରେ ମଞ୍ଚସ୍ଥ କରିଥିଲେ ନାଟକ “ଶେଷରୁ ଆରମ୍ଭ ” । ନାଟକରେ ବିଦ୍ୟୁତ ଏବଂ ଯାନ୍ତ୍ରିକ ବିଭାଗ ପକ୍ଷରୁ ମିହିର ସେଣ, ତନ୍ମୟ ଦାସ, ଜଶୋବନ୍ତ ସାହୁ, ରଶ୍ମି ରଂଜନ ଶତପଥୀ, ଧୁନ ତରାଇ, ସତ୍ୟମିତ୍ରା ସାହୁ ଓ କଣ୍ଢେଇ ଅଭିନୟ କରିଥିଲେ । ଏନ୍ତୁଡ଼ି ଶାଳରୁ ଆରମ୍ଭ କରି ଜୀବନର ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ବାପା-ମା ପିଲା ମାନଙ୍କର ସୁଖ-ଦୁଃଖ, ଅଳି-ଅର୍ଦ୍ଦଳିକୁ ହସି ହସି ଗ୍ରହଣ କରନ୍ତି ।
ନିଜେ କଷ୍ଟରେ ଥାଇ ମଧ୍ୟ ପିଲାମାନଙ୍କର ମଙ୍ଗଳ କାମନା କରନ୍ତି । ହେଲେ ପିଲାମାନଙ୍କର ନିଜ ମୁଣ୍ଡକୁ ହାତ ପାଇଯିବା ପରେ ନିଜ ନିଜର କର୍ମକ୍ଷେତ୍ରରେ ପାରଦର୍ଶିତା ଓ ସମୟନୁଵର୍ତିତାର ଦ୍ୱାହି ଦେଇ ବୁଢା ମାଆ ବାପାଙ୍କର ଯତ୍ନ ନେବା ତ ଦୂରର କଥା ସେମାନଙ୍କ ସ୍ୱାଭିମାନର ମୂଲ୍ୟ ଦେବା ପାଇଁ ଅନିଚ୍ଛା ପ୍ରକାଶ କରନ୍ତି ଏବଂ ସେମାନଙ୍କ ସହ କରନ୍ତି ଚୁକ୍ତି । ଏକାଠି ରହିବାର ଇଚ୍ଛା ଭଙ୍ଗ କରି ପରିଣତ ବୟସରେ ବି ବାଧ୍ୟ ହୁଅନ୍ତି ସ୍ବାମୀ ସ୍ତ୍ରୀ ପରସ୍ପରକୁ ଛାଡ଼ପତ୍ର ଦେବାପାଇଁ ଏବଂ ଯେତେବେଳେ ସେଥିରେ ଅକୃତକାର୍ଯ୍ୟ ହୁଅନ୍ତି ସେତେବେଳେ ପରସ୍ପରଙ୍କ ମନରେ ଜାତ ହୁଏ ଏକ ଅଦ୍ଭୁତ ଚିନ୍ତାଧାରା । ହେଲେ ସେଥିରୁ ସେମାନେ ପାଆନ୍ତି କଣ ?? ଏହି ପ୍ରଶ୍ନର ଉତ୍ତର ଦେଇଛି ଭିନ୍ନ ସ୍ୱାଦର ନାଟକ ଶେଷରୁ ଆରମ୍ଭ । କଳାକାର ମାନେ ସେମାନଙ୍କର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )