ପ୍ରତାପପୁରକୁ ମିଳିଲା ରାଜ୍ୟର ଶ୍ରେଷ୍ଠ ଇକୋ କ୍ଲବ୍ ପୁରସ୍କାର l
ସୁବର୍ଣ୍ଣପୁର —ସେଣ୍ଟର ଫର ଏନଭାରମେଣ୍ଟାଲ ଷ୍ଟଡିଜ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଭୁବନେଶ୍ଵର ସ୍ଥିତ ଓଡିଶା ଲୋକ ସେବା ଭବନ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ପରିବେଶ ସୁରକ୍ଷା ଓ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ଶ୍ରେଷ୍ଠ ଇକୋ କ୍ଲବ୍ ଭାବରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରତାପପୁରକୁ ମାନପତ୍ର ସହ ନଗଦ କୋଡିଏ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରାପ୍ତ ହୋଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂଖୁଣ୍ଟିଆ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପୁରସ୍କାର ପ୍ରଦାନ କରିଥିବା ବେଳେ ପ୍ରମୁଖ ଶାସନ ସଚିବ ଭାସ୍କର ଶର୍ମା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତଥା ବିଭାଗୀୟ ଅନ୍ୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଏଠାରେ ଆୟୋଜିତ ପରିବେଶ ପ୍ରଦର୍ଶନୀରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗୋପେଶ ପଣ୍ଡା ଉପସ୍ଥିତ ରହି ପୂର୍ବରୁ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିବା ବେଷ୍ଟ ଫ୍ରମ ୱେଷ୍ଟ ପ୍ରକଳ୍ପକୁ ପ୍ରଦର୍ଶିତ କରିଥିଲେ । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଏହି ସମ୍ମାନର ସମସ୍ତ ଶ୍ରେୟ ବିଦ୍ୟାଳୟ ସହ ଜଡିତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା, ଛାତ୍ରଛାତ୍ରୀ ସର୍ବୋପରି ସମସ୍ତ ଗ୍ରାମବାସୀଙ୍କୁ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏହା ସାମଗ୍ରୀକ ପ୍ରଚେଷ୍ଟା ତଥା ସଂପୃକ୍ତିର ଫଳ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷିନୀ ନନ୍ଦ ମତବ୍ୟକ୍ତ କରିଛନ୍ତି । ଏହି ସମ୍ବାଦ ପ୍ରଚାରିତ ହେବା ପରେ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯିବା ସହ ବୁଦ୍ଧିଜିବୀ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
