ବନ୍ଧୁକ ମୂନରେ ଜନ ସେବା କେନ୍ଦ୍ର ମାଲିକ ଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ l

ସୁବର୍ଣ୍ଣପୁର — ଦିନକୁ ଦିନ ସୁବର୍ଣ୍ଣପୁର ଜିଲ୍ଲାରେ ଅସାମାଜିକ କାର୍ଯ୍ୟକଳାପ ବଢି ବଢି ଚାଲିଛି । କେତେବେଳେ ମନ୍ଦିରରୁ ଚୋରି ତ କେତେବେଳେ ବିଚ୍ ବଜାରରେ ଲୁଟ୍ ହେଉଛି l ତେବେ ଗତକାଲି ମଙ୍ଗଳବାର ସନ୍ଧ୍ୟାର ଘଟଣା ସାରା ଜିଲ୍ଲାରେ ଭୟର ବାତାବରଣ ଖେଳାଇ ଦେଇଛି । ମହାନଦୀର ଆରପାଖ ଧର୍ମଶାଳା ଛକରେ ଜନସେବା କେନ୍ଦ୍ର ଖୋଲିଥିବା ଲେହେଡି ଗ୍ରାମର ନୀଳାମ୍ବର ମହାପାତ୍ରଙ୍କ ଠାରୁ ବନ୍ଧୁକ ମୂନରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି । ସବୁଦିନ ଭଳି ସନ୍ଧ୍ୟା ସାଢେ ୬ଟାରେ ଜନସେବା କେନ୍ଦ୍ର ବନ୍ଦ କରି ଲେହେଡି ସ୍ଥିତ ନିଜ ଘରକୁ ନୀଳାମ୍ବର ଫେରୁଥିଲେ । ଏକ ଲାଲ ରଙ୍ଗର ରେସିଂ ବାଇକ୍ରେ ତିନି ଜଣ ଲୁଟେରା ଆସି ଅଧାବାଟରେ ଅତର୍କିତ ଭାବେ ନୀଳାମ୍ବରଙ୍କୁ ଆକ୍ରମଣ କରିଥିଲେ । ନୀଳାମ୍ବର ଧରିଥିବା ଟଙ୍କା ବ୍ୟାଗକୁ ଜୋର ଜବରଦସ୍ତି ଛଡାଇବା ପାଇଁ ସେମାନେ ଉଦ୍ୟମ କରିଥିଲେ । ହେଲେ ସେ ଏହାର ପ୍ରତିରୋଧ କରିବାରୁ ଲୁଟେରା ମାନେ ବାରମ୍ବାର ନୀଳାମ୍ବରଙ୍କ ମୁଣ୍ଡକୁ ପିସ୍ତଲର ପଛପଟେ ଆକ୍ରମଣ କରିଥିଲେ । ନୀଳାମ୍ବର ଗୁରୁତର ଅବସ୍ଥା ରେ ସେଠାରେ ପଡି ଯିବାରୁ ଲୁଟେରା ମାନେ ଟଙ୍କା ବ୍ୟାଗ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଗୁରୁତର ଅବସ୍ଥାରେ ନୀଳାମ୍ବରଙ୍କୁ ଘଟଣାସ୍ଥଳରୁ କିଛି ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଚେତନା ହସପିଟାଲ କୁ ନେଇଥିଲେ l ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଓ ମୁଣ୍ଡରେ ୧୫ ରୁ ଉର୍ଦ୍ଧ୍ବ ଷ୍ଟିଚ୍ ପଡିଛି । ଏହା ଏକ ବ୍ୟାଙ୍କର ଜନସେବା କେନ୍ଦ୍ର ହୋଇଥିବାରୁ ଲୋକେ ଜମା ଦେଇଥିବା ଦେଢ ଲକ୍ଷ ଟଙ୍କା ବ୍ୟାଗରେ ଥିଲା ବୋଲି ନୀଳାମ୍ବର କହିଛନ୍ତି । ଅଭିଯୋଗ ପାଇ ହିକୁଡି ଫାଣ୍ଡି ପୋଲିସ ତୁରନ୍ତ ଘଟଣାସ୍ଥଳରେ ଓ ମେଡିକାଲ୍ ରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ସୂଚନା ଅନୁସାରେ ତିନିଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଲୁଟି ନେବା ସହ ଗୋଟିଏ ମୋବାଇଲ ଏବଂ ତିନିଟି ଏ ଟି ଏମ କାର୍ଡ ଲୁଟି ନେଇଥିବା ଅଭିଯୋଗ ହୋଇଛି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର