October 8, 2026
Home » ବରଗଡ଼ରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବା ଜ୍ୟୋତି ଯାତ୍ରା ମହାସମାରୋହରେ ଅନୁଷ୍ଠିତ

ବରଗଡ଼ରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବା ଜ୍ୟୋତି ଯାତ୍ରା ମହାସମାରୋହରେ ଅନୁଷ୍ଠିତ

0
WhatsApp Image 2026-10-07 at 8.15.18 PM (1)

 

୧୦ ହଜାରରୁ ଅଧିକ ଜନସାଧାରଣଙ୍କ ଅଂଶଗ୍ରହଣ

ଆଭାସୀ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଯୋଡ଼ି ହେଲେ ଦେଶର ୧୭କୋଟି ଜନସାଧାରଙ୍କ ସହ

ବରଗଡ଼,”ବିକଶିତ ଭାରତ @୨୦୪୭: ସଂକଳ୍ପରୁ ସିଦ୍ଧି” ଆଭିମୁଖ୍ୟକୁ ନେଇ ବରଗଡ଼ଠାରେ ବିକଶିତ ଭାରତ ସଂକଳ୍ପ ସଭା ଏବଂ ସେବା ଜ୍ୟୋତି ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବିଶାଳ କାର୍ଯ୍ୟକ୍ରମରେ ଅଞ୍ଚଳର ପ୍ରାୟ ୧୦ ହଜାରରୁ ଅଧିକ ଜନସାଧାରଣ ଯୋଗଦେଇ ନିଜର ସଂକଳ୍ପ ଏବଂ ଉତ୍ସାହ ପ୍ରଦର୍ଶନ କରିଥିଲେ। ଏହାସହିତ ଆୟୋଜିତ ଜନଜାଗରଣ ଶୋଭାଯାତ୍ରାରେ ୨୦୦୦ରୁ ଅଧିକ ଲୋକ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଗାନ୍ଧୀ ଛକରୁ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ହୋଇଥିଲା, ଯେଉଁଥିରେ ସହସ୍ରାଧିକ ନାଗରିକ ସେବା ଜ୍ୟୋତି ଯାତ୍ରାରେ ସାମିଲ ହୋଇଥିଲେ। ସଭାସ୍ଥଳରେ ପହଞ୍ଚିବା ପରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାପରେ ସେବା ଜ୍ୟୋତି ମଞ୍ଚରେ ପ୍ରଦୀପ ପ୍ରଜ୍ବଳନ, ଆମନ୍ତ୍ରିତ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଏବଂ ବନ୍ଦେ ମାତରଂ ଗାନ ସହ ଆନୁଷ୍ଠାନିକ ସଭା ଆରମ୍ଭ ହୋଇଥିଲା।ଏହି ଗୁରୁତ୍ୱପୂର୍ଣ୍ଣ ସଭାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ, ଅତାବିରା ବିଧାୟକ ନିହାର ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡ଼ତିଆ ଏବଂ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୁଏ ପ୍ରମୁଖ ଯୋଗଦେଇଥିଲେ। ଏଥିସହିତ ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡି.ମୁରଲୀକ୍ରୀଷ୍ଣନ୍, ଜିଲ୍ଲା ପ୍ରଭାରୀ ବାସୁଦେବ ବାରିକ ମଧ୍ୟ ମଞ୍ଚାସୀନ ଥିଲେ। ଅତିଥିମାନେ ନିଜ ନିଜ ଅଭିଭାଷଣରେ ବିକଶିତ ଭାରତ ଗଠନରେ ଜନସାଧାରଣଙ୍କ ଭାଗୀଦାରୀ ଏବଂ ସେବା ମନୋଭାବର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ମାନ୍ୟବର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ (ଭର୍ଚୁଆଲ୍) ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ସମସ୍ତ ଉପସ୍ଥିତ ଜନସାଧାରଣ “ବିକଶିତ ଭାରତ @୨୦୪୭” ପାଇଁ ସାମୂହିକ ସଂକଳ୍ପ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମର ଶେଷ ଭାଗରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେବା ଜ୍ୟୋତି ଛକ ସ୍ଥାପନା ଉଦ୍ଦେଶ୍ୟରେ ଏକ ଭବ୍ୟ ପଦଯାତ୍ରା ଆୟୋଜିତ ହୋଇଥିଲା।

 

ବ୍ୟୋମକେଶ କର (ସାମ୍ବାଦିକ )

Leave a Reply

Your email address will not be published. Required fields are marked *