June 16, 2026
Home » ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସାମାଜିକ ପ୍ରତିଜ୍ଞାର ଆହ୍ୱାନ

ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସାମାଜିକ ପ୍ରତିଜ୍ଞାର ଆହ୍ୱାନ

0
WhatsApp Image 2026-06-16 at 3.26.35 PM

 

ଭୁବନେଶ୍ୱର,: ଜୁନ୍ ୧୫ ବିଶ୍ୱ ବରିଷ୍ଠ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ ଅବସରରେ ବତ୍ରିଶ ସିଂହାସନ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଭୀମ ଟାଙ୍ଗୀ ଫେଜ-୧ସ୍ଥିତ ଡେ-କେୟାର ସେଣ୍ଟରରେ ଗତକାଲି ସନ୍ଧ୍ୟା ୭ ଘଟିକା ସମୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ମଞ୍ଚର ସଭାପତି ଗଣେଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ କାଶୀନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, “ବରିଷ୍ଠ ନାଗରିକମାନେ ଆମର ଜୀବନ୍ତ ଇତିହାସ ଓ ଜ୍ଞାନର ଭଣ୍ଡାର। ସେମାନଙ୍କୁ ଦୁର୍ବ୍ୟବହାରୁ ରକ୍ଷା କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ।”

ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ କର୍ପୋରେଟର ଶିବ ନାରାୟଣ ରାୟ କହିଲେ, “ଜୀବନର ସନ୍ଧ୍ୟାବେଳାରେ ଜଣେ ବରିଷ୍ଠ ନାଗରିକ ସୁରକ୍ଷା, ସମ୍ମାନ ଓ ଯତ୍ନ ଆଶା କରନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ଅନେକ ବୟସ୍କ ନିର୍ଯାତନା, ଅବହେଳା ଓ ଶୋଷଣର ଶିକାର ହେଉଛନ୍ତି। ଏହି ସମସ୍ୟା ପ୍ରତି ସମଗ୍ର ସମାଜକୁ ସତର୍କ ରହିବାକୁ ପଡିବ।”

ମଞ୍ଚର ବରିଷ୍ଠ ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ବଡୁ କହିଲେ, “ଏହା କେବଳ ଏକ ଦିବସ ନହୋଇ, ଏକ ସାମାଜିକ ପ୍ରତିଜ୍ଞା ହେବା ଉଚିତ — ଆମ ବରିଷ୍ଠମାନଙ୍କୁ ମର୍ଯ୍ୟାଦା ଓ ସୁରକ୍ଷା ଦେବାର ପ୍ରତିଜ୍ଞା।”

ଆଲୋଚନାରେ ସର୍ବଶ୍ରୀ ଦାମୋଦର ସାମନ୍ତରାୟ, ବଂଶୀଧର ପଣ୍ଡା, ବାଇଧର ପାତ୍ର, ପଦ୍ମନାଭ ଷଡ଼ଙ୍ଗୀ ପ୍ରମୁଖ ଅଂଶଗ୍ରହଣ କରି “ମାତାପିତା ଓ ବରିଷ୍ଠ ନାଗରିକଙ୍କ ରକ୍ଷଣାବେକ୍ଷଣ ଓ କଲ୍ୟାଣ ଅଧିନିୟମ-୨୦୦୭” ଅନୁଯାୟୀ ସନ୍ତାନମାନେ ମାତା-ପିତାଙ୍କ ଭରଣପୋଷଣ କରିବା ବାଧ୍ୟତାମୂଳକ ବୋଲି ମତ ଦେଇଥିଲେ। ପ୍ରତି ଜିଲ୍ଲାରେ ଥିବା “ବରିଷ୍ଠ ନାଗରିକ ଟ୍ରିବ୍ୟୁନାଲ୍”ର ସୁଯୋଗ ନେବାକୁ ମଧ୍ୟ ସେମାନେ ଆହ୍ୱାନ କରିଥିଲେ।

ପ୍ରାରମ୍ଭରେ ମଞ୍ଚର ସମ୍ପାଦକ କାମଦେବ ରଣସିଂହ ଓ ସଭ୍ୟ ଉପେନ୍ଦ୍ର ବେହେରା ସ୍ୱରଚିତ କବିତା ପାଠ କରି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶେଷରେ ମଞ୍ଚର କାର୍ଯ୍ୟକାରୀ ସଦସ୍ୟ ଶଙ୍କର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଜାତୀୟ ସଙ୍ଗୀତ ଗାନ ପରେ ଉପସ୍ଥିତ ସମସ୍ତଙ୍କୁ ରଜପିଠାରେ ଆପ୍ୟାୟିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *