ବୁଲା କୁକୁର କାମୁଡା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରତ୍ୟେକ ବ୍ଲକରେ ବନ୍ଧ୍ୟାକରଣ ଜରୁରୀ
ବ୍ରହ୍ମପୁର; : ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଶିଶୁ, ବୃଦ୍ଧ ଓ ମହିଳାମାନେ ବୁଲା କୁକୁର କାମୁଡାରେ ଆକ୍ରାନ୍ତ ହେଉଥିବା ନେଇ ଉଦବେଗ ପ୍ରକାଶ ପାଇଥିବା ଖବର ମିଳୁଛି। ଏପରି ସମୟରେ ଗଞ୍ଜାମ ଜିଲ୍ଲାର ମହାନାଳ ଗ୍ରାମରେ ପୁଣି ଜଣେ ଛଅ ବର୍ଷର ଶିଶୁ ବୁଲା କୁକୁରଙ୍କ ଆକ୍ରମଣରେ ଆହତ ହେବା ଘଟଣା ସମଗ୍ର ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି। କିଛି ଦିନ ପୂର୍ବରୁ ସେହି ଗ୍ରାମର ଅନ୍ୟ ଜଣେ ଶିଶୁ ଏଭଳି ଆକ୍ରମଣର ଶିକାର ହୋଇଥିଲେ। ଏହା କେବଳ ଗୋଟିଏ ଗ୍ରାମର ସମସ୍ୟା ନୁହେଁ; ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନ୍.ଏ.ସି ଅଞ୍ଚଳରୁ ମଧ୍ୟ ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ଏହା ସ୍ପଷ୍ଟ କରୁଛି ଯେ ବୁଲା କୁକୁରଙ୍କ ବୃଦ୍ଧି ପାଉଥିବା ସଂଖ୍ୟାକୁ ନେଇ ତୁରନ୍ତ ଏବଂ ଯୋଜନାବଦ୍ଧ ପଦକ୍ଷେପ ନେବା ସମୟ ଆସିଛି।
ପ୍ରତ୍ୟେକ ଘଟଣା ପରେ କେବଳ ଆହତଙ୍କୁ ଚିକିତ୍ସା ସହାୟତା ଯୋଗାଇବା ଏହାର ସମାଧାନ ନୁହେଁ। ଏହା ପାଇଁ ବୈଜ୍ଞାନିକ, ମାନବିକ ଓ ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତ ଯୋଜନା ଆବଶ୍ୟକ। ସାରା ବିଶ୍ୱରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ପାଇଁ ଆନିମଲ ବାର୍ଥ କଣ୍ଟ୍ରୋଲ କାର୍ଯ୍ୟକ୍ରମକୁ ସବୁଠାରୁ ପ୍ରଭାବଶାଳୀ ଏବଂ ମାନବିକ ପଦ୍ଧତି ଭାବେ ସ୍ୱୀକୃତି ମିଳିଛି। ବ୍ରହ୍ମପୁର ମହାନଗର ନିଗମରେ ଏହି କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଏହାର ଉତ୍କୃଷ୍ଟ ଉଦାହରଣ।
କିନ୍ତୁ ଦୁଃଖର ବିଷୟ, ଏହି ସୁବିଧା କେବଳ ସହରାଞ୍ଚଳରେ ସୀମିତ ରହିଛି। ଗ୍ରାମାଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଥିବା ବେଳେ ସେଠାରେ କୌଣସି ନିୟମିତ ବନ୍ଧ୍ୟାକରଣ କିମ୍ବା ରେବିସ୍ ଟିକାକରଣ କାର୍ଯ୍ୟକ୍ରମ ନଥିବାରୁ ଲୋକମାନେ ଭୟ ଓ ଅନିଶ୍ଚିତତା ମଧ୍ୟରେ ଜୀବନ ବିତାଉଛନ୍ତି। ବିଶେଷକରି ଶିଶୁ, ବୃଦ୍ଧ ଓ ମହିଳାମାନେ ଅଧିକ ବିପଦରେ ରହୁଛନ୍ତି।
ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ଦାବି କରିଛନ୍ତି ଯେ, ବ୍ରହ୍ମପୁର ମହାନଗର ନିଗମର ସଫଳ ଏବିସି ମଡେଲକୁ ଆଧାର କରି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ତୁରନ୍ତ ବୁଲା କୁକୁର ବନ୍ଧ୍ୟାକରଣ ଓ ରେବିସ୍ ଟିକାକରଣ କେନ୍ଦ୍ର ସ୍ଥାପନ କରାଯାଉ। ଏହା କେବଳ ପଶୁ କଲ୍ୟାଣ ପାଇଁ ନୁହେଁ, ବରଂ ଜନସୁରକ୍ଷା, ରେବିସ୍ ନିୟନ୍ତ୍ରଣ ଓ ସାମାଜିକ ସୁରକ୍ଷା ପାଇଁ ମଧ୍ୟ ଅତ୍ୟନ୍ତ ଆବଶ୍ୟକ।
ସରକାର ଓ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଅନୁରୋଧ, ଆଉ କୌଣସି ଶିଶୁ ଆକ୍ରମଣର ଶିକାର ହେବା ପୂର୍ବରୁ ଏହି ଦିଗରେ ଦୃଢ଼ ଓ ଦୂରଦର୍ଶୀ ପଦକ୍ଷେପ ଗ୍ରହଣ କରାଯାଉ। ପ୍ରତ୍ୟେକ ବ୍ଲକରେ ଏବିସି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ପୃଥକ ବଜେଟ୍, ପ୍ରଶିକ୍ଷିତ କର୍ମଚାରୀ, ଭେଟେରିନାରୀ ଡାକ୍ତର ଏବଂ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯିବା ଉଚିତ। ସେହି ସହିତ ପଞ୍ଚାୟତ, ସ୍ୱେଚ୍ଛାସେବୀ ସଂଗଠନ ଓ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଚାଲୁ କରାଯିବା ଆବଶ୍ୟକ।
ବୁଲା କୁକୁର ସମସ୍ୟାକୁ ନେଇ ଭାବାବେଗ ନୁହେଁ, ବରଂ ବୈଜ୍ଞାନିକ ଓ ମାନବିକ ନୀତି ହିଁ ସ୍ଥାୟୀ ସମାଧାନର ପଥ। ଆଜି ଯଦି ସରକାର ଏହି ପଦକ୍ଷେପ ନେବେ, ତେବେ ଆସନ୍ତା ପିଢ଼ି ଏକ ସୁରକ୍ଷିତ ପରିବେଶରେ ବଞ୍ଚିବାର ସୁଯୋଗ ପାଇବ। ଏହା କେବଳ ପଶୁ ସୁରକ୍ଷାର ପ୍ରସଙ୍ଗ ନୁହେଁ, ବରଂ ମଣିଷ ଓ ପଶୁଙ୍କ ମଧ୍ୟରେ ସନ୍ତୁଳିତ ସହାବସ୍ଥାନ ସ୍ଥାପନ କରିବାର ଏକ ଦାୟିତ୍ୱ।
