ସୋନପୁର ମ୍ୟୁନିସିପାଲିଟି ଦୁର୍ନୀତି ପେଡ଼ି ଭାଗ-୩ : ସଫେଇ ଗାଡ଼ି କିଣାରେ ମେଗା ସ୍କାମ୍; କାମ ଶୂନ, କାଗଜପତ୍ରରେ ଚାଲିଛି ତେଲ ବିଲ୍ l
ସୁବର୍ଣ୍ଣପୁର: ସୋନପୁର ପୌରପରିଷଦ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି। ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ନାଁରେ ସାଧାରଣ ଜନତାଙ୍କ ଟିକସ ପଇସାକୁ କିଭଳି ଦିନଦ୍ୱିପ୍ରହରରେ ହରିଲୁଟ୍ କରାଯାଉଛି, ତାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ପୌରପରିଷଦ ଦ୍ୱାରା କିଣାଯାଇଥିବା ସ୍ୱୟଂଚାଳିତ ରାସ୍ତା ସଫେଇ ଗାଡ଼ି (ରୋଡ୍ ସ୍ୱିପିଂ ମେସିନ୍) ଏବଂ ଅନ୍ୟାନ୍ୟ ସଫେଇ ଗାଡ଼ି କିଣାବିକାରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ନେଇ ସହରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକୃତ ମୂଲ୍ୟଠାରୁ ଦୁଇଗୁଣା ଦାମ୍: ଅଫିସରେ ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଗାଡ଼ି l ଅଭିଯୋଗ ଅନୁଯାୟୀ, ବଜାରରେ ଏହି ସଫେଇ ଗାଡ଼ିଗୁଡ଼ିକର ଯାହା ପ୍ରକୃତ ମୂଲ୍ୟ ରହିଛି, ତାହାଠାରୁ ପ୍ରାୟ ଦୁଇଗୁଣା ଅଧିକ ମୂଲ୍ୟ ଦେଖାଇ ମ୍ୟୁନିସିପାଲିଟି ପାଣ୍ଠିରୁ ଅର୍ଥ ଆତ୍ମସାତ କରାଯାଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସହରର ପିଚୁ ରାସ୍ତାରୁ ଧୂଳି, ବାଲି ଓ ମାଟି ସଫା କରିବା ପାଇଁ ଅଣାଯାଇଥିବା ଏହି ଗାଡ଼ିକୁ ସୋନପୁରବାସୀ ଦିନେ ହେଲେ ବି କାମରେ ଲାଗିଥିବା ଦେଖିନାହାନ୍ତି। କିଣା ହେବା ଦିନଠାରୁ ଏହି ଦାମୀ ଗାଡ଼ି ପୌରପରିଷଦ କାର୍ଯ୍ୟାଳୟ ପରିସର ମଧ୍ୟରେ ଖରା, ବର୍ଷା ଖାଇ ଖତ ଖାଉଛି। କେବଳ ଗୋଟିଏ ଗାଡ଼ି ନୁହେଁ, ବରଂ ଏଭଳି ଅନେକ ସଫେଇ ଗାଡ଼ି ବିନା ବ୍ୟବହାରରେ ନଷ୍ଟ ହେବାକୁ ବସିଲାଣି।ବିନା ରେଜିଷ୍ଟ୍ରେସନରେ ଚାଲିଛି ‘ତେଲ ବିଲ୍’ ଜାଲିଆତି! ଏହି ମେଗା ସ୍କାମ୍ର ସବୁଠାରୁ ସଂଘାତିକ ଦିଗ ହେଉଛି, ଅଫିସ ପରିସରରେ ପଡ଼ିରହିଥିବା ଏହି ଗାଡ଼ିଗୁଡ଼ିକର ଏପର୍ଯ୍ୟନ୍ତ ଆରଟିଓ (RTO) ରେଜିଷ୍ଟ୍ରେସନ୍ ମଧ୍ୟ ହୋଇନାହିଁ। ଯଦି ଗାଡ଼ିର ରେଜିଷ୍ଟ୍ରେସନ୍ ହୋଇନାହିଁ ଏବଂ ତାହା ରାସ୍ତାକୁ ଓହ୍ଲାଇ ନାହିଁ, ତେବେ ଗାଡ଼ି ଚାଲିଲା କେମିତି?ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗାଡ଼ି ସହର ସଫା କରୁଥିବା ମିଥ୍ୟା ଦର୍ଶାଇ କାଗଜପତ୍ରରେ ପ୍ରତିମାସରେ ମାତ୍ରାଧିକ ତେଲ (ଡିଜେଲ) ବିଲ୍ ପାସ୍ କରାଯାଇ ଲକ୍ଷ ଲକ୍ଷ ଟଙ୍କା ସିଧାସଳଖ ଅଫିସର ଏବଂ ଦଲାଲଙ୍କ ପକେଟକୁ ଯାଉଛି। ଭିଜିଲାନ୍ସ ଜବତ କଲା କାଗଜପତ୍ର : ବିଶ୍ୱସ୍ତ ସୂତ୍ର ରୁ ଜଣା ପଡିଛି,ଚେୟାରମ୍ୟାନ୍ ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା?ଏହି ବଡ଼ ଧରଣର ଗୋଲମାଲ୍ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଶେଷରେ ଭିଜିଲାନ୍ସ ବିଭାଗ ଏହି ମାମଲାକୁ ହାତକୁ ନେଇଛି। ସମ୍ପୃକ୍ତ ସଫେଇ ଗାଡ଼ି କିଣାବିକା ଏବଂ ତେଲ ବିଲ୍ ସଂକ୍ରାନ୍ତୀୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଭିଜିଲାନ୍ସ ବିଭାଗ ଜବତ କରି ସେଗୁଡ଼ିକର ଯାଞ୍ଚ କରୁଥିବା ଜଣାପଡ଼ିଛି। ପୌରପରିଷଦର ଉଚ୍ଚପଦସ୍ଥ ଅଧିକାରୀ ଏବଂ ସ୍ଥାନୀୟ ଚେୟାରମ୍ୟାନ୍ଙ୍କ ପ୍ରତ୍ୟକ୍ଷ ଜ୍ଞାତସାରରେ ଓ ମଧୁଚନ୍ଦ୍ରିକାରେ ଏହି ସାରା ଦୁର୍ନୀତିର ଚକ୍ରାନ୍ତ ରଚାଯାଇଥିବା ସହରରେ ଆଲୋଚନା ଜୋର ଧରିଛି।
ଗୋଟିଏ ପଟେ ସହରବାସୀ ପ୍ରବଳ ଧୂଳି-ମାଟି ଯୋଗୁଁ ନାକେଦମ୍ ହେଉଥିବା ବେଳେ, ଅନ୍ୟପଟେ ସଫେଇ ନାଁରେ କୋଟି କୋଟି ଟଙ୍କାର ସରକାରୀ ପାଣ୍ଠି ହରିଲୁଟ୍ ହେବା ପ୍ରଶାସନର ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ପୌର ଅଧିକାରୀ ଓ ନେତାଙ୍କ ବିରୋଧରେ କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ଉପରେ ସାରା ସୋନପୁରବାସୀଙ୍କ ନଜର ରହିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
