August 8, 2026
Home » ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ମାଡ଼ି ବସିଲା ଜଙ୍ଗଲ ବିଭାଗ, ଜଣେ ଗିରଫ

ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ମାଡ଼ି ବସିଲା ଜଙ୍ଗଲ ବିଭାଗ, ଜଣେ ଗିରଫ

0
WhatsApp Image 2026-08-08 at 3.57.38 PM

 

ଏକ ବାଘ ଛାଲ, ଏକ ବାଘ ଦାନ୍ତ, ୧୪ଟି ବାଘ ନଖ ଜବତ….

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରେଞ୍ଜ ଅଧୀନ ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୋକସରା ବ୍ଲକର ଡହଗାଁ ନିକଟରେ ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ଜଙ୍ଗଲ ବିଭାଗ ଚଢ଼ାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ଏକ ବାଘ ଛାଲ, ଏକ ବାଘ ଦାନ୍ତ ଏବଂ ୧୪ଟି ବାଘ ନଖ ଜବତ କରାଯାଇଛି । ଏହି ଘଟଣା ବନ୍ୟଜନ୍ତୁ ଚୋରା କାରବାର ଉପରେ ପୁଣିଥରେ ପ୍ରଶ୍ନ ଉଠାଇଛି ।
ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୋକସରା ବ୍ଲକର ଡହଗାଁ ଅଞ୍ଚଳରେ ବାଘ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ଖବର ସ୍ଥାନୀୟ ଗ୍ରାମବାସୀମାନେ ବେହେରା ଫରେଷ୍ଟ କର୍ମଚାରୀଙ୍କୁ ଦେଇଥିଲେ । ଏହାପରେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡର ଏସିଏଫଙ୍କ ତତ୍ତ୍ୱାବଧାନରେ ଧର୍ମଗଡ଼ ରେଞ୍ଜ ଅଧିକାରୀ ସୀମାଞ୍ଚଳ ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା । ଏହି ଟିମରେ ବେହେରା ଫରେଷ୍ଟର କ୍ଷୀରୋଦ ଚନ୍ଦ୍ର ସେଠ, ବନରକ୍ଷୀ ଲଳିତ ନାଏକ, ପ୍ରଭାସିନୀ ଗୋପାଳ, କ୍ଷତ୍ରିଅ ନାଏକ ଓ ମାନସ ସାମିଲ ଥିଲେ ।
ଚଢ଼ାଉ ସମୟରେ ଅଭିଯୁକ୍ତକୁ କାବୁ କରାଯାଇଥିଲା । ଗିରଫ ବ୍ୟକ୍ତି ଝାଡ଼ଖଣ୍ଡର ମୂଳ ବାସିନ୍ଦା ସୁକେନ୍ ଗୌଡ଼ ବୋଲି ଜଣାପଡ଼ିଛି । ସେ ଦୀର୍ଘ ବର୍ଷ ଧରି ନବରଙ୍ଗପୁର ଜିଲ୍ଲାର ହିର୍ଲିଡଙ୍ଗ ଅଞ୍ଚଳରେ ରହୁଥିବା ସୂଚନା ମିଳିଛି । ତାଙ୍କ ନିକଟରୁ ଜବତ ହୋଇଥିବା ବାଘ ଛାଲ, ଦାନ୍ତ ଓ ନଖକୁ ବନ ବିଭାଗ ନିଜ ହେପାଜତକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଧର୍ମଗଡ଼ ବନ ବିଭାଗ କାର୍ଯ୍ୟାଳୟକୁ ଆଣି ପଚରା ଉଚରା କରାଯାଇଥିଲା ।
ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ଏବଂ ବନ୍ୟଜନ୍ତୁ ଅଙ୍ଗ ଚୋରା କାରବାରର ଚେର କେତେ ଦୂର ପର୍ଯ୍ୟନ୍ତ ବ୍ୟାପିଛି, ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା ନେଇ, କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର୍. କଲାଇଭାନନ୍ ସୂଚନା ଦେଇଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *