ଧର୍ମଗଡ଼ ସହରରେ ଚାଞ୍ଚଲ୍ୟକର ଡକାୟତି ଘଟଣା
“ରୋଗୀ ନୁହେଁ, ଡକାୟତ ଆସିଥିଲେ…! ଡାକ୍ତରଙ୍କ ଦୁଆରରେ ରାତିଅଧରେ ‘ଚିକିତ୍ସିତ ହେବାକୁ।ହେଲେ…..
ଧର୍ମଗଡ଼: ଅଧରାତିରେ କବାଟ ବାଡ଼େଇଲେ। ଡାକ୍ତର ଭାବିଲେ ରୋଗୀ ଆସିଛନ୍ତି। କିନ୍ତୁ କବାଟ ଖୋଲିବା କ୍ଷଣି ଜଣାପଡ଼ିଲା, ଏମାନେ ଔଷଧ ନେବାକୁ ନୁହେଁ, ଘରର ସମ୍ପତ୍ତିର “ଅପରେସନ୍” କରିବାକୁ ଆସିଛନ୍ତି। ଏଭଳି ଏକ ଚାଞ୍ଚଲ୍ୟକର ଡକାୟତି ଘଟଣା ଧର୍ମଗଡ଼ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।ଧର୍ମଗଡ଼ ସରକାରୀ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅଜିତ କୁମାର ଦାସଙ୍କ ସରକାରୀ ବାସଭବନରେ ଗତ ରାତି ପ୍ରାୟ ୧ଟା ୧୫ ମିନିଟ୍ ସମୟରେ ଏହି ସଶସ୍ତ୍ର ଡକାୟତି ଘଟିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି କ୍ୱାର୍ଟର ଉପଜିଲ୍ଲାପାଳଙ୍କ ବାସଭବନ ନିକଟରେ ଥିବା ସତ୍ତ୍ୱେ ଡକାୟତମାନେ ନିର୍ଭୟରେ ଘଟଣା ଘଟାଇ ଫେରାର ହୋଇଯାଇଛନ୍ତି।ସୂଚନା ଅନୁଯାୟୀ, କବାଟ ବାଡ଼େଇବା ପରେ ରୋଗୀ ହୋଇଥିବେ ବୋଲି ଭାବି ଡାକ୍ତର ଦୁଆର ଖୋଲିଥିଲେ। ସେତିକିବେଳେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘର ଭିତରକୁ ପଶି ଡାକ୍ତରଙ୍କୁ କାବୁ କରିଥିଲେ। ତାଙ୍କ ହାତଗୋଡ଼ ବାନ୍ଧିବା ସହ ମୁହଁରେ ସେଲୋ ଟେପ୍ ଲଗାଇ ଦେଇଥିଲେ।


ଏହି ସମୟରେ ଡାକ୍ତର ଅଜିତ ଦାସ ସାହସର ପରିଚୟ ଦେଇ ଜଣେ ଡକାୟତଙ୍କ ପକେଟରୁ ବନ୍ଧୁକ ଛଡ଼ାଇ ନେଇ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେହି ବନ୍ଧୁକଟି ଖେଳଣା ବନ୍ଧୁକ ହୋଇଥିବାରୁ ତାହା ଫାୟାର ହୋଇନଥିଲା। ଏହାପରେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ପୂଜାଘରେ ଜଗି ରହିଥିବା ବେଳେ ଅନ୍ୟ ଜଣେ ବେଡରୁମରେ ଥିବା ଆଲମିରା ଖୋଲି ପ୍ରାୟ ୮୦ ହଜାର ଟଙ୍କା ନଗଦ, ପର୍ସରେ ଥିବା ୨ ହଜାର ଟଙ୍କା, ୫୪ ଗ୍ରାମର ସୁନା ଚେନ୍ ଏବଂ ଦୁଇଟି ସୁନା ମୁଦି ନେଇ ଚମ୍ପଟ ମାରିଥିଲେ। ଏହି ଘଟଣା ପୁଣି ଥରେ ଧର୍ମଗଡ଼ର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ସହରରେ କିଛିଦିନ ହେଲା ଚୋରି, ରାହାଜାନୀ, ଗାଡ଼ି ଚୋରି ଏବଂ ଡକାୟତି ବଢ଼ୁଥିବା ବେଳେ ଅପରାଧୀମାନଙ୍କ ମନୋବଳ କାହିଁକି ଏତେ ବଢ଼ୁଛି, ତାହାକୁ ନେଇ ସାଧାରଣରେ ଆଲୋଚନା ଚାଲିଛି। ଧର୍ମଗଡ଼ରେ ଏବେ ବୋଧହୁଏ ଚୋରମାନଙ୍କର “ନାଇଟ୍ ସିଫ୍ଟ” ବେଶ୍ ସକ୍ରିୟ। ପୋଲିସ ପେଟ୍ରୋଲିଂଠାରୁ ଡକାୟତଙ୍କ ପେଟ୍ରୋଲିଂ ଅଧିକ ଦୃଶ୍ୟମାନ ବୋଲି ସହରବାସୀ କଟାକ୍ଷ କରୁଛନ୍ତି। ଉପଜିଲ୍ଲାପାଳଙ୍କ ବାସଭବନ ପାଖରେ ଯଦି ଡକାୟତମାନେ ଏତେ ନିର୍ଭୟରେ କାଣ୍ଡ ଘଟାଇ ପାରୁଛନ୍ତି, ତେବେ ସାଧାରଣ ଲୋକଙ୍କ ସୁରକ୍ଷା କେତେ ସୁଦୃଢ଼ ତାହା ସହଜରେ ଅନୁମାନ କରାଯାଇପାରେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଦୁର୍ବଳ ପୋଲିସ ପେଟ୍ରୋଲିଂ, ସହରଠାରୁ ଦୂରରେ ଥାନାର ଅବସ୍ଥିତି ଏବଂ ପୋଲିସ କର୍ମଚାରୀଙ୍କ ଅଭାବ ଅପରାଧୀମାନଙ୍କ ପାଇଁ ସୁବିଧା ସୃଷ୍ଟି କରୁଛି। ଧର୍ମଗଡ଼ ବ୍ୟବସାୟୀ ସଂଘ, ବରିଷ୍ଠ ନାଗରିକ ସଂଘ ଓ ବୁଦ୍ଧିଜୀବୀମାନେ ସହରରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଧର୍ମଗଡ଼ ଥାନାକୁ ପୁଣି ସହର ମଧ୍ୟକୁ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଅପରାଧୀମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ଆଶା ପ୍ରକାଶ କରାଯାଉଛି। ତେବେ ସହରବାସୀଙ୍କ ପ୍ରଶ୍ନ ଗୋଟିଏ,”ଡକାୟତମାନେ ଯଦି ରାତିରେ ନିର୍ଭୟରେ ବୁଲିପାରୁଛନ୍ତି, ତାହେଲେ ଜଗୁଛି କିଏ ?”
ବିଦ୍ୟାଧର ସାହୁଙ୍କ ରିପୋର୍ଟ…
