ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ
ବରଗଡ଼ରେ ୮ଟି ନୂତନ ଧାନକ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ବରଗଡ଼:ରାଜ୍ୟରେ ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ସଶକ୍ତ ଓ କ୍ରିୟାଶୀଳ କରିବା ଲକ୍ଷ୍ୟରେ ରାଜ୍ୟବ୍ୟାପୀ ମେଗା ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଉନ୍ମୋଚନ କରିଥିଲେ। ଏହି ଅବସରରେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲା ଯୋଡ଼ି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ୮ଟି ପ୍ରମୁଖ ସ୍ଥାନରେ ନୂତନ ଧାନକ୍ରୟ କେନ୍ଦ୍ର ଭିତ୍ତିଭୂମିର ଶିଳାନ୍ୟାସ କରିଛନ୍ତି।
ଏହି ରାଜ୍ୟସ୍ତରୀୟ ଶୁଭାରମ୍ଭ ସହ ତାଳଦେଇ ବରଗଡ଼ ସହରସ୍ଥିତ ଯଦୁମଣି ଅଡିଟୋରିୟମଠାରେ ଏକ ଭବ୍ୟ ଜିଲ୍ଲାସ୍ତରୀୟ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକଙ୍କ ପ୍ରତିନିଧି ସମୀର ସିଂ, ବରଗଡ଼ ଉପ-ଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ପଦ୍ମପୁର ଉପ-ଜିଲ୍ଲାପାଳ ହେମସାଗର ଭୋଇ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମମତା ରାଣୀ ତ୍ରିପାଠୀ ଏବଂ ସମବାୟ ସମିତିର ଉପ-ନିବନ୍ଧକ ଯୁଗଳ କିଶୋର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଉତ୍ସବର ପରିବେଶକୁ ଅଧିକ ଆକର୍ଷଣୀୟ କରାଯାଇଥିଲା।


ବରଗଡ଼ ଜିଲ୍ଲାର କୃଷକମାନଙ୍କୁ ଧାନ ବିକ୍ରି ଓ ସଂରକ୍ଷଣରେ ଅଧିକ ସୁବିଧା ଯୋଗାଇଦେବା ପାଇଁ ଶିଳାନ୍ୟାସ କରାଯାଇଥିବା ୮ଟି ନୂତନ ଧାନକ୍ରୟ କେନ୍ଦ୍ର ମଧ୍ୟରେ ବିଜେପୁର ବ୍ଲକର ପହଣ୍ଡି, ଗାଇସିଲେଟ ବ୍ଲକର ଗୁଦେରପାଲି, ରାଜବୋଡ଼ାସମ୍ବର ବ୍ଲକର ପଲସାପାଲି, ପାଇକମାଲ ବ୍ଲକର ଭେଙ୍ଗରାଜପୁର ଏବଂ ଝାରବନ୍ଧ ବ୍ଲକର ଜଗଦଲପୁର, ଗୋଠୁଗୁଡ଼ା, ଚଣ୍ଡିଭଟା ଓ ଭଣ୍ଡାରପୁରୀ ଅନ୍ତର୍ଭୁକ୍ତ। ଏହି ନୂତନ ଭିତ୍ତିଭୂମି ସ୍ଥାପନ ଦ୍ୱାରା ଅଞ୍ଚଳର କୃଷକମାନେ ନିଜ ନିକଟସ୍ଥ ମଣ୍ଡିରେ ସହଜରେ ଧାନ ବିକ୍ରି କରିପାରିବେ।‘ସମ୍ବନ୍ଧ’ ମହାଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତି କମରେ ଜଣଙ୍କୁ ସମବାୟ ସମିତି ସହ ଯୋଡ଼ିବା। ଏଥିରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ମହିଳା ଏବଂ ଯୁବପିଢ଼ିଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ପ୍ରକ୍ରିୟାକୁ ଅଧିକ ସହଜ ଓ ଡିଜିଟାଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ‘ସମ୍ବନ୍ଧ’ର ସ୍ୱତନ୍ତ୍ର ଲୋଗୋ ଏବଂ ମୋବାଇଲ ଆପ୍ଲିକେସନ୍ ଉନ୍ମୋଚନ କରିଛନ୍ତି। ଏହାସହ ସମବାୟ ଚିନି ଶିଳ୍ପ ଅଞ୍ଚଳଗୁଡ଼ିକ ପାଇଁ ନୂତନ ‘ଆଖୁ ବିକାଶ ଯୋଜନା’ର ମଧ୍ୟ ଶୁଭାରମ୍ଭ କରାଯାଇଛି।

ରାଜ୍ୟରେ ବିଶ୍ୱର ବୃହତ୍ତମ ଶସ୍ୟ ସଂରକ୍ଷଣ ଯୋଜନା ଅଧୀନରେ ମୋଟ ୧୮୫ଟି ପିପିସିଏସ, ୭୦ଟି ପ୍ୟାକ୍ସ/ଲାମ୍ପସ, ୪ଟି ମଡେଲ ମଣ୍ଡି ଏବଂ ୩ଟି ଗୋଦାମ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବରଗଡ଼ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମବାୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହ ଜିଲ୍ଲାର କୃଷି ଓ କୃଷକଙ୍କ ଆର୍ଥିକ ଉନ୍ନତିରେ ଏକ ନୂତନ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,
