୧୦ ବର୍ଷ ପରେ କୁନି ରଥରେ ବିଜେ ଜଗନ୍ନାଥ। ଗ୍ରାମରେ ଭକ୍ତିର ଅପୂର୍ବ ଦୃଶ୍ୟ
oplus_2097152
ଧର୍ମଗଡ଼:କଳାହାଣ୍ଡି ଜିଲା ଝାରକୁଣ୍ଡାମାଲ ଗ୍ରାମରେ ଚଳିତ ବର୍ଷ ରଥଯାତ୍ରା ଅବସରରେ ଏକ ଭାବବିହ୍ୱଳ କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରାୟ ୧୦ ବର୍ଷ ପରେ କୁନି ରଥରେ କୁନି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବସାଇ ଗାଁ ପରିକ୍ରମା କରାଯାଇଥିବା ବେଳେ ସମଗ୍ର ଗ୍ରାମ ଭକ୍ତି ଓ ଉଲ୍ଲାସରେ ମଗ୍ନ ହୋଇଉଠିଥିଲା।ଗ୍ରାମବାସୀଙ୍କ କହିବା ଅନୁସାରେ, ୧୯୭୬ ମସିହାରୁ ଗ୍ରାମଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା
କନକପୁର ଜଗନ୍ନାଥ ମନ୍ଦିରରୁ ତିନି ଠାକୁର ଝାରକୁଣ୍ଡାମାଲ ଗ୍ରାମର ଗୌନ୍ତିଆ ସ୍ବର୍ଗତ ନନ୍ଦି କିଶୋର ପଣ୍ଡାଙ୍କ ଘରକୁ ଆସି ୯ ଦିନ ଧରି ପୂଜା ପାଉଥିଲେ। ପରେ ଗୌନ୍ତିଆ ଙ୍କ ଦେହାନ୍ତ ହେବା ପରେ ୨୦୧୬ ପର ଠାରୁ ଠାକୁର ଆଉ ଗ୍ରାମକୁ ଆସୁନଥିଲେ। କନକପୁର ମନ୍ଦିର ରୁ ରଥଟଣା ହୋଇ ନିକଟରେ ଥିବା ଗୌନ୍ତିଆଙ୍କ ପୁଅଙ୍କ ଘରେ ମାଉସୀ ମା ମନ୍ଦିରରେ ରଖି ରଥଯାତ୍ରା ପାଳନ କରାଯାଉଛି।୫୦ ବର୍ଷର ଏହି ପରମ୍ପରା ବନ୍ଦ ହୋଇଯିବାରୁ ଗ୍ରାମବାସୀଙ୍କ ମନରେ ଗଭୀର ଦୁଃଖ ରହିଥିଲା। ରଥଯାତ୍ରା ଦେଖିବା ପାଇଁ ସେମାନେ ପଡ଼ୋଶୀ ଗ୍ରାମକୁ ଯିବାକୁ ବାଧ୍ୟ ହେଉଥିଲେ। ତେବେ ଚଳିତ ବର୍ଷ ଗ୍ରାମର ଶରତ ଶବର ଓ ତାଙ୍କ ପତ୍ନୀଙ୍କ ଉଦ୍ୟମରେ ପୁରୀ ରୁ ଆଣିଥିବା ଛୋଟ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଏକ ସୁନ୍ଦର କୁନି ରଥରେ ବସାଇ ଗାଁ ପରିକ୍ରମା କରାଯାଇଥିଲା

ଭଗବାନ ଭକ୍ତମାନଙ୍କ ଆକୁଳ ଡାକ ଶୁଣିଥିବା ଭଳି ସହ ସହ ଲୋକଙ୍କ ଗହଣରେ କାଳିଆ କୁନି ରଥରେ ବିଜେ କରିଥିଲେ।ଘଣ୍ଟା, ଶଙ୍ଖ ଓ “ହରିବୋଲ” ଧ୍ୱନିରେ ସମଗ୍ର ଗାଁ ଦାଣ୍ଡ କମ୍ପି ଉଠୁଥିଲା। ଭକ୍ତମାନଙ୍କ ମୁହଁରେ ଥିଲା ଅସୀମ ଆନନ୍ଦର ଝଲକ। ପୁରୁଣା ଦିନର ରଥଟଣାକୁ ମନେ ପକାଇ କିଛି ବୃଦ୍ଧ ଭକ୍ତ ଭାବବିହ୍ୱଳ ହୋଇଥିଲେ।ଭକ୍ତ କହୁଥିଲେ ଗାଁ ରେ ଶବର ରାଜା ବିଶ୍ଵାବସୁ ଜଗନ୍ନାଥଙ୍କୁ ଫେରାଇ ଆଣିଛନ୍ତି। ଭବିଷ୍ୟତରେ ଗ୍ରାମରେ ଏକ ସ୍ଥାୟୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ସେମାନଙ୍କ ସ୍ୱପ୍ନ ବୋଲି କହିଛନ୍ତି ଶବର ଦମ୍ପତି। ଆସନ୍ତା ବର୍ଷ ବଡ଼ ରଥରେ ଜଗନ୍ନାଥଙ୍କୁ ବିଜେ କରାଇବା ଲକ୍ଷ୍ୟ ରହିଥିବା କଥା ଶରତ ଙ୍କ ସ୍ତ୍ରୀ ନିଲେନ୍ଦ୍ରି ପ୍ରକାଶ କରିଛନ୍ତି।ତାଙ୍କର ଏହି ଉଦ୍ୟମକୁ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଥିବା ବେଳେ, ଗ୍ରାମରେ ପୁଣିଥରେ ଜଗନ୍ନାଥ ସଂସ୍କୃତିର ପୁନର୍ଜାଗରଣ ହୋଇଥିବା ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।ଦୀର୍ଘ ବର୍ଷ ଅପେକ୍ଷା ପରେ ଗ୍ରାମର ଭକ୍ତମାନଙ୍କ ପାଇଁ ଏକ ଐତିହାସିକ ଓ ଭାବପ୍ରବଣ ମୁହୂର୍ତ୍ତ ହୋଇ ରହିଥିଲା।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…
