August 26, 2026
Home » ୧୪୭ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ନୀରବ ସତ୍ୟାଗ୍ରହ ପଦଯାତ୍ରା

୧୪୭ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ନୀରବ ସତ୍ୟାଗ୍ରହ ପଦଯାତ୍ରା

0
WhatsApp Image 2026-08-25 at 7.30.40 PM (1)

 

ମହାପ୍ରଭୁଙ୍କ ଦର୍ଶନ ଦାବିରେ ଅଟଳ ପୁରୀବାସୀ — ଅହିଂସାର ପଥରେ ଜାରି ରହିଛି ଅଧିକାରର ଲଢ଼େଇ

ପୁରୀ  : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ଦାବିରେ ଆରମ୍ଭ ହୋଇଥିବା ନୀରବ ସତ୍ୟାଗ୍ରହ ସଚେତନତା ପଦଯାତ୍ରା ଆଜି ୧୪୭ତମ ଦିନରେ ପହଞ୍ଚିଛି। ଉତ୍କଳ ଦିବସ, ଏପ୍ରିଲ ୧ରୁ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ପ୍ରତିଦିନ ଚାଲିଆସୁଥିବା ଏହି ପଦଯାତ୍ରା ଆଜି ପୁରୀବାସୀଙ୍କ ଧୈର୍ଯ୍ୟ, ଆସ୍ଥା ଓ ଅଧିକାର ପାଇଁ ଅଟଳ ସଂକଳ୍ପର ପ୍ରତୀକ ପାଲଟିଛି। ୧୪୭ ଦିନ ଧରି ନା ଥକିଛି ପାଦ, ନା ଭାଙ୍ଗିଛି ସଂକଳ୍ପ। ପ୍ରବଳ ଖରା, ବର୍ଷା, ପର୍ବପର୍ବାଣୀ ଓ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସତ୍ୟାଗ୍ରହୀମାନେ ନୀରବତାକୁ ଅସ୍ତ୍ର କରି, ହାତରେ ଦାବି ସମ୍ବଳିତ ପ୍ଲାକାର୍ଡ ଧରି ପ୍ରତିଦିନ ଶ୍ରୀମନ୍ଦିର ଅଭିମୁଖେ ପଦଯାତ୍ରା କରୁଛନ୍ତି। ଏହି ନୀରବ ପଦକ୍ଷେପରେ ରହିଛି ଏକ ସ୍ପଷ୍ଟ ବାର୍ତ୍ତା—ପୁରୀବାସୀଙ୍କ ଭାବନା, ଆସ୍ଥା ଓ ନ୍ୟାୟସଙ୍ଗତ ଅଧିକାରକୁ ସମ୍ମାନ ମିଳୁ। ଆଜି ମଧ୍ୟ ଭକ୍ତ ସାଲବେଗ ପୀଠରୁ ପଦଯାତ୍ରା ବାହାରି ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିଥିଲା। ସେଠାରେ ସତ୍ୟାଗ୍ରହୀମାନେ ପତିତପାବନଙ୍କ ଦର୍ଶନ କରିବା ସହ ପୁରୀବାସୀଙ୍କ ଦାବି ପୂରଣ ଏବଂ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୂର୍ବରୁ ରହିଥିବା ସୁବିଧା ପୁନଃସ୍ଥାପନ ନିମନ୍ତେ ଭକ୍ତିଭାବରେ ପ୍ରାର୍ଥନା କରିଥିଲେ।

ସତ୍ୟାଗ୍ରହ ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “୧୪୭ ଦିନ ଧରି ଆମର ନୀରବ ପଦଯାତ୍ରା ଜାରି ରହିଛି। ଏହା କେବଳ ଏକ ପଦଯାତ୍ରା ନୁହେଁ, ଏହା ପୁରୀବାସୀଙ୍କ ଆସ୍ଥା, ଭାବନା ଓ ଅଧିକାରର ଏକ ଶାନ୍ତିପୂର୍ଣ୍ଣ ସ୍ୱର। ଆମେ ସତ୍ୟ ଓ ଅହିଂସାର ପଥରେ ରହି ଆମର ନ୍ୟାୟସଙ୍ଗତ ଦାବି ସରକାର ଓ ପ୍ରଶାସନଙ୍କ ନିକଟରେ ପହଞ୍ଚାଇ ଚାଲିଛୁ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ସଂଘର୍ଷ ଜାରି ରହିବ।” ସେ ଆହୁରି କହିଛନ୍ତି, “ଆମର ପାଦ ଅଧିକାର ପାଇଁ ଚାଲୁଛି, ଆମର ନୀରବତା ନ୍ୟାୟର କଥା କହୁଛି ଏବଂ ଆମର ହୃଦୟ ଅପେକ୍ଷା କରୁଛି ମହାପ୍ରଭୁଙ୍କ ଦର୍ଶନ ପାଇଁ। ଏହି ଆନ୍ଦୋଳନ କୌଣସି ବ୍ୟକ୍ତି, ରାଜନୈତିକ ଦଳ କିମ୍ବା ସରକାର ବିରୋଧରେ ନୁହେଁ; ଏହା ପୁରୀବାସୀଙ୍କ ଭାବନା ଓ ଅଧିକାର ପାଇଁ ଏକ ଶାନ୍ତିପୂର୍ଣ୍ଣ ଅହିଂସାମୂଳକ ପ୍ରୟାସ।”୧୪୭ ଦିନର ଏହି ଯାତ୍ରା ଆଜି ଏକ ଗଭୀର ଭାବନାର ସନ୍ଦେଶ ଦେଉଛି—ସତ୍ୟର ପଥ ଦୀର୍ଘ ହୋଇପାରେ, କିନ୍ତୁ ସଂକଳ୍ପ ଦୃଢ଼ ଥିଲେ ପଦକ୍ଷେପ କେବେ ଅଟକେ ନାହିଁ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷାରତ ପୁରୀବାସୀଙ୍କ ଏହି ନୀରବ ସ୍ୱର କେବେ ନା କେବେ ନ୍ୟାୟର ଦ୍ୱାର ଖୋଲିବ—ଏହି ଆଶା ଓ ବିଶ୍ୱାସ ସହ ସତ୍ୟାଗ୍ରହୀମାନେ ଆଗକୁ ବଢ଼ୁଛନ୍ତି।

ଆଜିର ପଦଯାତ୍ରାରେ ସର୍ବଶ୍ରୀ ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ଯାଦବାନନ୍ଦ ରାୟ, ନୃସିଂହନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଅଭିମନ୍ୟୁ ରାୟଗୁରୁ, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ଛବିରାଣୀ ମହାନ୍ତି, ଭାରତୀ ମହାନ୍ତି, ଶିବାନୀ ମଲ୍ଲିକ, ମମତା ସ୍ବାଇଁ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ଜୟପ୍ରକାଶ ମହାରଣା, ବାପିନା ସାମନ୍ତରାୟ, କିଶୋର ଚନ୍ଦ୍ର ଦାସ, କାଶୀନାଥ ସାହୁ, ଲିଙ୍ଗରାଜ ସାହୁ, ରମେଶ ଚନ୍ଦ୍ର ମହାନ୍ତି ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *